ନୂଆଦିଲ୍ଲୀ,୧୪/୦୨: ଆମେରିକାରେ ଅବୈଧ ଭାବେ ରହୁଥିବା ଭାରତୀୟଙ୍କୁ ଧରି ସେଠାକାର ଦ୍ୱିତୀୟ ବିମାନ ଆସନ୍ତା ୧୫ରେ ଅମୃତସର ବିମାନବନ୍ଦରରେ ପହଞ୍ଚିବ । ଦ୍ୱିତୀୟ ଦଫାରେ ୧୭୦-୧୮୦ ଭାରତୀୟ ଆସିବେ ବୋଲି ଅନୁମାନ କରାଯାଇଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ଏହି ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବା ସହ ସେଠାରେ ୧-୩ ବର୍ଷ ହେଲା ରହିଆସୁଥିଲେ ।
ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅବୈଧ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପୂର୍ବରୁ ଗତ ୫ ତାରିଖରେ ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର ପ୍ରଥମ ବିମାନ ଅମୃତସର ଠାରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ୩୩ ଜଣ ହରିୟାଣା, ୩୩ ଜଣ ଗୁଜରାଟ, ୩୦ ଜଣ ପଞ୍ଜାବ, ୩ ଜଣ ମହାରାଷ୍ଟ୍ର, ୩ ଜଣ ଉତ୍ତରପ୍ରଦେଶ ଏବଂ ୨ ଜଣ ଚଣ୍ଡିଗଡର ଥିଲେ । ଆମେରିକାରେ ବହୁସଂଖ୍ୟକ ଭାରତୀୟ ବେଆଇନ ଭାବେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୮୭ ଜଣଙ୍କୁ ଧରାଯାଇଛି ଏବଂ ସେମାନଙ୍କୁ ଦେଶ ଛାଡିବାକୁ ନୋଟିସ କରଯାଇଛି । ତେବେ ଅବୈଧ ପ୍ରବାସୀଙ୍କୁ ଆଣି ଅମୃତସରରେ ଛଡାଯିବାକୁ ନେଇ ପଞ୍ଜାବ ସରକାର କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ଚିମା କହିଛନ୍ତି କି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଞ୍ଜାବକୁ ଅପମାନିତ କରିବାକୁ ଉଦ୍ୟମ କରୁଛନ୍ତି । ଅବୈଧ ଭାରତୀୟଙ୍କୁ ଧରି ଆସୁଥିବା ବିମାନ ହରିୟାଣା କିମ୍ବା ଗୁଜରାଟରେ କାହିଁକି ଅବତରଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।