ଭୁବନେଶ୍ୱର,୧୧/୦୬: ରାଜ୍ୟରେ ଆରମ୍ଭ ହେଲାଣି ଡେଙ୍ଗୁ ପ୍ରକୋପ । ବିଭିନ୍ନ ଜିଲ୍ଲାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ବର୍ତ୍ତମାନଠାରୁ ମଶା ବଂଶ ନିପାତ ନେଇ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଅଣାୟତ୍ତ ହେବ । ଏବେ ଡେଙ୍ଗୁ ପାଇଁ ସତର୍କ ଘଣ୍ଟି ବାଜିଛି । ଚଳିତ ବର୍ଷ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଡେଙ୍ଗୁ ରୋଗୀ । ଗତକାଲି ରାଜଧାନୀରୁ ଜଣେ ଚିହ୍ନଟ ହୋଇଥିଲା ବେଳେ ପୁରୀରୁ ୨ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷରେ ଖୋର୍ଦ୍ଧା ଜିଲ୍ଲା ସବୁବେଳେ ଡେଙ୍ଗୁ ରୋଗୀଙ୍କ ହବ୍ରେ ପରିଣତ ହୋଇଥାଏ । ଭୁବନେଶ୍ୱର ଗଳିକନ୍ଦିରେ ଡେଙ୍ଗୁ ମଶାଙ୍କ ଉତ୍ପାତ ବଢ଼ିଥାଏ । ଯଦି ବର୍ତ୍ତମାନଠାରୁ ଡେଙ୍ଗୁ ନିପାତ ନେଇ ପଦକ୍ଷେପ ନ ନିଆଯିବ, ତାହେଲେ ପରିସ୍ଥିତି ଅଣାୟତ୍ତ ହେବ ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ୨୩୫ ଡେଙ୍ଗୁ ରୋଗୀଙ୍କ ଚିହ୍ନଟ ହୋଇଛନ୍ତି । ସେଥିରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଅଛନ୍ତି । କଟକରୁ ୧୯ ଜଣ ଥିଲା ବେଳେ ମାଲକାନଗିରିରୁ ୧୭ ଓ ପୁରୀରୁ ୧୩ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୧୦୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।
ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କାହାର ଡେଙ୍ଗୁରେ ପ୍ରାଣ ଯାଇନି । ସହରରେ ଡେଙ୍ଗୁ ଅଧିକ ହେଉଥିବାରୁ ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଉଛି । ଡେଙ୍ଗୁ ନେଇ ସତର୍କ, ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ ସିଡିଏମ୍ଓଙ୍କୁ କୁହାଯାଇଛି । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାଗୁଡ଼ିକୁ ଆଲର୍ଟ ସୂଚନା ଜାରି କରାଯାଇଛି । ପ୍ଲେଟ୍ଲେଟ୍ ଉପଲବ୍ଧ କରିବାକୁ କୁହାଯାଇଛି । ଏ ନେଇ ହସ୍ପିଟାଲ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।
ଅନ୍ୟପଟରେ ୨୦୨୨ରେ ରାଜ୍ୟରେ ୬,୫୬୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ୨୦୨୩ରେ ୭,୦୬୩ ଜଣ ଚିହ୍ନଟ ହୋଇଥିଲେ । ଗତବର୍ଷ ଦେଶରେ ୩୧ ଜୁଲାଇ ସୁଦ୍ଧା ୩୧,୪୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କେରଳରେ ସର୍ବାଧିକ ୬,୬୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଅରୁଣାଚଳ ପ୍ରଦେଶରେ ୨ ରୋଗୀ ଚିହ୍ନଟ ହୋଇଥିଲେ । ଜାତୀୟସ୍ତରରେ ଓଡ଼ିଶାରେ ଡେଙ୍ଗୁ ପ୍ରକୋପ କମ ରହିଥିଲା । ଡେଙ୍ଗୁ ଚିହ୍ନଟରେ ଦେଶରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ଥିଲା।