ନୂଆଦିଲ୍ଲୀ,୦୧/୦୭: ଆଜିଠୁ ଦେଶରେ ୩ ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ । ଯାହାଫଳରେ ଭାରତୀୟ ଅପରାଧ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଔପନିବେଶିକ ଶାସନ କାଳରୁ ଦେଶରେ ପ୍ରଚଳିତ ଫୌଜଦାରୀ ଆଇନର ଅନ୍ତ ଘଟିଛି । ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ଭାରତୀୟ ପିଙ୍ଗଳ କୋଡ, ଫୌଜଦାରୀ ଦଣ୍ଡବିଧି ଆଇନ ଏବଂ ଭାରତୀୟ ସାକ୍ଷ୍ୟ ଆଇନ ଇତିହାସ ପାଲଟିଲା । ଏହା ସ୍ଥାନରେ କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।
ନୂଆ ଫୌଜଦାରୀ ଆଇନରେ ଆଧୁନିକ ନ୍ୟାୟ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଛି । ଏଥିରେ ଜିରୋ ଏଫଆଇଆର, ଅନ୍ଲାଇନ ଯୋଗେ ପୁଲିସରେ ଅଭିଯୋଗ, ଇଲେକ୍ଟ୍ରୋନିକ ମୋଡ ଯଥା ଏସ୍ଏମ୍ଏସ୍ରେ ସମନ ଏବଂ ଜଘନ୍ୟ ଅପରାଧରେ ଘଟଣାସ୍ଥଳର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯାଇଛି । ଅପରାଧ କ୍ଷେତ୍ରରେ ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଆଇନରେ ଦଣ୍ଡ ବିଧାନକୁ ଅଗ୍ରାଧିକାର ଦିଆଯାଇଥିଲା। କିନ୍ତୁ ନୂଆ ଆଇନରେ ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦିଆଯାଇଛି । ଏହି ନୂଆ ଆଇନ ଭାରତୀୟଙ୍କ ଦ୍ୱାରା, ଭାରତୀୟଙ୍କ ପାଇଁ ଓ ଭାରତୀୟ ସଂସଦରେ ଅଣାଯାଇଛି ଏବଂ ଏହା ଔପନିବେଶିକ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଅନ୍ତ ଘଟାଇବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସଂସଦରେ କହିଥିଲେ । ଏଥିସହ ନୂଆ ଆଇନର ଶରୀର, ଆତ୍ମା ଓ ଚେତନା ମଧ୍ୟ ଭାରତୀୟ ବୋଲି ସେ କହିଥିଲେ ।
ନୂଆ ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ ଏବଂ ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ ହେବ ।
ବଳାତ୍କାର ପୀଡିତାଙ୍କ ବୟାନ ତାଙ୍କ ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୁଲିସ ଅଫିସର ନେବେ ଏବଂ ୭ ଦିନ ଭିତରେ ମେଡିକାଲ ରିପୋର୍ଟ ପ୍ରଦାନ କରିବେ ।
ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ କରାଯାଇଛି । ରାଜଦ୍ରୋହ ଶବ୍ଦକୁ ହଟାଯାଇ ତା ସ୍ଥାନରେ ଦେଶଦ୍ରୋହକୁ ସାମିଲ କରାଯାଇଛି । ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯାଇଛି ।
ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧରେ ଏକ ନୂଆ ଚାପ୍ଟର ଯୋଡାଯାଇଛି । ଶିଶୁଙ୍କ କିଣାବିକାକୁ ଜଘନ୍ୟ ଅପରାଧ ଭାବେ ବିବେଚନା କରାଯିବ ଏବଂ ନାବାଳିକା ବଳାତ୍କାର କ୍ଷେତ୍ରରେ ଆଜୀବନ ଜେଲ୍ କିମ୍ବା ମୃତ୍ୟୁଦଣ୍ଡ ମିଳିବ ।
ମହିଳା, ଶିଶୁ, ହତ୍ୟା ଓ ଦେଶ ବିରୋଧୀ ଅପରାଧର ମୁକାବିଲା ପାଇଁ ନୂଆ ଆଇନରେ ଅଗ୍ରାଧିକାର ଦିଆଯାଇଛି ।
ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ତାଙ୍କୁ ଛାଡି ପଳାଇବା ଭଳି ଘଟଣାର ମୁକାବିଲା କରିବା ଲାଗି ନୂଆ ଆଇନରେ ପ୍ରାବଧାନ ରଖାଯାଇଛି ।
ନୂଆ ଆଇନରେ ଗିରଫ ହେବା ପରେ ଜଣେ ବ୍ୟକ୍ତି ତାଙ୍କର ପରିବାର କିମ୍ବା ସମ୍ପର୍କୀୟଙ୍କୁ ନିଜର ସ୍ଥିତି ସମ୍ପର୍କରେ ଜଣାଇବାର ଅଧିକାର ରଖାଯାଇଛି । ଫଳରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ସମର୍ଥନ ବା ସହାୟତା ମିଳିପାରିବ ।
ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ସମ୍ପୃକ୍ତ ଥାନା କିମ୍ବା ପୁଲିସ ମୁଖ୍ୟାଳୟରେ ରଖାଯିବ, ଯାହାଫଳରେ ତାଙ୍କ ପରିବାର ଲୋକମାନେ ସହଜରେ ସୂଚନା ପାଇପାରିବେ ।
ସେହିଭଳି ନୂଆ ଆଇନରେ କୌଣସି ବ୍ୟକ୍ତି ଥାନାରେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଏଫଆଇଆର ଦାୟର କରିପାରିବେ । ଯାହାକି ପୁଲିସକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ ।
ନୂଆ ଆଇନରେ ଜିରୋ ଏଫଆଇଆର ପ୍ରାବଧାନ ରହିଛି । ଅର୍ଥାତ ଅପରାଧ ଯେଉଁଠି ଘଟିଲେ ମଧ୍ୟ ପୀଡିତ ଚାହିଁଲେ ଯେକୌଣସି ଥାନାରେ ଏଫଆଇଆର ଦାଖଲ କରିପାରିବେ । ଅଭିଯୁକ୍ତ କିମ୍ବା ପୀଡିତଙ୍କୁ ୧୪ ଦିନ ଭିତରେ ଏଫଆଇଆର, ପୁଲିସ ରିପୋର୍ଟ, ଚାର୍ଜସିଟ୍, ବୟାନ, ସ୍ୱୀକାରୋକ୍ତି କିମ୍ବା ଅନ୍ୟାନ୍ୟ ଦସ୍ତାବିଜର ଏକ ମାଗଣା କପି ମଧ୍ୟ ଯୋଗାଇ ଦିଆଯିବ ।
ଗମ୍ଭୀର ଅପରାଧ କ୍ଷେତ୍ରରେ ମଜଭୁତ ପ୍ରମାଣ ଯୋଗାଡ କରିବା ଉଦ୍ଦେଶ୍ୟରେ ଫରେନସିକ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ । ତଦନ୍ତ ଓ ପ୍ରମାଣ ସଂଗ୍ରହର ଭିଡିଓଗ୍ରାଫି କରାଯିବ ।
ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ ୨ ମାସ ଭିତରେ ସାରିବାକୁ ହେବ । ୯୦ ଦିନ ଭିତରେ ପୀଡିତଙ୍କୁ ମାମଲା ଅଗ୍ରଗତି ସମ୍ପର୍କରେ ତଥ୍ୟ ଦେବାକୁ ପଡିବ ।
ଅପରାଧର ଶିକାର ହୋଇଥିବା ମହିଳା ଓ ପିଲାଙ୍କୁ ସବୁ ହସ୍ପିଟାଲରେ ମାଗଣା ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଯାହାଫଳରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ପୀଡିତ ଠିକ୍ ହୋଇପାରିବେ ।
ସବୁ ରାଜ୍ୟ ସରକାର ସାକ୍ଷୀଙ୍କ ସୁରକ୍ଷା ଓ ସହାୟତା ଲାଗି ସାକ୍ଷୀ ସୁରକ୍ଷା କାର୍ଯ୍ୟକ୍ରମ ଲାଗୁ କରିବେ । ବଳାତ୍କାର ପୀଡିତାଙ୍କୁ ଅଡିଓ-ଭିଡିଓ ମାଧ୍ୟମରେ ପୁଲିସ ନିକଟରେ ନିଜର ବୟାନ ରେକର୍ଡ କରାଇବାର ଅନୁମତି ମିଳିବ ।
ନୂଆ ଆଇନରେ ଛୋଟମୋଟ ଅପରାଧ ପାଇଁ ଗୋଷ୍ଠୀସେବାକୁ ସାମିଲ କରାଯାଇଛି । ଯାହାଫଳରେ ଅପରାଧୀ ସମାଜରେ ସକାରାତ୍ମକ ଯୋଗଦାନ ଦେଇ ନିଜର ଭୁଲ ସୁଧାରିବା ଦିଗରେ କାମ କରିବେ ।
ଶୁଣାଣିରେ ବିଳମ୍ବକୁ ରୋକିବା ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ କୋର୍ଟ କୌଣସି ମାମଲାର ଶୁଣାଣିକୁ ସର୍ବାଧିକ ୨ ଥର ସ୍ଥଗିତ ରଖିପାରିବେ ।
ପୀଡିତ ମହିଳାଙ୍କୁ କୋର୍ଟରେ ମହିଳା ମାଜିଷ୍ଟ୍ରେଟ ଶୁଣାଣି କରିବେ । ଅଥବା ସମ୍ବେଦନଶୀଳ ମାମଲାରେ ମହିଳାଙ୍କ ଉପସ୍ଥିତିରେ ପୁରୁଷ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନିଜର ବୟାନ ରେକର୍ଡ କରାଇପାରିବେ ।
୧୫ ବର୍ଷରୁ କମ୍ ତଥା ୬୦ ବର୍ଷରୁ ଅଧିକ ଏବଂ ଦିବ୍ୟାଙ୍ଗ ଓ ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିମାନଙ୍କୁ ଥାନାକୁ ଆସିବାକୁ ପଡିବ ନାହିଁ । ସେମାନଙ୍କୁ ନିଜ ବାସଭବନରେ ପୁଲିସ ସହାୟତା ଯୋଗାଇ ଦିଆଯିବାର ପ୍ରାବଧାନ ନୂଆ ଆଇନରେ ରହିଛି ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୩ ନୂଆ ଅପରାଧ ଆଇନକୁ ଗତବର୍ଷ ଡିସେମ୍ବର ୧୨ ତାରିଖରେ ସଂସଦରେ ଆଗତ କରିଥିଲେ । ଏହା ଡିସେମ୍ବର ୨୦ରେ ଲୋକସଭା ଓ ପରଦିନ ଅର୍ଥାତ ଡିସେମ୍ବର ୨୧ରେ ରାଜ୍ୟସଭାରେ ଅନୁମୋଦନଲାଭ କରିଥିଲା । ଡିସେମ୍ବର ୨୫ରେ ରାଷ୍ଟ୍ରପତି ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ । କିନ୍ତୁ ତାକୁ କାର୍ଯ୍ୟକାରୀ କରିବାର ତାରିଖ ୨୦୨୪ ଜୁଲାଇ ୧କୁ ଧାର୍ଯ୍ୟ କରାଯାଇଥିଲା ।