ଭୁବନେଶ୍ୱର,୨୪/୦୪: ଆସନ୍ତା ୨୬ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ଜାରି ରହିବ । ଡହଡହ ଖରା ଓ ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଗୁରୁବାର ସାଂଘାତିକ ରୂପ ନେଇପାରେ ଗ୍ରୀଷ୍ମ ପ୍ରକୋପ । ଝାରସୁଗୁଡ଼ାରେ ତାତି ପୁଣି ୪୬ ଡିଗ୍ରୀ ଛୁଇଁପାରେ । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହୋଇପାରନ୍ତି ଝାରସୁଗୁଡ଼ାବାସୀ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୪ ଡିଗ୍ରୀ ପାଖାପାଖି ରହିବା ଆଶଙ୍କା ଅଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗୁଳୁଗୁଳି ନୟାନ୍ତ କରିପାରେ ।
ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ଝାରସୁଗୁଡ଼ାରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ରହିଛି । ବୁଧବାର ୪୫.୪ ଡିଗ୍ରୀ ତାତି ଥିଲା ଝାରସୁଗୁଡ଼ାରେ । ଗତକାଲି ଏଠି ୪୬ ଟପିଥିଲା ପାରଦ । ଗତ କିଛିଦିନ ହେବ ଝାରସୁଗୁଡ଼ା ଯେମିତି ତତଲା ପିଣ୍ଡ ପାଲଟିଯାଇଛି ଦେଶରେ ।
ଗୁରୁବାର ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ଆଶଙ୍କା ଅଛି । ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତିବେଳା ବି ଗରମରୁ ନିସ୍ତାର ମିଳିବା ଆଶା କମ୍ । ସେହିପରି କଳାହାଣ୍ଡି, ନୂଆପଡ଼ା, ଦେବଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳଗୁଳି ଲୋକଙ୍କୁ ନାକେଦମ କରିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ଢେଙ୍କାନାଳରେ ଏଭଳି ସ୍ଥିତି ରହିବ ବୋଲି ସତର୍କ କରାଯାଇଛି ।
ଆସନ୍ତା ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଅନୁଗୁଳ ଓ ଦେବଗଡ଼ରେ ଗ୍ରୀଷ୍ମପ୍ରବାହ ସ୍ଥିତି ଆଶଙ୍କା ଅଛି । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କେନ୍ଦୁଝର ଓ ଢେଙ୍କାନାଳରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।
୨୬ ତାରିଖରେ ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ାରେ ପ୍ରଚଣ୍ଡ ତାତି ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨୭ ତାରିଖରୁ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ଅଛି । ୨୭ରୁ ବର୍ଷା ହେଲେ ହିଁ ତାତିରୁ ତ୍ରାହି ମିଳିବ ।
ଧବାର ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁର ଓ ବୌଦ୍ଧରେ ୪୩.୮, ବଲାଙ୍ଗୀରରେ ୪୩.୭, ସୁନ୍ଦରଗଡ଼ ଓ ହୀରାକୁଦରେ ୪୩.୪, ସୋନପୁରରେ ୪୩.୨, ରାଉରକେଲାରେ ୪୨.୪, ବରଗଡ଼ରେ ୪୨.୨, ନୂଆପଡ଼ାରେ ୪୨, ପାରଳାଖେମୁଣ୍ଡିରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।