ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ସାଢ଼େ ୩ ବର୍ଷ ପରେ ବି ହେଲାନି ସ୍ମୃତିସ୍ତମ୍ଭ, କେବେ ମିଳିବ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ?

ଭୁବନେଶ୍ୱର, ୦୮/୧୦ : ଭୟଙ୍କର କରୋନା ମହାମାରୀ ବେଳେ ପାଲଟିଥିଲେ ସୁରକ୍ଷା କବଚ। ସାମ୍ନାକୁ ଆସି ଲଢ଼ିଲେ, ଲୋକଙ୍କ ଜୀବନରକ୍ଷା କରିବାକୁ ଯାଇ ନିଜ ଜୀବନ ହାରିଲେ । ବିଡ଼ମ୍ବନା, ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ଭୁଲିଗଲେ ସରକାର । ତାଙ୍କ ପାଇଁ ସରକାରୀ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ପ୍ରତିଶ୍ରୁତି ମୁତାବକ ସାଢ଼େ ୩ ବର୍ଷ ପରେ ବି କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନରେ ନିର୍ମାଣ ହୋଇପାରିଲାନି ସ୍ମୃତିସ୍ତମ୍ଭ । 

ବର୍ତ୍ତମାନ କରୋନା ମହାମାରୀ ଆଉ ନାହିଁ । କିନ୍ତୁ, ସେ ସମୟ ମନେ ପଡ଼ିଗଲେ, ଡର ଲାଗେ । ପଦାକୁ ଗୋଡ଼ କାଢ଼ିବାକୁ ଡର ଲାଗୁଥିଲା । ଚାରିଆଡ଼େ ଗୋଡ଼ାଉଥିଲା ମୃତ୍ୟୁର ଭୟ । ସ୍ଥିତି ଏମିତି ଥିଲା ଯେ ଘରେ କାହାର କାଶ, ଛିଙ୍କ ହେଲେ ନିଜ ଆତ୍ମୀୟମାନେ ଦୂରତା ରକ୍ଷା କରୁଥିଲେ । ଏମିତି ଏକ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିଲେ କୋଭିଡ ଯୋଦ୍ଧା । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ, ସାମ୍ବାଦିକମାନେ ପାଲଟିଥିଲେ ସୁରକ୍ଷା କବଚ । ସମର୍ପଣର ସହ କର୍ତ୍ତବ୍ୟ ପାଳନ କରି ମହାମାରୀର ସେଇ ତାଣ୍ଡବ ଭିତରେ ନିଜ ଜୀବନକୁ ବାଜି ଲଗାଇଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲେ କୋଭିଡ୍‌ ଯୋଦ୍ଧାମାନେ । ଜୀବନ ହରାଇଥିବା ଶତାଧିକ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ସହ ସେମାନଙ୍କ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ବି ଦିଆଯାଇଥିଲା । 

୨୦୨୧ରେ ରାଜ୍ୟ ସରକାର ଘୋଷଣା କଲେ-କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ସମ୍ମାନ ଦିଆଯିବ । ସେମାନଙ୍କ ସ୍ମୃତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ରେ ସ୍ମାରକୀ ନିର୍ମାଣ ହେବ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଏ ନେଇ ଘୋଷଣା କରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ସ୍ମୃତିସ୍ତମ୍ଭରେ ଜୀବନ ହରାଇଥିବା ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କ ନାମ ରହିବ। ସେମାନଙ୍କ ବଳିଦାନକୁ ଓଡ଼ିଶା ମନେ ରଖିବ । ପିଢ଼ି ପରେ ପିଢ଼ି ଏହି ସ୍ମୃତିସ୍ତମ୍ଭ ଦେଖି କରୋନା ମହାମାରୀର ଭୟାବହତା କଥା ଜାଣିବେ । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ମନେ ରଖିବେ । ୨୦୨୧ ସ୍ୱାଧୀନତା ଦିବସରେ ଏହାକୁ ଉଦ୍‌ଘାଟନ କରିବା ଯୋଜନା ଥିଲା । ଏହାର ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏ ପ୍ରସ୍ତାବ କୁଆଡ଼େ ହଜିଗଲା । କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ଭୁଲିଗଲେ ସରକାର । କରୋନା ମହାମାରୀ ପଳାଇଲା । କରୋନା ସମୟରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ରକ୍ଷା କଲେ, ସେମାନଙ୍କ କଥା ସମସ୍ତେ ଭୁଲିଗଲେ । ସତେ ଯେମିତି ବଳିଦାନ ଦେଇଥିବା ସେଇ ଅମର ଆତ୍ମା ଆଜି ବି ଗୁମୁରି ଗୁମୁରି କାନ୍ଦୁଛନ୍ତି । କେବେ ସେମାନଙ୍କୁ ମିଳିବ ପ୍ରକୃତ ଯୋଦ୍ଧାର ସମ୍ମାନ? ଇତିମଧ୍ୟରେ ବିଭାଗୀୟ ଅଧିକାରୀ ବଦଳିଯାଇଛନ୍ତି । ସରକାର ବି ବଦଳିଯାଇଛି । ନୂଆ ସରକାର ଏମିତି ଏକ ଘୋଷଣା ବାବଦରେ ଜାଣିନାହାନ୍ତି । ହେଲେ କୋଭିଡ ଯୋଦ୍ଧାଙ୍କ ପରିବାରଙ୍କ ଆଶା, ଭରସା ନୂଆ ସରକାରଙ୍କ ଉପରେ ରହିଛି । ନୂଆ ସରକାର କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ନିଶ୍ଚିତ ସମ୍ମାନ ଦେବେ ବୋଲି ସେମାନଙ୍କ ଆଶା । 

କରୋନା ମହାମାରୀରେ ହଜାର ହଜାର ଜୀବନ ଯାଇଛି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୯୨୦୪ ଜୀବନ ନେଇଥିଲା କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାରରୁ ଅଧିକ ଥିଲା । ୩ କୋଟି ୩୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା । କରୋନା ପରୀକ୍ଷାରୁ ନେଇ ଚିକିତ୍ସା ଓ ଟିକାକରଣ ଯାଏଁ ସବୁ କିଛି ସମ୍ଭବ ହୋଇଥିଲା କୋଭିଡ ଯୋଦ୍ଧାଙ୍କ ପାଇଁ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଜୀବନକୁ ବାଜି ଲଗାଇଥିଲେ । ଅଧିକାରୀମାନେ ବି ରାତିଦିନ ଏକ କରି ଲାଗିଥିଲେ କାମରେ । କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଲକ୍‌ଡାଉନ, ସଟ୍‌ଡାଉନ ଆଦି କଟକଣାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ପୁଲିସ କର୍ମଚାରୀ । ସାମ୍ବାଦିକମାନେ ବି ଲୋକଙ୍କୁ ସଚେତନ କରିବାକୁ ଯାଇ ନିଜକୁ ବିପଦ ଭିତରକୁ ନେଇଯାଇଥିଲେ । ଏହି ଯୋଦ୍ଧାମାନଙ୍କ ବଳିଦାନକୁ କେବେ ସମ୍ମାନ ମିଳିବ? କେବେ ନିର୍ମାଣ ହେବ ସେ ସ୍ମୃତିସ୍ତମ୍ଭ, ତାହାର ଉତ୍ତର ଏବେ କାହାରି ପାଖରେ ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.