ପୁରୀ,୨୩/୦୪ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣଙ୍କ ସମେତ ପାଞ୍ଚ ମହାଦେବ ନରେନ୍ଦ୍ର ଜଳରେ ନୌବିହାର କରିବେ । ୩୦ ତାରିଖରେ ଯାତ୍ରା ଶୁଭାରମ୍ଭକୁ ମଝିରେ ରହିଗଲା ମାତ୍ର ୬ ଦିନ । ଏଣୁ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକମାନେ କାର୍ଯ୍ୟ ଅନୁକୂଳ କରିଛନ୍ତି । ଏଥିସହ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପନ୍ତି ଛାମୁଣ୍ଡିଆ ନିର୍ମାଣ କରାଯାଉଛି । ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁ ୧୭ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି ସହ ନନ୍ଦା ଭଦ୍ରା ଡ଼ଙ୍ଗାଦ୍ୱୟ ପାଇଁ ଧଳା ଓ ନାଲି ଚାପମଣ୍ଡଳୀ ତିଆରି ହେଉଛି । ୨ଟି ଡ଼ଙ୍ଗା ପାଇଁ ୮ଗୋଟି ବାଙ୍କ ତିଆରି ହେଉଛି । ୨ଗୋଟି ପାଲିଙ୍କି ପାଇଁ ଚାଳି ତିଆରି ହେବ । ୧୩ ଗୋଟି ଚାନ୍ଦୁଆ ନରେନ୍ଦ୍ର ପରିସରରେ ଲାଗିବ । ତରାସ, ପତାକା, କଳା ଓ ଧଳା ଛତି, ଓଲାର ଓ ଖଣ୍ଡା ଓ ଛୁରିର ସାଜ୍ଜ ତିଆରି ହେବ । ପାଳିଆ ସେବକ ଛୁରି ଓ ଖଣ୍ଡା ଧରି ଠାକୁରଙ୍କ ସହ ଯାତ୍ରା କରିବେ । ସୁନା ବିଞ୍ଛଣା, ଅଳଙ୍କାର ମୁଣି, ପାନ ବଟୁଆ ଆଦିର ସାଜ୍ଜ ତିଆରି ହେବ ।
ସେପଟେ ନରେନ୍ଦ୍ର ପରିସରରେ ମଧ୍ୟ ଚନ୍ଦନଯାତ୍ରା ପ୍ରସ୍ତୁତି ଚାଲିଛି । ଠାକୁରଙ୍କ ନୌବିହାର ପାଇଁ ଚାପ ମରାମତି କରାଯାଉଛି । ପରେ ଚାପ ତିଆରି ସରି ରଙ୍ଗ ଦିଆଯାଇ କନାମଣ୍ଡଣୀ କରାଯିବ । ନରେନ୍ଦ୍ର ପରିସର ରଙ୍ଗ ଚାଲିଛି । ଏପଟେ ଠାକୁରଙ୍କ ଯାତ୍ରା ପଥରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ନିର୍ମାଣ ହେଉଛି ପନ୍ତି ଛାମୁଣ୍ଡିଆ । ଲୁହା ପାଇପ୍ରେ ପନ୍ତି ଛାମୁଣ୍ଡିଆର ଫ୍ରେମ୍ ପ୍ରସ୍ତୁତ ହୋଇଛି । ପରେ ଛାମୁଣ୍ଡିଆରେ ବିଭିନ୍ନ ଫଳ ଓ କୋଳି ଆଦି ଝୁଲାଯିବ । ଏସବୁ କାହିଁ କେଉଁ କାଳର ପରମ୍ପରା । ଠାକୁରଙ୍କ କାର୍ଯ୍ୟ ଯାଥାବିଧି ସମ୍ପନ୍ନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତିର ସଂଯୋଜନା କରାଯାଉଛି । ବାହାର ଚନ୍ଦନ ଯାତ୍ରା ସରିଲେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ୨୧ ଦିନିଆ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।
ଏହି ଖବରଟିକୁ ପଢନ୍ତୁ-ଏପ୍ରିଲରେ ରେକର୍ଡ ଭାଙ୍ଗିଲା ତାତି, ୨୭ରୁ ତ୍ରାହି