ଛତ୍ରପୁର/ଗଞ୍ଜାମ,୦୭/୦୪: ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁରେ ଘଟିଛି ଅଘଟଣ । ଗୋଟିଏ ପରିବାରର ମା, ଝିଅ ଏବଂ ପୁଅର ମୃତ୍ୟୁ ହୋଇଛି । ବ୍ରହ୍ମପୁର ବଡ଼ ମେଡିକାଲରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଏସ ମାମି ରେଡି (୪୫) ମାଆ, ଏସ ରାକେଶ ରେଡି (୨୩) ପୁଅ, ଏସ ମୀନା ରେଡି (୧୬) ଝିଅ ବୋଲି ଜଣାପଡିଛି । ସମସ୍ତେ ବିଷ ପିଇଥିବା ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ପୂର୍ବରୁ ସ୍ୱାମୀ ରବି ରେଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ପୁଅ ଆଇ ଟି ଆଇ କରିଥିବା ବେଳେ ଝିଅଟି +୨ ପଢୁଛି । ରବିବାର ସନ୍ଧ୍ୟାରେ ପରିବାରଙ୍କ ଘରକୁ ସେହି ଗାଁର ଜଣେ ବ୍ୟକ୍ତି ଆଜି ମଜୁରୀ ଖଟିବା ପାଇଁ କହିବାକୁ ଯାଇଥିଲା । କବାଟ ଖୋଲି ଦେଖିଲା ବେଳକୁ ସମସ୍ତଙ୍କ ପାଟିରୁ ଫେଣ ବାହାରୁଥିଲା ଏବଂ ଆଚେତ ଅବସ୍ଥାରେ ପଡ଼ି ରହିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଲା ପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ମାଆ, ପୁଅ ଏବଂ ଝିଅଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।