ହଳଦୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହା ରୋଷେଇ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମସଲା । ହଳଦୀର ବ୍ୟବହାର ଖାଦ୍ୟରେ ହୋଇଥାଏ, କିନ୍ତୁ ଔଷଧ ଭାବେ ଏହା ଖୁବ୍ ମହତ୍ତ୍ୱପୂର୍ଣ୍ଣ । ଏହାକୁ ଔଷଧ ଭାବେ ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଯଦି କୌଣସି ବ୍ୟକ୍ତି ନିୟମିତ ଭାବେ ୧୪ ଦିନ ଯାଏ ହଳଦୀର ସେବନ କରନ୍ତି, ତେବେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ନ୍ୟୁଟ୍ରିନିଷ୍ଟ ମତ ଦିଅନ୍ତି । କ’ଣ ଆସେ ପରିବର୍ତ୍ତନ?
ବିଶେଷଜ୍ଞଙ୍କ ମତରେ ଲଗାତାର ୧୪ ଦିନ ହଳଦୀ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ସକାରାତ୍ମକ ପରିବର୍ତ୍ତନ ଆସିଥାଏ । ହଳଦୀରେ ଥିବା କର୍କ୍ୟୁମିନ୍ ଆଣ୍ଟିଅକ୍ସିଡାଣ୍ଟ୍ ଓ ଆଣ୍ଟିଇନ୍ଫ୍ଲାମେଟୋରୀ ଗୁଣରେ ଭରା, ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ନିୟମିତ ହଳଦୀ ଖାଇବା ଦ୍ୱାରା ଶରୀରରେ ପ୍ରଦାହ ଓ ଗଣ୍ଠିଜନିତ ଯନ୍ତ୍ରଣା କମିଥାଏ । ସେହିପରି ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏହାବ୍ୟତୀତ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସଂକ୍ରମଣ କମ୍ ରହିଥାଏ । ହଳଦୀରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପାଚନ ତନ୍ତ୍ରର ସମସ୍ୟାକୁ ଦୂର କରିବା ସହ ପେଟ ଫୁଲିବା ଓ ଗ୍ୟାସ୍ ସମସ୍ୟାଠାରୁ ଦୂରେଇ ରଖେ । ହଳଦୀର ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସୁସ୍ଥ ଓ ଚମକ୍ଦାର କରି ରଖିଥାଏ । ମୁହଁକୁ ବ୍ରଣ କିମ୍ବା ଲୋଚାକୋଚା ହେବାକୁ ଦିଏନା ହଳଦୀ । ହଳଦୀ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବଢାଇବା ସହ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ । ସେହିପରି ସ୍ମରଣଶକ୍ତିକୁ ତୀବ୍ର କରିଥାଏ ।