ନୂଆଦିଲ୍ଲୀ,୨୩/୦୫: ସିପିଆଇ-ମାଓବାଦୀ ସଙ୍ଗଠନର ମୁଖ୍ୟ ତଥା ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ଏନକାଉଣ୍ଟରରେ ନିହତ ହେବା ପରେ ଏବେ ନକ୍ସଲ ସଙ୍ଗଠନ ମୁରବୀଶୂନ୍ୟ ହୋଇପଡ଼ିଛି । ଏଭଳି ସମୟରେ ସଙ୍ଗଠନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେବାକୁ ବିଭିନ୍ନ ଗୁଇନ୍ଦା ସଂସ୍ଥା ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି ।
୧୯୬୭ ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିରୁ ନକ୍ସଲ ଆନ୍ଦୋଳନ ଆରମ୍ଭ ହେବା ପରେ ପ୍ରଥମ ଥର ଏହି ସଙ୍ଗଠନକୁ ନେତୃତ୍ୱ ଦେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି । ୧୯୬୭ରେ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲେ ମଧ୍ୟ ୧୯୭୧ରୁ ଏହା ସଶସ୍ତ୍ର ବିଦ୍ରୋହର ରୂପ ନେଇଥିଲା । ବିଗତ ୫୮ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥିବା ବେଳେ ମତାନ୍ତର ଓ ମନାନ୍ତର ଯୋଗୁ ୪୦ରୁ ଅଧିକ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । ୨୦୦୪ରେ ପୁନର୍ବାର ସିପିଆଇ-ମାଓବାଦୀ ବ୍ୟାନର ତଳେ ଏକାଠି ହୋଇ ସଶସ୍ତ୍ର ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା । ଗତ ବୁଧବାର ବାସବରାଜଙ୍କ ଅଚାନକ ଏନକାଉଣ୍ଟର ପରେ ଦଳର କମାଣ୍ଡ କାହା ହାତକୁ ଯିବ ତାହା ସିପିଆଇ-ମାଓବାଦୀ ଥିଙ୍କ୍ଟ୍ୟାଙ୍କ ଏ ପର୍ଯ୍ୟନ୍ତ ଘୋଷଣା କରିପାରି ନାହାନ୍ତି ।
କିଏ ପରବର୍ତ୍ତୀ ମୁଖ୍ୟ ହେବ ସେ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି । ସଙ୍କଟ ସମୟରେ ବଡ଼ ପ୍ରହାର କଲେ ମାଓ ସଙ୍ଗଠନ ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଅଧିକାରୀ ମତ ଦେଇଛନ୍ତି । ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ)ର ତଥ୍ୟ ଅନୁସାରେ ମୁଖ୍ୟ ପଦ ପାଇଁ ଏବେ ସଙ୍ଗଠନରେ ଦୁଇ ଜଣ ଦାବିଦାର ଅଛନ୍ତି³ ଥିପ୍ପିରି ତିରୁପଥି ଓରଫ ଦେବୁଜୀ ଏବଂ ମାଲୋଜୁଲା ଭେନୁଗୋପାଳ ରାଓ ଓରଫ ସୋନୁ । ଦେବୁଜୀ ଏବେ ମାଓ ସଙ୍ଗଠନର ସଶସ୍ତ୍ର ଶାଖା କେନ୍ଦ୍ରୀୟ ମିଲିଟାରୀ କମିଶନ (ସିଏମ୍ସି)ର ମୁଖ୍ୟ ଥିବା ବେଳେ ସୋନୁ ନୀତି ନିର୍ଦ୍ଧାରକ ଭାବେ କାମ କରୁଛନ୍ତି ।
୬୨ ବର୍ଷ ବୟସ୍କ ଦେବୁଜୀ ତେଲଙ୍ଗାନାର ଜଗତିଆଲ ଅଞ୍ଚଳର ମୂଳ ବାସିନ୍ଦା ଏବଂ ମାଡିଗା (ଦଳିତ) ସମ୍ପ୍ରଦାୟର । କ୍ୟାଡରମାନଙ୍କ ମନୋବଳ ବଢ଼ାଇବାରେ ଧୁରନ୍ଧର ଦେବୁଜୀ ଆଦିବାସୀଙ୍କ ଉପରେ ବେଶି ଭରସା କରିଥାନ୍ତି । ଗରିଲା ଯୁଦ୍ଧରେ ପ୍ରବୀଣ ଥିବା ବାସବରାଜଙ୍କ ଆଦର୍ଶକୁ ସେ ବଜାୟ ରଖିପାରିବେ ବୋଲି ସଙ୍ଗଠନର ଅନେକ ବିଶ୍ୱାସ କରନ୍ତି ।
ଅପରପକ୍ଷରେ ସୋନୁ ତେଲଙ୍ଗାନାର ପେଡ଼ାପାଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ଏବଂ ଜାତିରେ ବ୍ରାହ୍ମଣ । ତାଙ୍କର ବଡ଼ ପରିଚୟ ହେଲା ସେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ମାଲୋଜୁଲା କୋଟେଶ୍ୱର ରାଓ ଓରଫ କିଶେନଜୀଙ୍କ ଭାଇ । ମାଓ ସଙ୍ଗଠନକୁ ଆତଙ୍କର ଶୀର୍ଷକୁ ନେଇଥିବା କିଶେନଜୀ ୨୦୧୧ ମସିହାରେ ୫୬ ବର୍ଷ ବୟସରେ ପଶ୍ଚିମବଙ୍ଗର ଲାଲଗଡ଼ରେ ଏନକାଉଣ୍ଟରରେ ନିହତ ହୋଇଥିଲେ । ସେ ସମୟରେ ସଙ୍ଗଠନ ପାଇଁ ପୁଞ୍ଜି ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ସହ ନେପାଳ, ଶ୍ରୀଲଙ୍କା, ଫିଲିପାଇନ୍ସ ଆଦି ଦେଶର ବାମପନ୍ଥୀ ସଙ୍ଗଠନ ସହ ସମ୍ପର୍କ ରକ୍ଷା କରିବାରେ କିଶେନଜୀ ସଫଳ ହୋଇଥିଲେ । ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ହୋଇଥିଲା । କିଶେଜନୀଙ୍କ ଭାଇ ହୋଇଥିବାରୁ ଏବଂ ଉଭୟ ନରମ ଓ ଗରମ ସ୍ୱଭାବର ଥିବାରୁ ସୋନୁ ହିଁ ପରବର୍ତ୍ତୀ ମୁଖ୍ୟ ହେବା ପାଇଁ ଯୋଗ୍ୟ ବୋଲି ଅନେକ କମାଣ୍ଡରଙ୍କ ମତ । ଦଳରେ ତେଲଗୁ ଓ ଆଦିବାସୀ କ୍ୟାଡରଙ୍କ ମଧ୍ୟରେ ମତାନ୍ତର ବୃଦ୍ଧି ପାଇଥିବା ବେଳେ ତେଲଗୁ କ୍ୟାଡରଙ୍କ ସଂଖ୍ୟା ହ୍ରାସ ପାଇଛି । ସୋନୁ ପୁନର୍ବାର କ୍ୟାଡର ସଂଗ୍ରହକୁ ତେଲଙ୍ଗାନାରେ ତ୍ୱରାନ୍ୱିତ କରିପାରିବେ ବୋଲି ଅନେକଙ୍କ ବିଶ୍ୱାସ ।
କେତେକ ଗୁଇନ୍ଦା ଅଧିକାରୀଙ୍କ ମତରେ ସିପିଆଇ-ମାଓବାଦୀର ପୂର୍ବତନ ମହାସଚିବ ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ପୁଣିଥରେ ମହାସଚିବ ଦାୟିତ୍ୱ ନେଇପାରନ୍ତି । କିନ୍ତୁ ଖରାପ ସ୍ୱାସ୍ଥ୍ୟାବସ୍ଥା ଏବଂ ବୟସ ୭୫ ବର୍ଷ ଅତିକ୍ରମ କରିଥିବାରୁ ଏହା ସମ୍ଭବ ନୁହେଁ ବୋଲି କେତେକ ଅନୁମାନ କରୁଛନ୍ତି । ଗଣପତି ଗୋପନରେ ଫିଲିପାଇନ୍ସ ପଳାଇଥିବା କେତେକ କହୁଥିବା ବେଳେ ସଙ୍ଗଠନ ସୂତ୍ର କହୁଛି ସେ ଏବେ ବି ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ଅଛନ୍ତି । ଯବାନଙ୍କ ଅପରେସନରୁ ବର୍ତ୍ତିବା ପାଇଁ ସଙ୍ଗଠନର ଗୋଟିଏ ଗୋଷ୍ଠୀ ଆତ୍ମସମର୍ପଣ ଓ ଆଲୋଚନାକୁ ପସନ୍ଦ କରୁଥିବା ବେଳେ ଏକ ପୁରୁଖା ଗୋଷ୍ଠୀ ଆତ୍ମସମର୍ପଣ ଅପେକ୍ଷା ମୃତ୍ୟୁ ପସନ୍ଦ କରିବେ ବୋଲି ଜିଦ୍ ଧରି ବସିଛନ୍ତି । ଏବେ ବାସବରାଜଙ୍କ ମୃତ୍ୟୁ ପରେ ବରିଷ୍ଠମାନଙ୍କ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ବାକି ବୋଲି ଅପରେସନ ସହ ଜଡ଼ିତ ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।