ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମନ୍ଦିରରେ ବିଶ୍ୱର ପ୍ରଥମ ଏଆଇ ଦେବୀ,ମାଲେସିଆର ତିଆନହୋଉ ମନ୍ଦିରରେ ଲାଗିଛି ଡିଜିଟାଲ ମାଜୁ ମୂର୍ତ୍ତ

Published By : Anindita Ratha | April 29, 2025 3:14 PM

ନୂଆଦିଲ୍ଲୀ,୨୯/୦୪:ମନ୍ଦିରରେ ବିଶ୍ୱର ପ୍ରଥମ ଏଆଇ ପରିଚାଳିତ ମାଜୁ ମୂର୍ତ୍ତି ଉନ୍ମୋଚିତ। ମାଲେସିଆର ଜୋହର ସ୍ଥିତ ତିଆନହୋଉ ମନ୍ଦିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।   ମାଲେସିଆର ଟେକ୍‌ କମ୍ପାନି ଏମାଜିନ୍‌ ଏହି ଡିଜିଟାଲ ଦେବୀ ମୂର୍ତ୍ତି ପ୍ରସ୍ତୁତ କରିଛି । ଡିଜିଟାଲ ଦେବୀଙ୍କ ସହିତ ଶ୍ରଦ୍ଧାଳୁ କଥାବାର୍ତ୍ତା ହୋଇପାରୁଛନ୍ତି । ସେମାନେ ଦେବୀଙ୍କଠୁ ଆଶୀର୍ବାଦ କାମନା କରୁଛନ୍ତି, ମାର୍ଗଦର୍ଶନ ଓ ଉପଦେଶ ମଧ୍ୟ ମାଗୁଛନ୍ତି । ମାଜୁଙ୍କ ୧,୦୬୫ତମ ଜନ୍ମଦିନ ପାଳନ ଅବସରରେ ଚଳିତ ମାସ ୨୦ ତାରିଖରେ ଏହି ଯୁଗାନ୍ତକାରୀ ଟେକ୍ନୋଲୋଜି ଉନ୍ମୋଚିତ ହୋଇଥିଲା । ଡିଜିଟାଲ ଦେବୀଙ୍କର ସାମର୍ଥ୍ୟ ଦେଖାଇବା ପାଇଁ ଏମାଜିନ୍‌ର ପ୍ରତିଷ୍ଠାତା ଶିନ୍‌ କଙ୍ଗ୍‌ ପରୀକ୍ଷା କରିବାକୁ ଯାଇ ନିଜ ଭାଗ୍ୟର ଉନ୍ନତି ଉପରେ ଏଆଇକୁ ଉପଦେଶ ମାଗିଥିଲେ । ଏହାର ଉତ୍ତରରେ ଏଆଇ ମୂର୍ତ୍ତି ତାଙ୍କର ଉତ୍ତମ ଭାଗ୍ୟ ପାଇଁ ନମ୍ର ଭାବେ ତାଙ୍କୁ ଘରେ ରହିବାକୁ ପ୍ରସ୍ତାବ ଦେଲା । ଆଉ ଏକ ଉଦାହରଣରେ, ଜଣେ ଇନ୍‌ଫ୍ଲୁଏନ୍ସର ଡିଜିଟାଲ ମୂର୍ତ୍ତି ମାଜୁଙ୍କୁ ନିଦ୍ରାହୀନତାର ସମାଧାନ ପଚାରିଲେ । 

ଶୋଇବା ପୂର୍ବରୁ ଉଷୁମ ପାଣି ପିଇବାକୁ ମାଜୁ ତାଙ୍କୁ ଉପଦେଶ ଦେଲେ । ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ ଅନୁସାରେ, ମାଜୁଙ୍କ ପ୍ରକୃତ ନାଁ ଲିନ୍‌ ମୋ । ୯୬୦ ମସିହାରେ ଚୀନ୍‌ର ଫୁଜିଆନ୍‌ ସ୍ଥିତ ମିଝୋ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ । ଏକ ଜାହାଜ ଭଗ୍ନାବଶେଷରୁ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା କାହାଣୀ ରହିଛି । କାହାଣୀ ଅନୁସାରେ, ଦେହାନ୍ତ ପରେ ମାଜୁ ସ୍ୱର୍ଗକୁ ଚାଲିଗଲେ ଏବଂ ନାବିକ ଓ ଧୀବରମାନଙ୍କର ରକ୍ଷାକର୍ତ୍ତ୍ରୀ ହେଲେ । ସମଗ୍ର ବିଶ୍ୱର ଚାଇନିଜ୍‌ ସମୁଦାୟ ମୁଖ୍ୟତଃ ମାଜୁଙ୍କୁ ପୂଜା କରନ୍ତି, ଖାସ୍‌କରି ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ ଭଳି ଦେଶରେ । ନିଜର ୱେବ୍‌ସାଇଟ୍‌ ମାଧ୍ୟମରେ ଏମାଜିନ୍‌ କହିଛି, ଆମର ଯୁଗାନ୍ତକାରୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜେନେରେଟେଡ୍‌ କଣ୍ଟେଣ୍ଟ୍‌ (ଏଆଇଜିସି) ଉତ୍ପାଦକତା ବୃଦ୍ଧି ପାଇଁ ଟେକ୍ନୋଲୋଜି ନିର୍ମାତା, ଉଦ୍ୟମୀ ଓ କଣ୍ଟେଣ୍ଟ୍‌ ପ୍ରଡ୍ୟୁସର୍‌ଙ୍କୁ ସଶକ୍ତ କରେ ଏବଂ ସୀମାହୀନ ସାମର୍ଥ୍ୟଗୁଡ଼ିକୁ ସହଜରେ ଉନ୍ମୋଚନ କରେ । ଟେକ୍‌ କମ୍ପାନିଠୁ ଆମେ ଅଧିକ । 

ଆମେ ଏଆଇ ସହିତ ମାନବ ସୃଜନଶୀଳତାକୁ ଯୋଡୁଥିବା ଜୋଶ୍‌ରେ ପରିପୂର୍ଣ୍ଣ ଏକ ଟିମ୍‌ । ବିଚାରକୁ ବାସ୍ତବତାରେ ରୂପାନ୍ତରିତ କରିବା ପାଇଁ ଆବଶ୍ୟକ ଉପକରଣ ଓ ସମର୍ଥନ ଆମେ ପ୍ରଦାନ କରୁ, ଯାହା ଉଦ୍ଭାବନର ଏକ ନୂଆ ଯୁଗ ସୃଷ୍ଟି କରିବ । ମଜାକଥା ହେଲା ଚୀନ୍‌ର ଅଭିନେତ୍ରୀ ଲିଉ ତାଓଙ୍କୁ କିଛି ଲୋକ ଘରେ ପୂଜା କରନ୍ତି । ସେମାନଙ୍କ ବିଶ୍ୱାସ ଯେ ଲିଉ ମାଜୁଙ୍କର ଜୀବିତ ସ୍ୱରୂପ । ୨୦୧୨ ମସିହାର ଏକ ଟିଭି ନାଟକରେ ମାଜୁ ଦେବୀଙ୍କ ଭୂମିକା ନିର୍ବାହ କରିବା ପରେ ଲିଉଙ୍କୁ ଲୋକେ ଦେବୀ ବୋଲି ବିଶ୍ୱାସ କଲେ । କେତେକ ସ୍ଥାନରେ ଲୋକେ ଲିଉ ତାଓଙ୍କର ପୂଜା ଓ ଆଶୀର୍ବାଦ ପାଇଁ ଘରେ ତାଙ୍କ ଫଟୋ ଟାଙ୍ଗିଛନ୍ତି । ମାଜୁ ଦେବୀଙ୍କ ପ୍ରତି ଲୋକଙ୍କର ଏତେ ସମ୍ମାନ ରହିଛି ଯେ ଉକ୍ତ ଅଞ୍ଚଳର ଅନେକ ଥାନାରେ ମାଜୁଙ୍କ ନାମରେ ଏକ କୋଠରୀର ନାମକରଣ କରାଯାଇଛି । ଏ ନେଇ ବିଶ୍ୱାସ ରହିଛି ଯେ ଅପରାଧୀ, ଖାସ୍‌କରି ଫୁଜିଆନ୍‌ର ଅପରାଧୀମାନେ ମାଜୁଙ୍କ ଆଗରେ ମିଛ କହିପାରିବେ ନାହିଁ । ତିଆନହୋଉ ମନ୍ଦିରରେ ସ୍ଥାପିତ ଏଆଇ ମାଜୁ ମୂର୍ତ୍ତି ମାଣ୍ଡାରିନ୍‌ ଓ ଅନ୍ୟ ଭାଷାରେ ପ୍ରଶ୍ନ ପଚାରୁଥିବା କିମ୍ବା ଆଶୀର୍ବାଦ କାମନା କରୁଥିବା ଲୋକଙ୍କ ଭାଷା ବୁଝି ତାଙ୍କୁ ଉତ୍ତର ଦେଉଛି । କାହାଣୀ, ପାରମ୍ପରିକ ପୁସ୍ତକ ଏବଂ ମାଜୁଙ୍କ ବିଷୟରେ ଶିକ୍ଷାକୁ ପ୍ରୟୋଗ କରି ଏହି ଏଆଇ ସିଷ୍ଟମ୍‌କୁ ତାଲିମ ଦିଆଯାଇଛି । ଯଦ୍ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଏହା ଦେଉଥିବା ଉତ୍ତର ସମ୍ମାନାସ୍ପଦ ଓ ପାରମ୍ପରିକ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.