ନୂଆଦିଲ୍ଲୀ,୨।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କୋର୍ଟ ଅବମାନନା ମାମଲାରେ ୬ ମାସର ଜେଲ୍ ଦଣ୍ଡ ଶୁଣାଯାଇଛି। ସ୍ଥାନୀୟ ମିଡିଆ ରିପୋର୍ଟରେ ଏହି କଥା ନେଇ ସୂଚନା ସାମନାକୁ ଆସିଛି। ‘ଦ ଢାକା ଟ୍ରିବ୍ୟୁନ୍’ ର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଥିବା ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ-୧ର ତିନି ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ଶେଖ ହସିନାଙ୍କ ସହ ଟ୍ରିବ୍ୟୁନାଲର ଗେବାନ୍ଧାର ଗୋବିନ୍ଦଗଞ୍ଜର ଶକିଲ ଅକନ୍ଦ ବୁଲବୁଲଙ୍କୁ ମଧ୍ୟ ଏହି ଅବମାନନାର ରାୟ ଅନୁସାରେ ଦୁଇ ମାସର ଜେଲ୍ ସଜା ଶୁଣାଇଛନ୍ତି। ବୁଲବୁଲ ଢାକାର ଏକ ରାଜନୈତିକଳ ବ୍ୟକ୍ତିତ୍ବ ଓ ସେ ଆବାମୀ ଲିଗ୍ର ଛାତ୍ର ଶାଖା ବାଂଲାଦେଶର ଛାତ୍ର ଲିଗ୍ (ବିସିଏଲ୍) ସହ ଜଡିତ ଥିଲେ।
ଶେଖ ହସିନାଙ୍କ ବିରୋଧରେ ଅବମାନନା ମାମଲା ଗତ ବର୍ଷ ଅକ୍ଟୋବରରେ ଶକିଲ ଆକନ୍ଦ ବୁଲବୁଲଙ୍କ ସହ ତାଙ୍କର ହୋଇଥିବା ଏକ ଲିକ୍ ଫୋନ୍ କଲ୍କୁ ନେଇ ରହିଛି। ସେହି ଅଡିଓରେ, ହସିନା ଏହା କହୁଥିବାର ଶୁଣାଯାଉଥିଲା ଯେ, "ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ମୁଁ ୨୨୭ ଜଣଙ୍କୁ ହତ୍ୟା କରିବାର ଲାଇସେନ୍ସ ପାଇଛି।"
ରିପୋର୍ଟ ଅନୁଯାୟୀ, ସରକାରୀ ଓକିଲ ଯୁକ୍ତି ଦେଇଥିଲେ ଯେ ଏହି ବୟାନ ଅଦାଲତର ଅବମାନନା ସହିତ ନ୍ୟାୟିକ ପ୍ରକ୍ରିୟାକୁ ବିପଦରେ ପକାଇଥିଲା। ଦେଶରେ ହୋଇଥିବା ବିଶାଳ ବିଦ୍ରୋହ ସହିତ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା। ଏହା ପ୍ରଥମ ଥର ଯେତେବେଳେ ଗାଦିଚ୍ୟୁତ ହୋଇଥିବା ଆବାମୀ ଲିଗ୍ର ଲିଡର ଶେଖ୍ ହାସିନାଙ୍କୁ ବିରୋଧରେ କୌଣସି ମାମଲାରେ ସଜା ଶୁଣାଯାଇଛି। ଗତ ବର୍ଷ ଅଗଷ୍ଟ ୨୦୨୪ ରେ ହାସିନା ଗାଦିଚ୍ୟୁତ ହେବାପରେ ଭାରତ ପହଁଞ୍ଚିଥିଲେ। ସେବେଠାରୁ ସେ ଦିଲ୍ଲୀରେ ଅଛନ୍ତି।