ଭୁବନେଶ୍ୱର ୨୧/୧୨: ଦୀର୍ଘଦିନ ଧରି ମୁଣ୍ଡ ବିନ୍ଧିବା ସହ ଶରୀରରେ କୌଣସି ବ୍ୟତିକ୍ରମ ଦେଖିଲେ ଆମେ ସନ୍ଦେହ କରୁ କାଳେ ବ୍ରେନ୍ ଟ୍ୟୁମର ହେଲାକି । ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ ପାଇଁ ଯାଉ । କିନ୍ତୁ ସବୁ ମୁଣ୍ଡବିନ୍ଧା ବ୍ରେନ୍ ଟ୍ୟୁମର ଭାବିବା ଅନୁଚିତ । ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଅନ୍ୟାନ୍ୟ କାରଣରୁ ମଧ୍ୟ ହୋଇଥାଇପାରେ । ଯେପରିକି କାନରେ ମଳି ଜମିବା, ଚଷମାର ପାୱାର ବଢ଼ିବା ଓ ଦୁଶ୍ଚିନ୍ତା । ଏହି ତିନୋଟି ସମସ୍ୟା ପ୍ରାୟ ଲୋକଙ୍କଠାରେ ଦେଖାଯାଇଥାଏ । ଜଣେ ଇଏନ୍ଟି (କର୍ଣ୍ଣ, ନାସା, ଗଳା) ଡାକ୍ତରଙ୍କ ସହ ପରାମର୍ଶ କରିବା ଦ୍ୱାରା ହିଁ ରୋଗୀ ମନରୁ ଭୟ ଦୂର କରିବା ସହଜ ହୋଇଥାଏ । ଯଦି ବ୍ରେନ୍ ଟ୍ୟୁମରର ଉପରୋକ୍ତ ଲକ୍ଷଣମାନ ଦେଖା ଦେଉଥାଏ, ଡାକ୍ତର ପରାମର୍ଶ କରାଇ ନେବା ଉଚିତ ।
ବ୍ରେନ୍ ଟ୍ୟୁମର କ’ଣ ?
ମସ୍ତିଷ୍କ ବା ତାର ଆବରଣର କୋଷିକାଗୁଡ଼ିକ ଅସାଧାରଣ ଭାବରେ ବୃଦ୍ଧି ପାଇବା ସ୍ଥିତି ହେଉଛି ବ୍ରେନ୍ ଟ୍ୟୁମର । ସିଏନ୍ଏସ୍ (କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରିକା) ଟ୍ୟୁମରକୁ ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ‘ଅଣୁଗତ ଗୁଣସୂତ୍ର ଓ ଟ୍ୟୁମର ମାର୍କର ଚିହ୍ନଟ’ ପ୍ରକ୍ରିୟା ଦ୍ୱାରା କେତେ ଶୀଘ୍ର ବା ଧୀରେ ଟ୍ୟୁମରଟି ବୃଦ୍ଧି ପାଇବାର ଆଶଙ୍କା ରହିଛି ତାହା ଜଣାପଡ଼ିଯାଏ । କେମୋଥେରାପି ଅଥବା ବିକିରଣଥେରାପିରୁ କେତେ ଲାଭ ମିଳିଛି ତାହା ଆମକୁ ଜଣାଇଥାଏ । ପୁଣି ଟ୍ୟୁମର କର୍କଟ ଆକ୍ରାନ୍ତ କି ନୁହେଁ ତାହା ପରୀକ୍ଷା ଦ୍ୱାରା ଜାଣିବାକୁ ହୁଏ ।
ଲକ୍ଷଣ
ବ୍ରେନ୍ ଟ୍ୟୁମର ହୋଇଛି କି ନାହିଁ କେମିତି ଜାଣିବା । ଏହା ଦୁଇ ପ୍ରକାରର । ପ୍ରଥମତଃ ସ୍ଥାନ ସମ୍ପର୍କିତ, ଦ୍ୱିତୀୟତଃ ମସ୍ତିଷ୍କ ଚାପବୃଦ୍ଧି-ସମ୍ପର୍କିତ । ଅତ୍ୟଧିକ ମୁଣ୍ଡବିନ୍ଧା, ଦୃଷ୍ଟି ବା ଶ୍ରବଣ ଶକ୍ତି ହ୍ରାସ, ମୁଖମଣ୍ଡଳ କାଲୁଆ ହେବା, ଆପେ ଆପେ ଲୁଗାରେ ପରିସ୍ରା ହୋଇଯିବା, ସ୍ମୃତି ଶକ୍ତି ହ୍ରାସ ପାଇବା, ଟଳମଳ ହୋଇ ଚାଲିବା ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଟ୍ୟୁମରର ଆକାର ବୃଦ୍ଧି ପାଇଲେ ଭୋର୍ରୁ ମୁଣ୍ଡବିନ୍ଧା ହେବା, ସକାଳୁ ଅନେକ ଥର ବାନ୍ତି ହେବା ଏବଂ ବାନ୍ତି ଦ୍ୱାରା ମୁଣ୍ଡବିନ୍ଧାରେ ସାମୟିକ ଉପଶମ ମିଳିବା ଆଦି ତିନୋଟି ଲକ୍ଷଣ ଅଧିକ ଦେଖିବାକୁ ମିଳିଥାଏ ।
ଚିକିତ୍ସା
ବ୍ରେନ୍ ଟ୍ୟୁମର ରୋଗୀକୁ ଠିକ୍ ଭାବରେ ଚିହ୍ନଟ କରିବା ଦରକାର । ନ୍ୟୁରୋଲୋଜିଷ୍ଟଙ୍କ ଔଷଧ ଦ୍ୱାରା ଅନେକ ସମୟରେ ବ୍ରେନ୍ ଟ୍ୟୁମର ଭଲ ହୋଇଯାଏ । ଯଦି ବ୍ରେନ୍ ଟ୍ୟୁମର ବଡ଼ ହୋଇଥାଏ, ନ୍ୟୁରୋସର୍ଜନଙ୍କ ଦ୍ୱାରା ଅପରେସନ କରିବାକୁ ପଡ଼େ । ଅପରେସନ୍ ସମୟରେ ମାଂସ ପରୀକ୍ଷା (ବାୟୋପ୍ସି)ରୁ କେମୋଥେରାପି ନା ବିକିରଣଥେରାପୀ ଦରକାର ତାହା ଜଣାପଡ଼େ । ଅସ୍ତ୍ରୋପଚାର ପରେ ମଧ୍ୟ ବ୍ରେନ ଟ୍ୟୁମର ପୁନର୍ବାର ହେବାର ସମ୍ଭାବନା ଥାଏ।
ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ
ପ୍ରଫେସର୍, ନ୍ୟୁରୋସର୍ଜରୀ ବିଭାଗ,
ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍