ସଂପ୍ରତି ଦେଖାଯାଉଛି ଅଧିକାଂଶ ମାତାପିତା ସତେ ଯେମିତି ଏକ ସନ୍ତାନ ବ୍ରତ ପାଳନ କରୁଛନ୍ତି। ସେମାନଙ୍କର ଗୋଟିଏ କିମ୍ବା ଅତି ବେଶିରେ ଦୁଇଟି ସନ୍ତାନ । ତିନୋଟି ସନ୍ତାନ ଥିଲେ ଦୁଇ ନମ୍ବର ସନ୍ତାନକୁ ମଝିଆଁ ବୋଲି କୁହାଯାଏ । ଏହି ମଝିଆଁ ପୁଅ ବା ଝିଅଙ୍କୁ ସାହିପଡ଼ିଶାରେ ଚିଡ଼ାଉଥିବା ଢଙ୍ଗରେ ଶୁଣିବାକୁ ମିଳୁଥିଲା ‘ବଡ଼ ବାପାଙ୍କର, ସାନ ମାଆଙ୍କର, ମଝିଆଁ ନୁହେଁ କାହାର’ । ବାରମ୍ବାର ଏପରି ଥଟ୍ଟା, ତାତ୍ସଲ୍ୟ ଅନେକ ମଝିଆଁ ପୁଅ ବା ଝିଅଙ୍କ ମନକୁ ବିଭ୍ରାନ୍ତ କରିଥିବା ନଜରକୁ ଆସେ। ସେମାନେ କାନ୍ଦିବା, ଚିଡ଼ିବା, ଯଥେଷ୍ଟ ସ୍ନେହ ଶ୍ରଦ୍ଧା ଊଣା ହେବାର ପ୍ରମାଣ ଦେଇ ଏହି ଆପ୍ତବାକ୍ୟକୁ ସିଦ୍ଧ କରିବାକୁ ଚେଷ୍ଟା କରିଥାନ୍ତି। ଏହାଦ୍ୱାରା ଝଗଡ଼ା ହୁଏ ନାହିଁ, ବରଂ ମାତାପିତାଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ ହୁଏ । ଏମିତି କଥା କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖାଯାଏ। ବିଦେଶୀ ମଝିଆଁ ସନ୍ତାନ କହନ୍ତି “I am not neglected just under appreciated” ତେବେ ତିନିରୁ ଅଧିକ ସନ୍ତାନ ଥିଲେ ମଝିଆଁଙ୍କ ସଂଖ୍ୟା ବଢ଼ିଯାଏ। ଯେମିତିକି ବଡ ମଝିଆଁ, ମଝିଆଁ, ସାନ ମଝିଆଁ ଆଦି କହନ୍ତି । ତେବେ ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍ଙ୍କ ମତରେ ଜନ୍ମଧାରାକୁ ନେଇ ଶିଶୁର ବିକାଶ ପ୍ରଭାବିତ ହୁଏ । ପ୍ରଥମ ଜନ୍ମ ପରେ କେତେକ ସନ୍ତାନଙ୍କ ଦକ୍ଷତା ପ୍ରଭାବିତ ହୁଏ ବୋଲି ଦାବି କରାଯାଏ। ଏହାକୁ ମଝିଆଁ ଶିଶୁ ସିଣ୍ଡ୍ରମ କୁହାଯାଏ । କିନ୍ତୁ ଔପଚାରିକ ଦୃଷ୍ଟିକୋଣରୁ ଏହାକୁ ସ୍ୱୀକୃତି ମିଳିନାହିଁ। ଏହା ସହିତ ଅନେକ ଗବେଷକ ଆଲଫ୍ରେଡ୍ ଅଡିଲେରଙ୍କ ସିଦ୍ଧାନ୍ତ ସହିତ ଏକମତ ନୁହନ୍ତି । ସେହିପରି ମଝିଆଁ ଶିଶୁ ସିଣ୍ଡ୍ରମ ବା ମଝିଆଁ ଶିଶୁ ଲକ୍ଷଣକୁ ଡାକ୍ତରୀ ପ୍ରମାଣ ମିଳିନାହିଁ । ଏହାର ନିଦାନିକ ସିଦ୍ଧାନ୍ତ ନାହିଁ ବା ଏହା ବିଶୃଙ୍ଖଳିତ ପ୍ରକ୍ରିୟା ନୁହେଁ।
କ୍ରମିକ ଧାରା ଅନୁସାରେ ପ୍ରଦତ୍ତ ସେବା ବଡ଼ଠାରୁ ସାନକୁ ବା ସାନଠାରୁ ବଡ଼କୁ ଆସିବା ଅବହେଳା, ଅଣଦେଖା ନୁହେଁ । ପ୍ରଥମ ସନ୍ତାନର ଜନ୍ମ ଓ ବୟସକୁ ନେଇ ମାତାପିତାଙ୍କୁ ଅଧିକ ଦାୟିତ୍ୱ ଅର୍ପଣ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା । ସବୁଠାରୁ ସାନ ସନ୍ତାନର ଲାଳନପାଳନ ବେଳେ ଶାରୀରିକ, ମାନସିକ ଅଭିବୃଦ୍ଧି ନିମନ୍ତେ ଅଧିକ ଧ୍ୟାନ ଦେବା ମଧ୍ୟ ଏକ ଆବଶ୍ୟକତା । ଯାହା ବଡ଼ ଓ ମଝିଆଁ କ୍ଷେତ୍ରରେ ଘଟି ସାରିଥାଏ ଏବଂ ସାନ ସନ୍ତାନ ପ୍ରତି ଯତ୍ନ ଘଟଣାରେ ବଡ଼ ଦୁହେଁ ସାକ୍ଷୀ ପାଲଟି ଯାଇଥାନ୍ତି । ଏ କ୍ଷେତ୍ରରେ ମଝିଆଁ ଅପରିପକ୍ୱ ଥିବା ବେଳେ ଏ ଦୃଶ୍ୟକୁ ନେଇ ମନ ଭିତରେ ଅନେକ ପ୍ରଶ୍ନ ଆସିବା ଏକ ଚିରାଚରିତ ପ୍ରକ୍ରିୟା ବୋଲି କୁହାଯାଇପାରେ । ଏହାକୁ ମନସ୍ତାତ୍ତ୍ୱିକ ଢଙ୍ଗରେ ଗୁରୁତ୍ୱ ନଦେବା ବା ସମାଧାନ ନ କରିବାର ପରିଣାମ ସ୍ୱରୂପ ମଝିଆଁ ସନ୍ତାନର ମନରେ ସୃଷ୍ଟିହୁଏ ଅବହେଳା ଓ ଅସମାନ ହେଉଥିବାର ପ୍ରତିକ୍ରିୟା । ତେବେ ଆତ୍ମସମ୍ମାନ କ୍ଷେତ୍ରରେ ବଡ଼ ସନ୍ତାନକୁ ଅଧିକ ଗୁରୁତ୍ୱ ମିଳେ । କାରଣ ପାରିବାରିକ ଚଳଣି ପ୍ରକ୍ରିୟାରେ ବଡ଼ ପୁଅ ବା ଝିଅମାନଙ୍କୁ ସମ୍ମାନ, ଗୁରୁତ୍ୱ ଏକ ପ୍ରଥା ଓ ସମ୍ବିଧାନ । ଏହାକୁ ନେଇ ପରିବାର ଆଗକୁ ବଢ଼େ । ସେମାନେ ନେତୃତ୍ୱ ନେଇ ଅନ୍ୟମାନଙ୍କ ସହଯୋଗରେ କାମ କରନ୍ତି । ଏଣୁ ବଡ଼ର ଆତ୍ମସମ୍ମାନ ଓ ସାନ ପ୍ରତି ସ୍ନେହର ସାକ୍ଷୀ ହୋଇଯାଆନ୍ତି ମଝିଆଁ । ଏହି ଧରାବନ୍ଧାର ଧାରାକୁ ନେଇ ମଝିଆଁ ଶିଶୁ ଅବହେଳିତ ବୋଲି ଧରିନିଅନ୍ତି । ତେବେ ଏହାକୁ ମଝିଆଁ ସନ୍ତାନ ସିଣ୍ଡ୍ରମ୍ କୁହାଯାଇ ନପାରେ।
ସାଧାରଣତଃ ଭାରତରେ ଭାଇ ପାଇଁ ଭାଇ ଓ ମାତାପିତାଙ୍କ ଦୃଷ୍ଟିରେ ସବୁ ସନ୍ତାନ ସମାନ। ତେବେ ସେମାନଙ୍କ ସେବାରେ ଖିଅ ଦେଖିବା ଆମ ପରମ୍ପରାର ବିରୋଧୀ । ମନରେ ଆସୁଥିବା କିନ୍ତୁର ଯେ ସତ୍ୟତା ରହିଛି ତାହା ଅନସ୍ୱୀକାର୍ଯ୍ୟ। ଭିନ୍ନ ଭିନ୍ନ ପରିସ୍ଥିତିରେ ଘଟଣାକୁ ନେଇ ବିଚାର କରାଯାଇପାରେ । ଏହି ସିଣ୍ଡ୍ରମକୁ ଆମେରିକାନ ମନସ୍ତତ୍ତ୍ୱବିତ୍ ସଂଘ ଏକ ପ୍ରାକ୍କଳ୍ପିତ ପରିସ୍ଥିତି ବୋଲି କହନ୍ତି । ଯେଉଁଠି ଏ ପର୍ଯ୍ୟନ୍ତ ଅଧ୍ୟୟନ ଦ୍ୱାରା ନିଶ୍ଚିତ ହୋଇନାହିଁକି ମଝିରେ ଜନ୍ମ ହୋଇଥିବା ସନ୍ତାନଙ୍କ ବ୍ୟକ୍ତିତ୍ୱ ଉପରେ ବହୁତ ଅଧିକ ପ୍ରଭାବ ପକାଇଥାଏ ବା ମାନସିକ ସ୍ୱାସ୍ଥ୍ୟ ସ୍ଥିତି ବିକଶିତ ହୁଏନାହିଁ । ତେବେ ସର୍ବେକ୍ଷଣରୁ ଜଣାଯାଏ ଯଦି ମଝିଆଁ ମନରେ ଉପେକ୍ଷା, ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ବ୍ୟବହାର ବା ଧ୍ୟାନ ଆକର୍ଷିତ କରିବାର ଭାବନା ବୃଦ୍ଧି ପାଇବା ପରେ ଏଥିପ୍ରତି ଧ୍ୟାନ ନ ଦିଆଯାଏ ତେବେ ତାହା ବୟସ୍କ ହେବା ପର୍ଯ୍ୟନ୍ତ ଜାରି ରହେ । ଗବେଷଣାରୁ ଜଣାଯାଏ ଯେ ଶିଶୁର ଜନ୍ମକ୍ରମ, ମାନସିକ ସ୍ୱାସ୍ଥ୍ୟ, ବ୍ୟବହାର, ବୌଦ୍ଧିକତା ଏବଂ ନିଜ ମାତାପିତାଙ୍କ ସହିତ କେତେ ନିକଟତର ଅନୁଭବ କରୁଛନ୍ତି ତାହା ସେମାନଙ୍କ ମନକୁ ପ୍ରଭାବିତ କରିଥାଏ। ମଝିଆଁମାନେ ପ୍ରାୟତଃ ନିଜ ଉପରେ ଭରସା ରଖନ୍ତି ଓ ସ୍ୱାଧୀନ ଅନୁଭବ କରନ୍ତି । ସାନ ଭାଇଭଉଣୀଙ୍କର ଅଧିକ ନିକଟତର ହୋଇଥାନ୍ତି । ବେଳେବେଳେ ଅଣଦେଖା ବା ଅବହେଳିତ ବୋଲି ଭାବିଥାନ୍ତି । କିନ୍ତୁ ବାସ୍ତବରେ ତାହା ନୁହେଁ । ଏଣୁ ଅଧୈର୍ଯ୍ୟ ହୋଇନପଡ଼ି ପରିସ୍ଥିତିର କାରଣ ଓ ନିରୀକ୍ଷଣ କଲେ ବାସ୍ତବତାକୁ ଉପଲବ୍ଧି କରିହେବ । ତେବେ ଜନ୍ମ କ୍ରମରେ ବୟସ, ମାନସିକତା, ଶାରୀରିକ ଗଠନକୁ ନେଇ ସକାରାତ୍ମକ ବା ନକାରାତ୍ମକ ଭାବନା ସୃଷ୍ଟି ହେବା ସ୍ୱଭାବିକ ।
ଏଥିପାଇଁ ମାତାପିତାଙ୍କ ସାବଧାନତା ତଥା ସମଭାବାପନ୍ନ ମନୋଭାବକୁ ନେଇ ମଝିଆଁମାନଙ୍କ ସହିତ ସମୟ କାଟିବା, ଅତ୍ମସମ୍ମାନ ବୃଦ୍ଧି କରିବା, ଉତ୍ସାହିତ କରିବା, ସ୍ନେହ, ଶ୍ରଦ୍ଧା, ସେବା ପ୍ରଦାନ ଜାରି ରହିବା ଦ୍ୱାରା ନକାରାତ୍ମକ ଲକ୍ଷଣକୁ ଦୂରେଇ ଦେଇହେବ । ମାତାପିତା ଓ ସନ୍ତାନଙ୍କ ମଧ୍ୟରେ କଥାବାର୍ତ୍ତା ଏହାର ସରଳ ସମାଧାନ । କୌଣସି ଆଲୋଚନା, ଆଳାପ, ମନର କଥା ଜରିଆରେ ମଝିଆଁ ମନର ଜଟିଳତାକୁ ଦୂର କରାଯାଇ ପାରିବ । ଭାଇ ଭାଇଙ୍କ ମଧ୍ୟରେ ସୁସମ୍ପର୍କ ଏହାକୁ ଅଧିକ ସରସ କରିବ । ଲୋକେ ତ କହନ୍ତି ପାରିବାରିକ ବନ୍ଧନ ଦୃଢ଼ ଥିଲେ ତାହାକୁ ଫିଟାଇବା ଭାରି କଠିନ । ମଝିଆଁ ହେଉଛନ୍ତି ନା ସାନ ନା ବଡ଼ । ସେଥିପାଇଁ ସମସ୍ତଙ୍କ ନଜରରେ ଆଦରର ସନ୍ତାନ । ଆଦରର ସନ୍ତାନକୁ କିଏ ଥଟ୍ଟା କରନ୍ତି ତ ଆଉ କିଏ ଗେହ୍ଲା । ବାସ୍ତବରେ ମଝିଆଁ ଭାରି ବଢ଼ିଆ । କିନ୍ତୁ ବିଡ଼ମ୍ବନା, ଏବେକାର ପିଢି ମଝିଆଁର ସଂପର୍କକୁ ଆଉ ଅନୁଭବ କରିପାରୁ ନାହାନ୍ତି । କାରଣ ସାଂପ୍ରତିକ ପିଢ଼ିରେ ମଝିଆଁ ବିଲୁପ୍ତ ପ୍ରାୟ ।