ନୂଆଦିଲ୍ଲୀ,୨୩/୦୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ରଖିଛନ୍ତି ଲକ୍ଷ୍ୟ। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି । ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି । ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ 'ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ'ରେ ମୁକେଶ ଅମ୍ବାନୀ ଏନେଇ ସୂଚନା ଦେଇଛନ୍ତି ।
ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥି ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି । ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି, ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପାଖରେ ପହଞ୍ଚିସାରିଛି । ୫୦ ଲକ୍ଷ ଲୋକ ଏବେ ଜିଓ ୫ଜି ନେଟୱାର୍କ ସହିତ ଯୋଡ଼ି ହୋଇଛନ୍ତି ଏବଂ ଏହି ବର୍ଷ ଏହି ସଂଖ୍ୟା ଦ୍ୱିଗୁଣିତ ହେବ । ରିଲାଏନ୍ସ ରିଟେଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କଠାରୁ ସିଧାସଳଖ କ୍ରୟକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ, ଆପଣଙ୍କ ପ୍ରୟାସ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭାରତର ବିକାଶ ମାନଚିତ୍ରରେ ଦୃଢ ଭାବରେ ଉଭା ହୋଇଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି, ରିଲାଏନ୍ସ ଫାଉଣ୍ଡେସନ ମଣିପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରିଛି । ଏହା ସହିତ ଫାଉଣ୍ଡେସନ ଜିନୋମିକ୍ ତଥ୍ୟ ବ୍ୟବହାର କରି ସ୍ତନ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ସହିତ ସହଯୋଗ କରୁଛି । ଫାଉଣ୍ଡେସନ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ ମଲିକୁଲାର ଡାଇଗ୍ନୋଷ୍ଟିକ ଏବଂ ଗବେଷଣା ଲାବ ସ୍ଥାପନ କରାଯାଇଛି। ଏହା ଭାରତରେ ଅନ୍ୟତମ ସର୍ବବୃହତ ଜିନୋମ୍ ସିକ୍ୱେନସିଙ୍ଗ କ୍ଷମତା ହେବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ, ରିଲାଏନ୍ସ ଫାଉଣ୍ଡେସନ ସମସ୍ତ ଆଠଟି ରାଜ୍ୟ ସହିତ ମିଶି ଅଲିମ୍ପିକ୍ ତାଲିମ କେନ୍ଦ୍ର ସ୍ଥାପନ କରିବ, ଯେଉଁଠାରୁ ବାହାରୁଥିବା ଯୁବପିଢ଼ି ଅଲିମ୍ପିକ୍ସରେ ପଦକ ବିଜେତା ହୋଇପାରିବେ।