ନୂଆଦିଲ୍ଲୀ,୨୩/୦୫: ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ଏହାର ଆକାଶ ସୀମା ଅର୍ଥାତ ଏୟାରସ୍ପଶ୍କୁ ବନ୍ଦ କରିଦେଇଛନ୍ତି। ପୂର୍ବରୁ, ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସରକାର ୨୩ ମଇ ୨୦୨୫ ପର୍ଯ୍ୟନ୍ତ ନୋଟାମ୍ ଜାରି କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ଯାତ୍ରୀବାହୀ ବିମାନ ଏବଂ ସାମରିକ ବିମାନ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିପାରିବ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ଏପ୍ରିଲ ୨୨ରେ ପାକିସ୍ତାନୀ ବିମାନ ସେବା ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହା ପରେ, ଭାରତ ଅପରେସନ ସିନ୍ଦୂର ଅଧୀନରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ପରେ, ପାକିସ୍ତାନୀ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
୨୪ ଜୁନ୍ ପର୍ଯ୍ୟନ୍ତ ନୋଟାମ ଜାରି କରିଛି ପାକିସ୍ତାନ:
ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୂଆ ନୋଟାମ ଅନୁଯାୟୀ, ପାକିସ୍ତାନ ଶୁକ୍ରବାର ଠାରୁ ଜୁନ୍ ୨୪ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଇଁ ଏହାର ଏୟାରସ୍ପେଶ୍ ବନ୍ଦ କରିଦେଇଥିଲା। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ପାକିସ୍ତାନ ବାୟୁମଣ୍ଡଳରେ ଉଡ଼ାଣ ପାଇଁ ଭାରତୀୟ ବିମାନ ଉପରେ ପ୍ରତିବନ୍ଧକକୁ ୨୪ ଜୁନ୍ ୨୦୨୫ ସକାଳ ୪:୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତରେ ପଞ୍ଜିକୃତ, ପରିଚାଳିତ, ମାଲିକାନା କିମ୍ବା ଲିଜ୍ ହୋଇଥିବା ସମସ୍ତ ବିମାନ ଏହି ପ୍ରତିବନ୍ଧକର ଅଧୀନରେ ରହିବେ ବୋଲି ପିଏଏ ଏହାର ବିବୃତ୍ତିରେ କହିଛି। ବିବୃତ୍ତିରେ କୁହାଯାଇଛି ଯେ ଏହି ପ୍ରତିବନ୍ଧକ ଭାରତୀୟ ସାମରିକ ବିମାନ ପାଇଁ ମଧ୍ୟ ପ୍ରଯୁଜ୍ୟ। ଭାରତୀୟ ବିମାନ କମ୍ପାନୀ କିମ୍ବା ଅପରେଟରମାନଙ୍କ ଦ୍ୱାରା ପରିଚାଳିତ କୌଣସି ବିମାନକୁ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ।
ବୁଧବାର ପାକିସ୍ତାନ ଦେଖାଇଛି ଏକ ଲଜ୍ଜାଜନକ ଆଭିମୁଖ୍ୟ:
ସୂଚନାଥାଉକି, ବୁଧବାର ଇଣ୍ଡିଗୋ ବିମାନକୁ ପ୍ରବଳ କୂଆପଥର ମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଇଲଟ୍ ପାକିସ୍ତାନ ଉପରେ କିଛି ସମୟ ପାଇଁ ଏୟାରସ୍ପେଶ୍ ବ୍ୟବହାର କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ଅନୁମତି ମାଗିଥିଲେ; ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥଲା ପାକ୍ ଏୟାରଟ୍ରାଫିକ। ତୃଣମୂଳ କଂଗ୍ରେସ ସାଂସଦଙ୍କ ସମେତ ୨୨୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବିମାନଟି ହଠାତ୍ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା। ଏହି କାରଣରୁ ବିମାନର ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପାକିସ୍ତାନର ଏଭଳି ଲଜ୍ଜାଜନକ କର୍ତ୍ତୃତ୍ବ ପାଇଁ ଭାରତ ମଧ୍ୟ ପାକ୍ ଏୟାରଲାଇନ୍ସ ପାଇଁ ୨୩ ଜୁନ୍ ପର୍ଯ୍ୟନ୍ତ ଏହାର ଏୟାରସ୍ପଶ୍କୁ ବନ୍ଦ କରିଛି।