ସାଲେପୁର, ୧୪/୬ : ରଜରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଅନୁଆର ମହମ୍ମଦଙ୍କ ପତ୍ନୀ ତଇମୁନ ବିବି(୪୭ ବର୍ଷ)।
ସୂଚନାନୁଯାୟୀ, ଶନିବାର ସକାଳେ ବାରିଗୋଳ ଗ୍ରାମର ଅନୁଆର ମହମ୍ମଦଙ୍କ ଘର ଠାରୁ କିଛି ଦୂରରେ ଥିବା ଏକ ନିମ୍ଵ ଗଛରେ ତାଙ୍କ ପତ୍ନୀ ତଇମୁନ ବିବିଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଗ୍ରାମବାସୀ ସାଲେପୁର ପୁଲିସକୁ ଖବର ଦେଇଥିଲେ। ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ କଟକ ପଠାଇଛି। ଏହା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରୁ ତଦନ୍ତ ଚଳାଇଛି।
କିଛି ଦିନ ହେବ ପାରିବାରିକ ଅଶାନ୍ତି କାରଣରୁ ତଇମୁନଙ୍କ ମାନସିକ ସ୍ଥିତି ଠିକ ନଥିବା ବେଳେ ସେ ଆଜି ଏପରି କାଣ୍ଡ ଘଟାଇଥିବା କିଛି ଗ୍ରାମବାସୀ କହିଛନ୍ତି। ଆଜି ପହିଲି ରଜ ଥିବା ବେଳେ ଏଭଳି ଆତ୍ମହତ୍ୟା ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି।