ବାଙ୍ଗିରିପୋଷି,୨୬ା୩(ଆ.ପ୍ର): କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଳକର ଲୋକେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଶେଷ ଭାବେ ବାଙ୍ଗରିପୋଷି ଓ ବିଶୋଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତେବେ ସମ୍ପୂର୍ଣ୍ଣ ଏକ୍ସନ୍ ମୋଡରେ ସହାୟତା ପ୍ରଦାନ ପାଇଁ ଲାଗି ପଡିଛନ୍ତି ଉଭୟ ପ୍ରଶାସନ ଓ ରାଜ୍ୟ ସରକାର । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତ ୨୩ ତାରିଖ ଦିନିକିଆ ଜିଲ୍ଲା ଗସ୍ତରେ ଆସି ବାଙ୍ଗରିପୋଷି ଓ ବିଶୋଇ ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନ ପରିବାରକୁ ତ୍ୱରିତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ସୁଦ୍ଧା ବାଙ୍ଗରିପୋଷି ଓ ବିଶୋଇ ବ୍ଲକର କ୍ଷତିଗ୍ରସ୍ତ ମାନଙ୍କୁ ମୋଟ ୧୦କୋଟି ୬ ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଈଶ୍ୱରଚନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଓ ବିଶୋଇ ବ୍ଲକରେ କାଳବୈଶାଖୀ ତାଣ୍ଡବରେ ବିଶୋଇ ବ୍ଲକର ୨ଟି ଓ ବାଙ୍ଗରିପୋଷି ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତକୁ ମିଶାଇ ମୋଟ ୧୪ଟି ପଞ୍ଚାୟତର ୫୨ଟି ଗ୍ରାମ ଅନ୍ତର୍ଗତ ୧୪୩୨୬ ଲୋକ ପ୍ରଭାବିତ ହୋଇଛନ୍ତି । ୨୪ଟି ରିଲିଫ କ୍ୟାମ୍ପରେ ୫ ଦିନ ଧରି ୨୪୩୫୩ ଲୋକଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଓ ସକାଳେ ଚୂଡାଗୁଡ ପ୍ରଦାନ କରାଯାଇଛି । ସେହିପରି ଶିଶୁମାନଙ୍କ ପାଇଁ ବେବି ଫୁଡ୍ ପ୍ରଦାନ କରା ଯାଉଥିବା ବେଳେ ୧୫ଟି ମେଡିକାଲ ଟିମ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ପ୍ରଶାସନ ପକ୍ଷରୁ ମୋଟ ୧୧୪୧୫ଟି ପଲିଥିନ ବଣ୍ଟନ କରାଯାଇଛି । ପ୍ରାଥମିକ ସର୍ଭେ ଅନୁଯାୟୀ ଉଭୟ ବ୍ଲକର ୧୩୬୦ କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ, ୧୨ଟି ଅର୍ଦ୍ଧ ଭଗ୍ନ ଓ ୨୦୧୭୨ଟି ଘର ଆଂଶିକ ଭାବେ ଭାଙ୍ଗିଥିବା ସୂଚନା ମିଳିଛି । ୫୫୨ଟି ଗୁହାଳ ଘର ଭାଙ୍ଗିଛି । ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଘର ପିଛା ୧ଲକ୍ଷ ୨୦ହଜାର ଓ ବାସନକୁସନ ଏବଂ ଲୁଗାପଟା ପାଇଁ ୨୫୦୦ଟଙ୍କା ଲେଖାଏଁ ମୋଟ ୫୦୦୦, ଅର୍ଦ୍ଧଭଗ୍ନ ୧୨ଟି ଘରକୁ ୧ ଲକ୍ଷ ୨୦ହଜାର, ଆଂଶିକ ପକ୍କା ଘର ଭାଙ୍ଗିଥିବା ପରିବାରକୁ ୬୫୦୦ ଓ କଚ୍ଚା ଘରକୁ ୪୦୦୦, ଗୁହାଳ ଘରକୁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି ।
ବୁଧବାର ଅପରାହ୍ନ ସୁଦ୍ଧା ବାଙ୍ଗରିପୋଷି ବ୍ଲକରେ ମୋଟ ୭୬୧ ଜଣଙ୍କୁ ୩୯ ଲକ୍ଷ ୯୦ ହଜାର ଟଙ୍କା ଓ ବିଶୋଇ ବ୍ଲକରେ ୭୫୫ ଜଣଙ୍କୁ ୯କୋଟି ୬୬ ଲକ୍ଷ ୪୦ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ସେହିପରି ଦୁଇଟି ବ୍ଲକରେ ୩୩ ପ୍ରତିଶତରୁ ଊଦ୍ଧ୍ୱର୍ ୨୮୫ ହେକ୍ଟର ଫସଲ ନଷ୍ଟ ହୋଇଛି । ଫସଲ କ୍ଷୟକ୍ଷତି ନିମେନ୍ତ ୯ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗର କ୍ଷୟକ୍ଷତି ପାଇଁ ୨୬ ଲକ୍ଷ ୨୩ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ସରକାରୀ ଜାଗାରେ ଘର କରିଥିବା ପରିବାରକୁ ସହାୟତା ଯୋଗାଇ ଦେବାରେ ବାଧା ଉପୁଜିଛି । ସ୍ଥାୟୀ ଠିକଣା କିମ୍ବା ଜମିପଟ୍ଟା ନ ଥିବାରୁ ପ୍ରଭାବିତ ପରିବାରକୁ ସରକାରୀ ସହାୟତା ଯୋଗାଇବାରେ ପ୍ରଶାସନ ଅଡୁଆରେ ପଡିଛି । ବିପନ୍ନ ପରିବାରକୁ ପୁନର୍ବାର ଥଇଥାନ ହେବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି । ସେହିପରି ବିଭିନ୍ନ ତହସିଲର ରାଜସ୍ୱ ନୀରିକ୍ଷକ, ଅମିନ ଓ କର୍ମଚାରୀ ମାନଙ୍କୁ ନେଇ ଟିମ ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି । ଖୁବଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ମିଳିବ ବୋଲି ପ୍ରଶାସନ ସୂଚନା ଦେଇଛି ।