ଭୁବନେଶ୍ୱର,୧୪/୦୬: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହଇଜା ବ୍ୟାପିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ମିଶ୍ର କହିଥିଲେ, ଦୁଇ ଜିଲ୍ଲାର ଯେଉଁସବୁ ସ୍ଥାନରେ ହଇଜା ବ୍ୟାପିଛି ସେଠାରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି । ଆକ୍ରାନ୍ତଙ୍କ ଠାରୁ ସଂଗ୍ରହ କରାଯାଇଥିବା ୪୧ଟି ଝାଡ଼ା ନମୁନା ମଧ୍ୟରୁ ୮ଟିରେ କଲେଜା ପଜିଟିଭ୍ (ଭିବ୍ରିଓ କଲେରା) ଚିହ୍ନଟ ହୋଇଛି । ସଂପୃକ୍ତ ଅଞ୍ଚଳରେ ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ,କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାୟ ୧ ହଜାରରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେବି ଚିକିତ୍ସାଧୀନ ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪୫ ଜଣ ଚିକିତ୍ସାଧୀନ ଅଛନ୍ତି ।