ବ୍ରହ୍ମପୁର,୧୫।୧୦ : ପୁଣି ଅଶାନ୍ତ ବ୍ରହ୍ମପୁର। ବଡବଜାର ଥାନା ଅଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି। ଗୁରୁତର ଅବସ୍ଥାରେ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବଡବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଅଜିତ ନାୟକ(୩୧) ।
ଅଜିତ ସେହି ଅଞ୍ଚଳରେ ଏକ କବାଡି ଦୋକାନ କରିଛନ୍ତି । କୌଣସି କାରଣକୁ ନେଇ ସେହି ଅଞ୍ଚଳର କିଛି ଯୁବକ ସହ ତାଙ୍କର ପୂର୍ବରୁ ଶତ୍ରୁତା ରହିଥିଲା । କିଛି ଦିନ ତଳେ ଅଜିତ ଜେଲରୁ ଫେରିଥିଲେ । ଆଜି ସନ୍ଧ୍ୟାରେ ସେ କେଉଟ ସାହି ରାସ୍ତା ଦେଇ ରଙ୍କୁଣିବନ୍ଧ ଛକ ଆଡକୁ ଯାଉଥିବା ବେଳେ ୩ ଜଣ ଯୁବକ ହାତରେ ଖଣ୍ଡା ଧରି ହଠାତ ସେଠାରେ ପହଞ୍ଚିବା ସହ ଆକ୍ରମଣ କରିଥିଲେ । ଅଜିତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବା ପରେ ସେ ତଳେ ପଡିଯାଇଥିଲେ । ତାଙ୍କ ଗୋଟିଏ ହାତରୁ ପାପୁଲି ଛିଣ୍ଡି ଯାଇଥିଲା । ରକ୍ତାକ୍ତ ହୋଇ ତଳେ ପଡିଯିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।