ପ୍ରମୂଖ ଖବର

ଏପିଲେପ୍‌ସି ରୋଗର କାରଣ ଏବଂ ଲକ୍ଷଣ କ' ଣ ? ଜାଣନ୍ତୁ କେମିତି କରିବେ ଉପଚାର

Published By : Prameya | December 17, 2024 11:15 AM

ଭୁବନେଶ୍ୱର ୧୭/୧୨(ଡାକ୍ତର ଅଶ୍ୱିନୀ କୁମାର ସାହୁ): ଅପସ୍ମାର ବା ଏପିଲେପ୍‌ସି ରୋଗ ମସ୍ତିଷ୍କରେ  ଥିବା ସ୍ନାୟୁ କୋଷରେ ଅତ୍ୟଧିକ ବୈଦ୍ୟୁତିକ  ପ୍ରବାହ ସୃଷ୍ଟି କରିଥାଏ । ଏଥିରେ ଆକ୍ରାନ୍ତ  ଲୋକ ବାରମ୍ବାର ମୂର୍ଚ୍ଛା ହେବା ସହ ପାଟିରୁ  ଫେଣ ବାହାରେ । ଆପେ ଆପେ ପରିସ୍ରା  ହୋଇଯାଏ । ଜିଭ କାମୁଡ଼ି ପକାଇବାରୁ କ୍ଷତ ବି ହୋଇଥାଏ । କେତେକ ଲୋକଙ୍କ  ଶରୀରର ଏକ ନିର୍ଦ୍ଦିଷ୍ଟ ଅଙ୍ଗରେ ଫିଟ୍‌ସ୍‌ ବା  ବାତ ମାରିବା ଦେଖା ଦେଇଥାଏ । ଏହାକୁ ଫୋକାଲ୍‌ ସିଜର୍‌ ବୋଲି କୁହାଯାଏ ।  ପିଲାମାନଙ୍କଠାରେ ଏହି ରୋଗ ଦେଖାଦେଲେ ଅନ୍ୟମନସ୍କତା ଓ ଶୂନ୍ୟକୁ  ଚାହିଁ ରହିବା ଭଳି ଲକ୍ଷଣ ପ୍ରକାଶ ପାଏ । ଏହାକୁ ଆବସେନ୍‌ସ ସିଜର କହନ୍ତି।

କାରଣ 

ଏପିଲେପ୍‌ସିର କୌଣସି ସ୍ପଷ୍ଟ କାରଣ ଅଧିକାଂଶ ଆକ୍ରାନ୍ତଙ୍କ  କ୍ଷେତ୍ରରେ ନଥାଏ । ମୁଖ୍ୟତଃ ଏହା ଏକ ଜେନେଟିକ୍‌  ରୋଗ । କେତେକ କ୍ଷେତ୍ରରେ ମୁଣ୍ଡରେ ଆଘାତ (ବ୍ରେନ୍‌  ଷ୍ଟ୍ରୋକ୍‌), ଟ୍ୟୁମର, ମେନିନ୍‌ଜାଇଟିସ୍‌, ଏନ୍‌ସିଫାଲାଇଟିସ୍‌  ଓ ନିୟମିତ ଅତ୍ୟଧିକ ନିଶା ସେବନ ଯୋଗୁଁ ମଧ୍ୟ ଏ  ରୋଗ ଦେଖା ଦେଇଥାଏ । ସେହିପରି ଛୋଟ ପିଲାଙ୍କ ମସ୍ତିଷ୍କରେ କୌଣସି କ୍ଷତ ସୃଷ୍ଟି ହେବାରୁ ସେମାନେ  ଏପିଲେପ୍‌ସି (ଅପସ୍ମାର)ରେ ଆକ୍ରାନ୍ତ ହୋଇଥାନ୍ତି ।  ଅପସ୍ମାର ଆକ୍ରାନ୍ତଙ୍କ ପାଇଁ ଗାଡ଼ି ଚାଳନା, ସନ୍ତରଣ ଓ ନିଆଁ  ପାଖରେ କାମ କରିବା ମନା । କାରଣ ଗାଡ଼ି ଚଳାଇବା  ସମୟରେ ଅଚାନକ ଦୁର୍ଘଟଣା ଆଶଙ୍କା ଥାଏ । ସେହିପରି  ନଦୀ, ନାଳ, ପୋଖରୀରେ ସନ୍ତରଣ କରୁଥିଲେ ପାଣିରେ  ବୁଡ଼ିଯିବା ସହ ନିଆଁ ପାଖରେ କାମ କରିବା ମଧ୍ୟରେ  ପୋଡ଼ି ହେବାର ଆଶଙ୍କା ରହିଛି । ଏହି ସମୟରେ  ବେଶି ସମୟ ଧରି ବାତ ମାରିଲେ ପାଟିରୁ ଅତ୍ୟଧିକ  ନାଳ ଓ ଫେଣ ବାହାରି ଶ୍ୱାସନଳୀକୁ ରୁଦ୍ଧ କରିଥାଏ ।  ଫଳରେ ଶ୍ୱାସରୁଦ୍ଧ ହୋଇ ମଧ୍ୟ ଆକସ୍ମିକ ମୃତ୍ୟୁ ଘଟେ ।  

 ପ୍ରକାରଭେଦ ଅନୁସାରେ ଚିକିତ୍ସା

 ଏହି ରୋଗର ଚିକିତ୍ସାରେ ଆଦୌ ଅବହେଳା କରିବେ  ନାହିଁ । ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ  କରିବା ନିତାନ୍ତ ଆବଶ୍ୟକ । ଏଥିଲାଗି ଫେନିଟୋଇନ୍‌,  ଭାଲପ୍ରୋଏଟ୍‌, ଲେଭେଟିରାସିଟାମ୍‌ ଆଦି ଅନେକ  ଔଷଧ ସେବନ ଆବଶ୍ୟକ ପଡ଼ିଥାଏ । ସେହିପରି  କୋସାମାଇଡ୍‌ ଓ ପେରାମ୍‌ପାନେଲ୍‌ ଆଦି ଅନେକ  ନୂଆ ଔଷଧ ଏବେ ଉପଲବ୍‌ଧ ହେଲାଣି । ଯେଉଁ  ଆକ୍ରାନ୍ତଙ୍କ ଶରୀରରେ ଔଷଧ କାମ କରେନାହିଁ,  ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀରେ ସୂକ୍ଷ୍ମ ଅପରେସନ୍‌  କରିବା ଲାଗି ସୁଯୋଗ ରହିଛି । ଏହି ରୋଗରେ  ଆକ୍ରାନ୍ତ ଲୋକେ ନିଦ୍ରାହୀନତାରୁ ଦୂରେଇ ରହିବା  ସହ ଅଧିକ ସମୟ ମୋବାଇଲ୍‌ ଓ ଟିଭି ଦେଖିବା  ଉଚିତ ନୁହେଁ । ନିଶା ସେବନରୁ ସମ୍ପୂର୍ଣ୍ଣ ନିବୃତ୍ତ  ରହିବେ । ଅନ୍ୟର ପ୍ରରୋଚନାରେ ପଡ଼ି ଅପସ୍ମାର  ରୋଗୀଙ୍କୁ ଝଡ଼ାଫୁଙ୍କା, ପୂଜାପାଠ, ନାକରେ ଚପଲ  ଶୁଙ୍ଘାଇବା ଅନୁଚିତ । ଏସବୁ କରିବା ଦ୍ୱାରା କିଛି  ସୁଫଳ ମିଳିନଥାଏ । ନିୟମିତ ବ୍ୟବଧାନରେ  ସ୍ନାୟୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ  ସେବନ କଲେ ଆକ୍ରାନ୍ତ ଲୋକେ ବିପଦମୁକ୍ତ ହେବା  ସହ ସାଧାରଣ ଜୀବନଯାପନ କରିପାରିବେ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.