ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚାଷୀଙ୍କ ପାଇଁ ବଡ଼ ଘୋଷଣା, ପ୍ରାକୃତିକ ଚାଷକୁ ଫୋକସ୍‌

ନୂଆଦିଲ୍ଲୀ, ୨୪/୦୭ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏଥିରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ବଜେଟ୍‌ରେ ଚାଷକାର୍ଯ୍ୟ କରୁଥିବା କୃଷକଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟ ନିମନ୍ତେ ୧.୫୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଘୋଷଣା ହୋଇଛି । ନିର୍ବାଚନ ପୂର୍ବରୁ ଆଗତ ହୋଇଥିବା ଅନ୍ତରୀଣ ବଜେଟ୍‌ରେ କୃଷି କ୍ଷେତ୍ର ଲାଗି ୧.୪୭ ଲକ୍ଷ କୋଟି ଟଙ୍କାର ବଜେଟ୍‌ ରଖାଯାଇଥିଲା । ଗତବର୍ଷର ୧.୨୫ ଲକ୍ଷ କୋଟି ଟଙ୍କା ତୁଳନାରେ ଏଥର କୃଷି ବଜେଟ୍‌ ୨୧.୬% ବା ୨୭ ହଜାର କୋଟି ଟଙ୍କା ବଢ଼ିଛି । ବଜେଟ୍‌ ଆଗତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏହି ସାଧାରଣ ବଜେଟ୍‌ ଅମୃତ କାଳ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏହା ୫ ବର୍ଷ ନିମନ୍ତେ ଆମ ଯାତ୍ରା ସ୍ଥିର କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ନିମନ୍ତେ ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ । ବଜେଟ୍‌ରେ ଅର୍ଥମନ୍ତ୍ରୀ ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ଫୋକସ୍‌ କରିଛନ୍ତି । ସେମାନେ ଯେମିତି ନିଜ ପରିଶ୍ରମର ମୂଲ୍ୟ ପାଇବେ, ସେଥିପାଇଁ ଚେଷ୍ଟା କରାଯାଇଛି ।

ପ୍ରାକୃତିକ ଚାଷକୁ ଫୋକସ୍‌ 

କୋଟିଏ ଚାଷୀଙ୍କୁ ପ୍ରସ୍ତୁତ କରାଯିବ ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶବ୍ୟାପୀ ୧ କୋଟି ଚାଷୀଙ୍କୁ ପ୍ରମାଣନ ଏବଂ ବ୍ରାଣ୍ଡିଙ୍ଗ୍‌ ଜରିଆରେ ନାଚୁରାଲ୍‌ ଫାର୍ମିଂ ବା ପ୍ରାକୃତିକ ଚାଷ ସହ ସାମିଲ କରାଯିବ । ଗ୍ରାମପଞ୍ଚାୟତ ଓ ବୈଜ୍ଞାନିକ ପ୍ରତିଷ୍ଠାନ ଜରିଆରେ ଏହା କାର୍ଯ୍ୟକାରୀ ହେବ । ୧୦ ହଜାର ଆବଶ୍ୟକଭିତ୍ତିକ ବାୟୋ-ଇନ୍‌ପୁଟ୍‌ ରିସୋର୍ସ ସେଣ୍ଟର ସ୍ଥାପନ କରାଯିବ।

ଜାରି ହେବ ନୂଆ କିଷାନ କ୍ରେଡିଟ୍‌ କାର୍ଡ 

ଚାଷୀଙ୍କ ସହାୟତା ଲାଗି ୫ଟି ରାଜ୍ୟରେ ନୂଆ କିଷାନ କ୍ରେଡିଟ୍‌ କାର୍ଡ ଜାରି କରାଯିବ । ନାବାର୍ଡ ଜରିଆରେ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ । ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଫୋକସ୍‌ କରାଯିବ । ଚାଷୀଙ୍କ ଉତ୍ପାଦକତାକୁ ପରିବର୍ତ୍ତିତ ପାଣିପାଗ ସ୍ଥିତିରୁ ସୁରକ୍ଷା ଯୋଗାଇବା ଲାଗି ଉଦ୍ୟମ କରାଯିବ ।

ଫସଲ ଅମଳ ବଢ଼ିବ , କାଟୁ କରିବନି ଜଳବାୟୁ 

କେନ୍ଦ୍ର ବଜେଟ୍‌ରେ ଚାଷୀଙ୍କ ଅମଳ ବଢ଼ାଇବା ଉପରେ ଧ୍ୟାନ ଦିଆଯାଇଛି । ବିଶେଷକରି ଜଳବାୟୁର ପ୍ରଭାବ ଯେମିତି ଚାଷ ଉପରେ ନ ପଡ଼ିବ, ସେଥିପାଇଁ ନୂଆ କିସମ ଆଣିବା ଲାଗି ଯୋଜନା କରାଯିବ । ୩୨ଟି ଉଚ୍ଚ ଅମଳକ୍ଷମ ଫସଲ ଉପରେ ଫୋକସ୍‌ ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ । ସେହିଭଳି ଜଳବାୟୁ ଦ୍ୱାରା ପ୍ରଭାବିତ ହେଉ ନ ଥିବା ୧୦୯ ନୂଆ କିସମ ଅଣାଯିବ । ଏହି ଜଳବାୟୁ ଅନୁକୂଳ ଫସଲ କରି ଚାଷୀମାନେ ସେମାନଙ୍କ ଅଣ୍ଟା ସଳଖି ପାରିବେ । ପାରମ୍ପରିକ ଫସଲ ଅମଳ ଉପରେ ଚାଷୀମାନେ ନିର୍ଭର କରି ବେଳେବେଳେ ଜଳବାୟୁ ଜନିତ ପ୍ରଭାବରେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏଥିରୁ ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ଚେଷ୍ଟା କରାଯାଇଛି । 

ଏମ୍‌ଏସ୍‌ପି ନେଇ ଘୋଷଣା ହେଲାନି 

ବଜେଟ୍‌ ୨୦୨୪-୨୫ରେ ଚାଷୀଙ୍କର ସବୁଠୁ ବଡ଼ ଦାବି କୁହାଯାଉଥିବା ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ବାବଦରେ କୌଣସି ଘୋଷଣା ହୋଇନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ୧ ମାସ ପୂର୍ବେ ପ୍ରାୟ ସମସ୍ତ ପ୍ରମୁଖ ଫସଲ ଉପରେ ବର୍ଦ୍ଧିତ ଏମ୍‌ଏସ୍‌ପି ଘୋଷଣା କରିଥିଲେ । ବଜେଟ୍‌ରେ ଚାଷୀଙ୍କୁ ମିଳୁଥିବା ସମ୍ମାନ ନିଧିରେ ବି କୌଣସି ପ୍ରକାର ବୃଦ୍ଧି କରାଯାଇ ନାହିଁ । 

୫ ବର୍ଷ ବଢ଼ିଛି ଗରିବ କଲ୍ୟାଣ ଅନ୍ନ ଯୋଜନା 

ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମକୁ ପୃଥକ୍‌ ଜାତି, ଗରିବ, ମହିଳା, ଯୁବଗୋଷ୍ଠୀ ଏବଂ ଚାଷୀଙ୍କ ଉପରେ ଧ୍ୟାନ ରଖିବାକୁ ହେବ । ଚାଷୀଙ୍କ ଲାଗି ଆମେ ସମସ୍ତ ପ୍ରମୁଖ ଫସଲ ନିମନ୍ତେ ବର୍ଦ୍ଧିତ ଏମ୍‌ଏସ୍‌ପି ଘୋଷଣା କରିଥିଲୁ । ଯାହା ଚାଷ କାର୍ଯ୍ୟ ଖର୍ଚ୍ଚର ୫୦% ଭରଣା କରିପାରିବ । ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ନିମନ୍ତେ ବଢ଼ାଯାଇଛି । ଏହାଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କୁ ଫାଇଦା ମିଳୁଛି । ଏଥର ଝିଙ୍ଗା ଚିଙ୍ଗୁଡ଼ି ଉତ୍ପାଦନ ଓ ରପ୍ତାନି ଉପରେ ଗୁରୁତ୍ୱ ଦିଆଯିବ । ଝିଙ୍ଗା ଚାଷ ଓ ରପ୍ତାନି ଲାଗି ନାବାର୍ଡ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । 

ଡାଲି ଓ ତୈଳବୀଜରେ ଆତ୍ମନିର୍ଭରତା 

ଡାଲି ଓ ତୈଳବୀଜରେ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ଲାଗି ଏମାନଙ୍କ ଉତ୍ପାଦନ, ଭଣ୍ଡାରଣ ଏବଂ ବିପଣନକୁ ସୁଦୃଢ଼ କରାଯିବ । ଅନ୍ତରୀଣ ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ ସୋରିଷ, ଚିନାବାଦାମ, ରାଶି, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ଭଳି ତୈଳବୀଜ ଉତ୍ପାଦନକୁ ବଢ଼ାଇବା ସକାଶେ ରଣନୀତି ପ୍ରସ୍ତୁତ କରାଯିବ । 

ସୁଦୃଢ଼ ହେବ ପରିବା ଯୋଗାଣ ଶୃଙ୍ଖଳ 

ପନିପରିବାର ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ପାଇଁ ଚାଷୀ-ଉତ୍ପାଦନକାରୀ ସଙ୍ଗଠନ, ସମବାୟ ସମିତି ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ । ଏମାନଙ୍କ ସଂଗ୍ରହଣ, ଭଣ୍ଡାରଣ ଓ ବିପଣନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟଗୁଡ଼ିକ ସହ ସହଯୋଗିତା ସ୍ଥାପନ କରାଯାଇ ସରକାର ୩ ବର୍ଷରେ ଚାଷୀ ଓ ସେମାନଙ୍କ ଜମିକୁ ସୁରକ୍ଷିତ ରଖିବା ସକାଶେ ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଡିପିଆଇ) ପ୍ରସ୍ତୁତ ଲାଗି କାମ କରିବେ । ୬ କୋଟି ଚାଷୀ ଓ ସେମାନଙ୍କ ଜମିର ବିବରଣୀକୁ ରେଜିଷ୍ଟ୍ରିଭୁକ୍ତ କରାଯିବ । ଏହାବ୍ୟତୀତ ଝିଙ୍ଗା ଚିଙ୍ଗୁଡ଼ି ଉତ୍ପାଦନକାରୀଙ୍କ ସହାୟତା ସକାଶେ ବ୍ରିଡିଙ୍ଗ୍‌ ସେଣ୍ଟରଗୁଡ଼ିକର ନେଟ୍‌ୱର୍କ ବନାଇବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

କୃଷି ଅଭିବୃଦ୍ଧି ପାଇଁ...

  • ଦେଶର ୪୦୦ ଜିଲ୍ଲାରେ ଖରିଫ ଫସଲର ଡିଜିଟାଲ ସର୍ବେକ୍ଷଣ ହେବ
  •  ୫ ରାଜ୍ୟରେ ଜନ ସମର୍ଥ ଆଧାରିତ କିଷାନ କ୍ରେଡିଟ୍‌ କାର୍ଡ ଜାରି କରାଯିବ
  •  ରୋଜଗାର ସୃଷ୍ଟିକୁ ଗତିଶୀଳ କରାଇବା ଲକ୍ଷ୍ୟରେ ରାଷ୍ଟ୍ରୀୟ ସମବାୟ ନୀତି ପ୍ରସ୍ତୁତ କରାଯିବ
  •  ପ୍ରାକୃତିକ ଚାଷ ନିମନ୍ତେ ୧ କୋଟି ଚାଷୀଙ୍କୁ ସହଯୋଗ ଯୋଗାଇ ଦିଆଯିବ
  •  ୧୦ ହଜାର ଜୈବ-ଇନ୍‌ପୁଟ୍‌ ସଂସାଧନ କେନ୍ଦ୍ର ସ୍ଥାପିତ କରାଯିବ
  •  ଝିଙ୍ଗା ଚିଙ୍ଗୁଡ଼ି ବ୍ରୁଡ୍‌ଷ୍ଟକ୍‌ ନିମନ୍ତେ କେନ୍ଦ୍ରୀକୃତ ପ୍ରଜନନ କେନ୍ଦ୍ରଗୁଡ଼ିକର ନେଟ୍‌ୱର୍କ ସ୍ଥାପନ ଲାଗି
  •  ବିତ୍ତୀୟ ସହଯୋଗ ଉପଲବ୍ଧ କରାଯିବ
  •  ଚାଷୀଙ୍କ ପାଇଁ ୩୨ କୃଷି ଓ ଉଦ୍ୟାନ କୃଷି ଫସଲର ୧୦୯ ଉଚ୍ଚ ଉତ୍ପାଦନକ୍ଷମ ଓ ଜଳବାୟୁ
  •  ଅନୁକୂଳ କିସମ ଜାରି କରାଯିବ
  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.