ଢେଙ୍କାନାଳ,୧୪।୬: ଢେଙ୍କାନାଳ ଜିଲ୍ଲା ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ଘାଟର ସାରଙ୍ଗଧର ବ୍ରିଜ୍ ମରାମତି ବେଳେ ଅଘଟଣ ଘଟିଛି । ନଦୀକୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ନଦୀରୁ ମୃତଦେହ ଉଦ୍ଧାର କରିଛି । ମୃତ ଶ୍ରମିକ ଜଣଙ୍କ ବିହାର ମୁଟିଆରି ଜିଲ୍ଲା ଚାଉଥଲା ଥାନା ମହମଗଡା ଗାଁର ଦିଲ୍ଲିପ କୁମାର(୨୪ ବର୍ଷ) ।
ସୂଚନାନୁଯାୟୀ, ସାରଙ୍ଗଧର ବ୍ରିଜ୍ ବାଡ ଭାଙ୍ଗିଯାଇଥିବାରୁ ଶନିବାର ରାତିରେ ୫ ଜଣ ଶ୍ରମିକ ମରାମତି କାମ କରୁଥିଲେ। ବିଳମ୍ବିତ ରାତିରେ କାମ ସାରି ଫେରିବାକୁ ବାହାରିବା ବେଳେ ସାଥୀ ଶ୍ରମିକମାନେ ଦିଲ୍ଲିପଙ୍କୁ ପାଇନଥିଲେ। କେଉଁଆଡେ ଯାଇଥିବେ ଭାବି ଖୋଜାଖୋଜି କରିଥିଲେ। ଶେଷରେ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ପଡିଯାଇଥିବା ସନ୍ଦେହରେ ଖୋଜାଖୋଜି କରିଥିଲେ । ବ୍ରିଜ୍ ମୁଣ୍ଡରେ ଥିବା ଗଭୀର ପାଣିରୁ ମୃତଦେହ ଉଦ୍ଧାର କରାଯାଇଛି । ଦିଲ୍ଲିପ କିଭଳି ପାଣିରେ ପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଶବ ଜବତ କରି ତଦନ୍ତ କରୁଛି। ରବିବାର ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଛେଦ ହେବ ବୋଲି ଜଣାଯାଇଛି ।