ଲକ୍ଷ୍ନୌ ୨୩/୧୨: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲା ଚନ୍ଦୌସି ସହର ଅନ୍ତର୍ଗତ ଲକ୍ଷ୍ମଣଗଞ୍ଜରେ ଚାଲିଥିବା ଜବରଦଖଲ ଉଚ୍ଛେଦ ବେଳେ ୧୫୦ ବର୍ଷ ତଳର ଏକ ଟନେଲ ଓ ଏକ ପ୍ରାଚୀନ କୂଅ ଠାବ କରାଯାଇଛି । କୂଅର ଆକାର ପ୍ରାୟ ୪୦୦ ବର୍ଗ ମିଟର ଏବଂ ଏହା ମଧ୍ୟକୁ ଯିବା ଲାଗି ପାହାଚ କରାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟ ରାଜା ବିଲାରିଙ୍କ ଅଜା ଏହି କୂଅ ନିର୍ମାଣ କରିଥିଲେ । ଏହା ୩ ସ୍ତର ବିଶିଷ୍ଟ । ଉପର ସ୍ତର ଇଟାରେ ତିଆରି ହୋଇଥିଲା ବେଳେ ଭିତର ଦୁଇ ସ୍ତର ମାର୍ବଲରେ ପ୍ରସ୍ତୁତ କରାଯାଇଛି । ସେହିଭଳି ଠାବ ହୋଇଥିବା ଟନେଲଟି ନିକଟସ୍ଥ ବାଙ୍କେବିହାରୀ ମନ୍ଦିରକୁ ସଂଯୋଗ କରୁଥିବାର ଅନୁମାନ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ୧୮୫୭ ସିପାହୀ ବିଦ୍ରୋହ ବେଳେ ଏହି ଟନେଲ ଖୋଳାଯାଇଥିଲା । ଇଂରେଜଙ୍କ କବଳରୁ ସୁରକ୍ଷିତ ରହିବା ଲାଗି ବିଦ୍ରୋହୀମାନେ ଏହି ଟନେଲକୁ ବ୍ୟବହାର କରୁଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ପେନସିୟାଙ୍କ ସୂଚନା ଅନୁସାରେ ବାଙ୍କେବିହାରୀ ମନ୍ଦିରର ନବୀକରଣ କରାଯିବା ସହ ସେଠାରେ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରାଯିବ । ମନ୍ଦିର ନିକଟରୁ ଅଳ୍ପ ଦୂରରେ ଏହି କୂଅ ଓ ଟନେଲ ରହିଛି।