ଭୁବନେଶ୍ୱର,୨୧/୦୫: ଆସନ୍ତା ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ବଢ଼ିବ । ଏହା ପ୍ରଭାବରେ ଘଡ଼ଘଡ଼ି ସହିତ ଅଧିକ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ସହିତ ପବନର ଝଟ୍କା ୬୦କିମି ଯାଏ ଯାଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।
୨୦ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିବ ।
୨୧ ତାରିଖରେ କାଳବୈଶାଖୀ ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ବୋହିବ । ପବନର ଝଟ୍କା ୬୦ କିମି ବି ଛୁଇଁଯିବ ବୋଲି ପୂର୍ବାନୁମାନ ରହିଛି । ସେହିଭଳି ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି କନ୍ଧମାଳ ଓ ସୁନ୍ଦରଗଡ଼ରେ ମଧ୍ୟ ବର୍ଷା ହୋଇପାରେ । ୨୨ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।
୨୩ ତାରିଖରେ ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୪ ଓ ୨୫ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଜି ଦକ୍ଷିଣ ଆରବ ସାଗରର ଅନେକ ଅଞ୍ଚଳ, ମାଳଦ୍ୱୀପ ଏବଂ କାମରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଉତ୍ତରପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି । କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାଳବୈଶାଖୀ ଶକ୍ତିହୀନ ହେବାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଚିନ୍ତାପ୍ରକାଶ କରିଛନ୍ତି । ସହରରେ କଂକ୍ରିଟ ନିର୍ମାଣ ବୃଦ୍ଧି ଓ ଆର୍ଦ୍ରଭୂମି ନଷ୍ଟ ପ୍ରଭାବ ଯୋଗୁ ରାଜଧାନୀ ଏକ ସ୍ଥାନୀୟ ଉଷ୍ମ ଦ୍ୱୀପ ପାଲଟୁଛି । ଏହା ବାୟୁମଣ୍ଡଳୀୟ ପରିସ୍ଥିତିକୁ ପ୍ରଭାବିତ କରୁଛି । ଝଡ଼ ଆଚରଣକୁ ପ୍ରଭାବିତ କରୁଛି । ଏହା ସହର ପାଖକୁ ଆସିବା ବା ଅତିକ୍ରମ କରିବା ସମୟରେ ଝଡ଼ ବିଭାଜିତ ବା ଦୁର୍ବଳ ହେଉଛି । ଦିଗ ପରିବର୍ତ୍ତନ କରୁଛି । ଆଜି ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ଥିଲା । ବଲାଙ୍ଗିରରେ ୪୦.୮, ହୀରାକୁଦରେ ୪୦.୧, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ଆଜି କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳରେ ୨୯.୪, ଭଦ୍ରକରେ ୨୬.୪, ଯାଜପୁରରେ ୨୪.୬, କଟକରେ ୨୩.୪ମିମି ବର୍ଷା ହୋଇଛି ।