କୋଲକାତା,୧୩/୦୪: ନୂଆ ଆଇନ୍ ୱାକଫ୍ ବିରୋଧରେ ଅଶାନ୍ତ ରହିଛି ପଶ୍ଚିମବଙ୍ଗ । ମୁର୍ଶିଦାବାଦରେ ୱାକଫ୍ ଆକ୍ଟକୁ ନେଇ ପ୍ରବଳ ହିଂସା ଦେଖିବାକୁ ମିଳିଛି । ୩ ଦିନ ହେବ ଜଳୁଛି ମୁର୍ଶିଦାବାଦ । ମାମଲା କୋର୍ଟରେ ପହଞ୍ଚିଛି । ଏହାରି ଭିତରେ ବରହାମପୁର ଆସନରୁ ଟିଏମ୍ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ସମାଲୋଚନା କରିଛି ବିଜେପି ।
ରାଜ୍ୟରେ ଜାରି ରହିଥିବା ହିଂସା ଭିତରେ ଟିଏମ୍ସି ସାଂସଦ ୟୁସୁଫ ପଠାନ୍ଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ହଙ୍ଗାମା ହୋଇଛି । ପୋଷ୍ଟରେ ଦେଖିବାକୁ ମିଳିଛି ସାଂସଦ ୟୁସୁଫ ପଠାନ ଚା' ପିଉଛନ୍ତି । କ୍ୟାପସନ୍ରେ ଲେଖିଛନ୍ତି ଆରମଦାୟକ ଦ୍ୱିପ୍ରହର, ଭଲ ଚା' ଏବଂ ଶାନ୍ତ ବାତାବରଣ । କେବଳ ଏହି ସମୟର ଆନନ୍ଦ ନେବାକୁ ଚାହୁଁଛି ।''
ସାଂସଦ ୟୁସୁଫ ପଠାନଙ୍କର ଏହି ପୋଷ୍ଟକୁ ନେଇ ବିଜେପି ସମାଲୋଚନା କରିଛି । ବଙ୍ଗ ରାଜନୀତି ସରଗରମ ହୋଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶେହଜାଦ ପୁନାୱାଲା କଟାକ୍ଷ କରି କହିଛନ୍ତି, ''ପଶ୍ଚିମବଙ୍ଗ ଜଳୁଛି । ହାଇକୋର୍ଟ କହିଛନ୍ତି ସେ ଆଖି ବନ୍ଦ କରିପାରିବେ ନାହିଁ । କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ରାଜ୍ୟରେ ଜାରି ଥିବା ହିଂସା ଏକ ଷଡଯନ୍ତ୍ର । ସିଏମ୍ ମମତା ବାନାର୍ଜୀ ଏହାକୁ ପ୍ରସୟ ଦେଉଛନ୍ତି । ବଙ୍ଗ ପୋଲିସ ଚୁପ ରହିଛି । ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବା ଭିତରେ ସାଂସଦ ୟୁସୁଫ ପଠାନ୍ ଚା' ଚୁସକୀ ନେଉଛନ୍ତି । ଏହା ହେଉଛି ତୃଣମୂଳ କଂଗ୍ରେସର ସତ ।''
ଅଧିକ ପଢନ୍ତୁ...ମୁର୍ଶିଦାବାଦରେ ୱାକଫ୍ ବିରୋଧୀ ହିଂସା ; ୧୫୦ ଗିରଫ, ଇଣ୍ଟରନେଟ୍ ସେବା ଠପ୍
ଉଲ୍ଲେଖ୍ୟନୀୟ, ନୂଆ ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଏପ୍ରିଲ ୧୦ରୁ ହିଂସା ଜାରି ରହିଛି । ରାଜ୍ୟର ମୁର୍ଶିଦାବାଦ, ମାଲଦା, ଦକ୍ଷିଣ ଚବିଶ ପରଗନା ଓ ହୁଗଲି ଜିଲ୍ଲାରେ ହିଂସା ହୋଇଛି । ବିକ୍ଷୋଭ ପ୍ରଦର୍ଶନକାରୀମାନେ ଯାନବାହାନରେ ନିଆଁ ଲାଗାଇ ଦେବା ସହିତ ପୋଲିସ ଉପରକୁ ପଥରମାଡ କରିଥିଲେ । ମୁର୍ଶିଦାବାଦରେ ବାପା-ପୁଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୫୦ଜଣ ଗିରଫ ହୋଇଛନ୍ତି । ଇଣ୍ଟରନେଟ ସେବା ଠପ୍ ହୋଇଛି । ସେପଟେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରି ଜରୁରୀ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।