ଆନନ୍ଦପୁର,୦୨/୦୧: ଶିକାର କରିବା ପାଇଁ ସଂରକ୍ଷିତ ଜଙ୍ଗଲରେ ପଶିଥିବା ୨ ଶିକାରୀ ଗିରଫ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଫାସ ଜବତ କରାଯାଇଛି । ଅଭିଯୁକ୍ତମାନେ ସ୍ଥାନୀୟ ନୁଆମାଳିଆ ଗାଁର ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବନ୍ୟପ୍ରାଣୀ ବନଖଣ୍ଡ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ରାତି ଅଧରେ ବିନା ଅନୁମତିରେ ପ୍ରବେଶ କରି ଘୁରି ବୁଲୁଥିଲେ ଦୁଇ ଜଣ ଯୁବକ । ସେମାନଙ୍କୁ କାବୁ କରିଥିଲା ପେଟ୍ରୋଲିଂ ଟିମ୍ । ଏଥି ସହିତ ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଗୋଟିଏ ଜନ୍ତୁ ଶିକାରରେ ବ୍ୟବହାର ହେଉଥିବା ଫାସ ଜବତ କରାଯାଇଥିଲା । ଉଭୟଙ୍କୁ ଅଟକ ରଖି ଜେରା କରିବାରୁ ସେମାନେ ହରିଣ ଶିକାର ପାଇଁ ଜଙ୍ଗଲ ଭିତରେ ପଶିଥିବା ଜଣା ପଡିବା ପରେ ଗିରଫ କରିଛି ବନ ବିଭାଗ । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆନନ୍ଦପୁର ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।