ଆଧୁନିକ ଜୀବନଶୈଳୀ ଅନେକ କ୍ଷେତ୍ରରେ ହଠାତ୍ ହୃଦ୍ଘାତର କାରଣ ହୋଇଥାଏ । ଏଥିଯୋଗୁଁ ଅସମୟରେ ଜୀବନ ମଧ୍ୟ ଚାଲିଯାଏ । ବୟସ ବଢ଼ିବା ସହିତ ମୋଟା ହେବା, ଅତ୍ୟଧିକ ନିଶା ସେବନ ଓ ମଦ୍ୟପାନ, ତୈଳଜାତୀୟ ଖାଦ୍ୟ, ଫାଷ୍ଟ୍ଫୁଡ୍ ଏବଂ ଶାରୀରିକ ବ୍ୟାୟାମର ଅଭାବରେ ମଧ୍ୟ ହଠାତ୍ ହୃଦ୍ଘାତ ହୋଇଥାଏ । ହୃଦ୍ଘାତକୁ ଏଡ଼ାଇବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତେ କିଛି ଜରୁରି କଥା ଜାଣିବା ଆବଶ୍ୟକ ।
� ହୃଦ୍ଘାତ କାହିଁକି ହୁଏ
ହୃତ୍ପିଣ୍ଡ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ଏବଂ ସମସ୍ତ ଜୀବକୋଷକୁ ଅମ୍ଳଜାନ ଯୋଗାଇଥାଏ । ଏହା ଏକ ପମ୍ପ୍ ସଦୃଶ କାମ କରେ । ଅପରପକ୍ଷେ, କରୋନାରୀ ଧମନୀ ହୃତ୍ପିଣ୍ଡର ମାଂସପେଶୀକୁ ରକ୍ତ ଯୋଗାଇ ପରିପୁଷ୍ଟ କରିଥାଏ । ଯଦି କୌଣସି କାରଣରୁ ଏହି ଧମନୀରେ ହଠାତ୍ ରକ୍ତ ଜମାଟ ବାନ୍ଧିଯାଏ ତାହେଲେ ହୃତ୍ପିଣ୍ଡର ମାଂସପେଶୀଗୁଡ଼ିକ ଆବଶ୍ୟକ ଅମ୍ଳଜାନ ଓ ଶକ୍ତି ନପାଇ ଦୁର୍ବଳ ହୋଇ ଯାଆନ୍ତି । ଏହି ପ୍ରକାର ଅବରୋଧ (ବ୍ଲକେଜ୍) ଯୋଗୁଁ ହୃତ୍ପିଣ୍ଡକୁ ଅମ୍ଳଜାନ ଓ ଅନ୍ୟାନ୍ୟ ଦରକାରୀ ଶକ୍ତି ଯୋଗାଣ ବ୍ୟାହତ ହୁଏ ଏବଂ ହୃଦ୍ଘାତ ହୁଏ । ସାଧାରଣ ଭାବରେ କହିବାକୁ ଗଲେ, ବିଜୁଳି କାଟିଦେଲେ ପାଣିଉଠା ଯନ୍ତ୍ର ଯେଭଳି ଅକାମୀ ହୋଇଥାଏ ହୃତ୍ପିଣ୍ଡ ମଧ୍ୟ ସେହିପରି ଅବସ୍ଥାକୁ ଆସିଯାଏ । କରୋନାରୀ ଧମନୀରେ ଆଭ୍ୟନ୍ତରୀଣ ଆଘାତ ହିଁ ରକ୍ତ ଜମାଟ ବାନ୍ଧିବାର ମୁଖ୍ୟ କାରଣ ବୋଲି ଧରାଯାଏ । ବେଳେବେଳେ ଜମାଟ ରକ୍ତ ମଧ୍ୟ ଆପେଆପେ ତରଳ ହୋଇ ପ୍ରାକୃତିକ ପ୍ରକ୍ରିୟାରେ ପ୍ରବାହିତ ହୋଇଥାଏ । ତେଣୁ ହୃତ୍ଘାତ ଜଣାପଡ଼ି ନ ଥାଏ ।
� ପ୍ରାଥମିକ ଲକ୍ଷଣ
ହଠାତ୍ ଛାତି ଭିତର ଓଜନିଆ ଲାଗିବା ସହିତ ଶ୍ୱାସରୁଦ୍ଧ ହେଲା ପରି ଅନୁଭବ ହୁଏ ଓ ବାମପଟ ଛାତି ପାଖରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହି ଯନ୍ତ୍ରଣା ବାମପଟ କାନ୍ଧ, ହାତର ଉପର ଭାଗ ତଥା ମୁହଁର ବାମପଟକୁ ବ୍ୟାପିଲା ପରି ଲାଗେ । ଛାତି ମଝିରେ ଓ ପେଟ ଉପର ଭାଗରେ ଜଳାପୋଡ଼ା ହେଲା ପରି ଅନୁଭବ ହୁଏ । ଏହାଛଡ଼ା ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୁଏ, ଝାଳ ବାହାରେ, ଛାତି ଧଡ଼ଧଡ଼ ହୋଇ ଅବଶ ହେଲା ପରି ଲାଗେ । ବେଳେବେଳେ ହଠାତ୍ ଅଚେତ ହୋଇଯିବାର ସମ୍ଭାବନା ମଧ୍ୟ ରହିଥାଏ ।
� ସତର୍କତା
ହୃଦ୍ଘାତର ଲକ୍ଷଣ ପ୍ରକାଶ ପାଇଲେ ଆଦୌ ବିଳମ୍ବ ନକରି ହୃଦ୍ରୋଗ ବିଶେଷଜ୍ଞ ଥିବା ହସ୍ପିଟାଲ୍ କିମ୍ବା ଭେଷଜ ମହାବିଦ୍ୟାଳୟକୁ ଶୀଘ୍ର ରୋଗୀକୁ ପଠାଇବା ଦିଗରେ ଯତ୍ନବାନ ହେବା ଜରୁରି । ଧମନୀରେ ଜମାଟ ବାନ୍ଧିଥିବା ରକ୍ତକୁ ଅତି ବେଶିରେ ୪ରୁ ୬ ଘଣ୍ଟା ମଧ୍ୟରେ ତରଳ ଅବସ୍ଥାକୁ ଆଣିବା କିମ୍ବା ଜମାଟ ରକ୍ତକୁ ବାହାର କରିବା ହିଁ ଜୀବନ ବଞ୍ଚାଇବାର ମୂଳ ଆଧାର । ଏହି ସମୟକୁ ଗୋଲ୍ଡେନ୍ ଆୱାର୍ ବୋଲି କୁହାଯାଇଥାଏ । ଏହି ସମୟ ମଧ୍ୟରେ ଆବଶ୍ୟକ ଔଷଧ ଦେଲେ, ଆଞ୍ଜିଓପ୍ଲାଷ୍ଟି ବା ବାଇପାସ୍ ଅସ୍ତ୍ରୋପଚାର କରାଯାଇ ପାରିଲେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ । ଆଜିକାଲି ୧୦୮ ଆମ୍ବୁଲାନ୍ସରେ ଜରୁରିକାଳୀନ ସେବା ପାଇଁ ସମସ୍ତ ଯନ୍ତ୍ରପାତି ରହିବା ସହିତ ତାଲିମପ୍ରାପ୍ତ ପାରାମେଡିକାଲ କର୍ମଚାରୀ ରହିଥାନ୍ତି ।
� ଚିକିତ୍ସା
ଫୋନ୍ରେ ପଚାରି କିମ୍ବା ପାଖ ଔଷଧ ଦୋକାନରୁ ଔଷଧ ଖାଇ ସମୟ ନଷ୍ଟ କରିବାରୁ ସବୁବେଳେ ବିରତ ରହିବେ । ଅତି ଜରୁରି ହେଲେ ଆସ୍ପିରିନ୍ ନାମକ ବଟିକା ଚୋବାଇ ଖାଇବେ ଏବଂ ତୁରନ୍ତ ହସ୍ପିଟାଲ ନେବେ । ବହୁଦିନ ଧରି ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ବୃକ୍କ ଓ ଯକୃତ ଅକାମୀ ହେଲେ ଏହି ସମସ୍ୟା ବହୁଗୁଣିତ ହୋଇଥାଏ । ତେଣୁ ନିୟମିତ ରକ୍ତଚାପ ପରୀକ୍ଷା କରିବା ସହିତ କୋଲେଷ୍ଟ୍ରୋଲ୍ ପରିମାଣ ଯାଞ୍ଚ କରିବା ଆବଶ୍ୟକ । ଏହାଛଡ଼ା ଇସିଜି ଓ ଇକୋ କଲେ ହୃଦ୍ଘାତର ପୂର୍ବ ଲକ୍ଷଣ ଜଣାପଡ଼ିଯାଏ । ତାପରେ ଆବଶ୍ୟକ ଅନୁସାରେ ଅସ୍ତ୍ରୋପଚାର କରାଯାଇପାରେ । ଚର୍ବିଜାତୀୟ ଖାଦ୍ୟ, ଅଣ୍ଡାର କେଶର, ମାଛ ମୁଣ୍ଡ, ଛେଳିମାଂସ ଇତ୍ୟାଦି କମ୍ ଖାଇବା ଆବଶ୍ୟକ । ଅତ୍ୟଧିକ ଛଣା ଖାଦ୍ୟ, ଅତ୍ୟଧିକ ଘିଅ ଓ କ୍ଷୀର ଜାତୀୟ ଖାଦ୍ୟ ଖାଇବାରୁ ବିରତ ରହିବା ଜରୁରି । ନିୟମିତ ବ୍ୟାୟାମ ସହ ଓଜନ କମାଇବାକୁ ସର୍ବଦା ଚେଷ୍ଟିତ ହେବା ଦରକାର । ଅତିମାତ୍ରାରେ ବ୍ୟାୟାମ ଓ ପାହାଡ଼ ଚଢ଼ିବା ଅନାବଶ୍ୟକ । ଏହାଛଡ଼ା କାର୍ଯ୍ୟସ୍ଥଳୀରେ ଅତ୍ୟଧିକ ଚାପରୁ ନିଜକୁ ମୁକ୍ତ ରଖିବାକୁ ଚେଷ୍ଟା କରିବେ । ଯୋଗ, ପ୍ରାଣାୟମ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ ।
ପ୍ରଫେସର ଡା. ସୁନୀଲ କୁମାର ଶର୍ମା, ହୃଦ୍ରୋଗ ବିଭାଗ ମୁଖ୍ୟ, ଭିମ୍ସାର୍, ବୁର୍ଲା