ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଉତ୍ପାଦନ ହେଉନି ଯଥେଷ୍ଟ ନଡ଼ିଆ: ଉପକୂଳ ଓଡ଼ିଶାରୁ ପର୍ଯ୍ୟାପ୍ତ ଆସୁନି, ସେଥିପାଇଁ ଦକ୍ଷିଣ ଭାରତ ସାହା

ଭୁବନେଶ୍ୱର,୦୮/୧୦: ଭୁବନେଶ୍ୱର ବଜାରରେ ଏବେ ନଡ଼ିଆ  ଗୋଟାକ ୪୦ରୁ ୫୦ ଟଙ୍କା । ୧  ନମ୍ବର ମାର୍କେଟରୁ ନେଇ ସିଆର୍‌ପି, ଖଣ୍ଡଗିରିରୁ ନେଇ ରସୁଲଗଡ଼ ସବୁଠି  ନଡ଼ିଆ ଦାମ୍‌ ଚଢ଼ା । ମୂଲଚାଲ ବି  ନାହିଁ । ଯାହା କହୁଛନ୍ତି, ସେତିକିରେ  କିଣିବାକୁ ବେପାରୀ ବାଧ୍ୟ କରୁଛନ୍ତି ।  ବର୍ତ୍ତମାନ ପୂଜା ସମୟରେ ଶ୍ରଦ୍ଧାଳୁମାନେ ଅଧିକ ନଡ଼ିଆ କିଣୁଛନ୍ତି । ହେଲେ  ଦର ଯାହା ନଡ଼ିଆ କିଣିବାକୁ ପ୍ରଥମେ  ଭାବିବାକୁ ପଡ଼ୁଛି । ଛୋଟ ନଡ଼ିଆ  ଖୋଜିଲେ ବି ମିଳୁନି । ଯାହାକୁ  ଦେଖିଲେ ସବୁ ମଧ୍ୟମ ନଚେତ୍‌ ବଡ଼  ଆକାରର । ଏବେ ରାଜଧାନୀରେ  ଯେଉଁ ନଡ଼ିଆ ବିକ୍ରି ହେଉଛି ତାହା  ଓଡ଼ିଶାର ନୁହେଁ, ଦକ୍ଷିଣ ଭାରତର  ତାମିଲନାଡ଼ୁ, କେରଳ ଓ ଆନ୍ଧ୍ରପ୍ରଦେଶରୁ  ଆସୁଛି । ସେଥିପାଇଁ ନଡ଼ିଆର ଦର ଉଚ୍ଚା ରହୁଥିବା କୁହାଯାଉଛି ।  

ବିଶେଷକରି ପୁରୀ ଜିଲ୍ଲା  ସାକ୍ଷୀଗୋପାଳ ଓ ଆଖପାଖ ଅଞ୍ଚଳରୁ  ୮୦ ପ୍ରତିଶତ ନଡ଼ିଆ ଭୁବନେଶ୍ୱର  ସମେତ କଟକ ଓ ଆଖପାଖ ଅଞ୍ଚଳକୁ ଆସୁଥିଲା । ହେଲେ ୨୦୧୯ରେ  ଉପକୂଳ ଓଡ଼ିଶାକୁ ଦୋହଲାଇ  ଦେଇଥିବା ଫନି ବାତ୍ୟା ପରଠୁ  ଏଠାକାର ନଡ଼ିଆ ଭୁବନେଶ୍ୱରକୁ ଆସୁନି  ବୋଲି ବ୍ୟବସାୟୀମାନେ କହିଛନ୍ତି ।  ସେଥିପାଇଁ ବଜାରରେ ଓଡ଼ିଶା ନଡ଼ିଆ  ଅଭାବ ପଡ଼ୁଛି ଏବଂ ଦକ୍ଷିଣ ଭାରତୀୟ  ନଡ଼ିଆର ଚାହିଦା ବଢ଼ିଯାଇଛି । ପୂର୍ବରୁ  ଓଡ଼ିଶା ନଡ଼ିଆର ଦାମ୍‌ ୧୫ରୁ ୨୦ ଓ  ସର୍ବାଧିକ ୨୫ ଟଙ୍କା ଥିଲା । ହେଲେ  ଏବେ ବାହାର ନଡ଼ିଆ ଦାମ ବହୁ ଅଧିକ । 

ଓଡ଼ିଶା କୃଷି ବୈଷୟିକ  ବିଶ୍ୱବିଦ୍ୟାଳୟର ଏକ ଗବେଷଣା  କହୁଛି, ଓଡ଼ିଶାକୁ ପ୍ରତିବର୍ଷ ୪୬ କୋଟି  ନଡ଼ିଆ ଦରକାର । ହେଲେ ଏବେ ମାତ୍ର  ୩୯ କୋଟି ନଡ଼ିଆ ଉତ୍ପାଦନ ହେଉଛି ।  ନଡ଼ିଆ ଉନ୍ନୟନ ବୋର୍ଡର ତଥ୍ୟ  ଅନୁସାରେ, ମହାବାତ୍ୟାରେ ଉପକୂଳ  ଓଡ଼ିଶାରେ ଥିବା ନଡ଼ିଆ ଗଛ କ୍ଷତିଗ୍ରସ୍ତ  ହୋଇଥିଲା । ବାତ୍ୟା ପରେ ପୁରୀ,  ଗଞ୍ଜାମ, କଟକ, ନୟାଗଡ଼ ଓ ଖୋର୍ଦ୍ଧା  ଆଦି ଉପକୂଳ ଜିଲ୍ଲାରେ ୨୦୦୦-୦୧ରେ  ୧୭.୭୦ ହେକ୍ଟର ଜମିରେ ନଡ଼ିଆ ଚାଷ  ହେଉଥିଲା । ଯେଉଁଠି ହେକ୍ଟର ପିଛା  ୬୨୦୯ ନଡ଼ିଆ ଉତ୍ପାଦନ ହେଉଥିଲା ।  ୨୦୦୪-୦୫ ବେଳକୁ ୫୦.୫୦ ହେକ୍ଟର  ଜମିରେ ନଡ଼ିଆ ଚାଷ ହେଲା । ଯେଉଁଠି  ଗୋଟିଏ ହେକ୍ଟରରୁ ମାତ୍ର ୫୪୪୨  ନଡ଼ିଆ ଉତ୍ପାଦନ ହେଉଥିଲା । ୨୦୦୯- ୧୦ରେ ୫୧ ହେକ୍ଟର ଜମିରେ ନଡ଼ିଆ  ଚାଷ ହେଉଥିବା ବେଳେ ପ୍ରତି ହେକ୍ଟରରୁ  ୫୮୨୪ ନଡ଼ିଆ ଫଳୁଥିଲା । ପୁଣି  ଫନି ବାତ୍ୟା ପୂର୍ବରୁ ୨୦୧୮-୧୯ରେ  ୪୬.୬୭ ହେକ୍ଟର ଜମିରେ ନଡ଼ିଆ  ଚାଷରୁ ଉତ୍ପାଦନ ହେଉଥିଲା । ଏଠି ପ୍ରତି  ହେକ୍ଟରରୁ ୬୧୩୨ ନଡ଼ିଆ ଆସୁଥିଲା ।  ହେଲେ ବାତ୍ୟାରେ ୧୪ଲକ୍ଷ ନଡ଼ିଆ ଗଛ  ଭାଙ୍ଗି ପଡ଼ିଥିଲା । ବାତ୍ୟା ପରେ ୨୦୨୨- ୨୩ରେ ୫୨.୮୪ ହେକ୍ଟରରେ ଚାଷ  ହେଉଥିବା ବେଳେ ଗୋଟିଏ ହେକ୍ଟର  ପିଛା ୭୫୨୮ ନଡ଼ିଆ ଉତ୍ପାଦନ ହେଉଛି ।  

ଉପକୂଳ ଅଞ୍ଚଳରୁ ନଡ଼ିଆ କୋଲକାତା  ମଧ୍ୟ ଯାଉଛି । ଅପରପକ୍ଷେ, ୨୦୨୨- ୨୦୨୩ରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ  ପ୍ରତି ହେକ୍ଟରରୁ ରେକର୍ଡ ସଂଖ୍ୟକ  ୧୫୯୬୪, କେରଳରେ ପ୍ରତି ହେକ୍ଟରରେ  ୭୪୦୨ ଓ ତାମିଲନାଡ଼ୁରେ ୧୧୪୬୯ଟି  ନଡ଼ିଆ ଫଳୁଛି । ପଡ଼ୋଶୀ ରାଜ୍ୟର  ପଇଡ଼ ପାଣି ମିଠା ହୋଇଥିବାରୁ ଏହାର  ଚାହିଦା ମଧ୍ୟ ରହିଛି । ସେଦୃଷ୍ଟିରୁ ନଡ଼ିଆ  ବେପାରୀମାନେ ଉଭୟ ନଡ଼ିଆ ଓ ପଇଡ଼  ଆଣୁଛନ୍ତି । ପଇଡ଼ ଭଳି ପ୍ରତିଦିନ ଗୋଟିଏ  ଟ୍ରିପ୍‌ ନଡ଼ିଆ ଭୁବନେଶ୍ୱରକୁ ଆସୁଛି ।  ଯେଉଁଥିରେ ୨ରୁ ଅଢ଼େଇ ହଜାର ନଡ଼ିଆ  ରହୁଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।

‘କୋଣାର୍କ’ ହାଇବ୍ରିଡ୍‌ ପ୍ରଜାତି ନଡ଼ିଆ ଫଳାଇବ ଓୟୁଏଟି

ରାଜ୍ୟରେ ନଡ଼ିଆ ଉତ୍ପାଦନ ବୃଦ୍ଧି ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ  ଯୋଜନା କରିଆସୁଛି । ‘ସର୍ବଭାରତୀୟ ନାରିକେଳ ଗବେଷଣା ପ୍ରକଳ୍ପ’ ରେ  ନଡ଼ିଆ ଚାଷ ହେଉଛି । ଏଥିରେ କେନ୍ଦ୍ର ସରକାରଙ୍କ ୭୫ ଭାଗ ଓ ରାଜ୍ୟର  ୨୫ ଭାଗ ଅନୁଦାନ ଖର୍ଚ୍ଚ ହେଉଛି । ଓୟୁଏଟି ପଛପଟେ ବିମାନବନ୍ଦରକୁ ଲାଗି  ଗୋଟିଏ ଫାର୍ମ ଥିବା ବେଳେ କୋଣାର୍କରେ ବି ଫାର୍ମ ଅଛି । ଫାର୍ମରେ ହାଇବ୍ରିଡ୍‌  ପ୍ରଜାତିର ନଡ଼ିଆ ଗଛ ଉପରେ ପରୀକ୍ଷା କରାଯାଉଛି । ଓଡ଼ିଶା ମାଟିକୁ ସୁହାଇବ  ସେ ଗଛ ଉପରେ ଧ୍ୟାନ ଦିଆଯାଉଛି । ଚଳିତ ବର୍ଷ ‘କୋଣାର୍କ’ ନାମକ ଏକ  ହାଇବ୍ରିଡ୍‌ ପ୍ରଜାତିକୁ ସୃଷ୍ଟି କରାଯାଇଛି । ଏହି ନଡ଼ିଆ ଆକାରରେ ବଡ଼ ଏବଂ  ସୁସ୍ୱାଦୁ ମଧ୍ୟ । ବର୍ଷକୁ ଗଛରେ ୧୦୦ରୁ ୧୫୦ଟି ନଡ଼ିଆ ଫଳିବ । ଏହାବାଦ୍‌ ଏବେ  ଆମେ ୨୪ରୁ ଅଧିକ ହାଇବ୍ରିଡ୍‌, ୨୨ରୁ ଅଧିକ ପ୍ରଜାତି ସମେତ ଡ୍ୱାଫ୍‌ର୍(ବାମନ  ଗଛ) ଉପରେ ଗବେଷଣା କରୁଛୁ । ସେହିପରି ସାକ୍ଷୀଗୋପାଳରେ ମଧ୍ୟ ଏକ  ଫାର୍ମ କରାଯିବ ବୋଲି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.