ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠୁ ଗ୍ରୀଷ୍ମ ଲହରୀ,୨୩ରୁ ସାଂଘାତିକ ତାତି

Published By : Prameya | April 22, 2025 7:41 AM

ଭୁବନେଶ୍ୱର,୨୨/୦୪: ନିଆଁ ବର୍ଷୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ପାରଦ  ୪୫ ଡିଗ୍ରୀ ସେଲସିୟସ୍‌ ଡେଇଁଛି, ଝାରସୁଗୁଡ଼ା  (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ  ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦  ଡିଗ୍ରୀ ପାର୍‌ କରିଛି । ସେଥିରୁ ୧୧ଟି ସହରରେ  ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା । 

ଉପକୂଳ ଓଡ଼ିଶାରେ ତାତି କମ୍‌ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ । ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ । ଡରାଇଲାଣି ପାଣିପାଗ ପୂର୍ବାନୁମାନ, ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ । ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଜଳିବ ଗ୍ରୀଷ୍ମ  ଲହରୀରେ । ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ । 

ଭୀଷଣ ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ିଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫୦ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ଆସିଥିବା ସରକାରୀ  ଭାବେ କୁହାଯାଇଛି । କେବଳ ସମ୍ବଲପୁରରେ  ୪୦, ଦେବଗଡ଼ରେ ୬, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝରରେ ଜଣେ ଲେଖାଏଁ ବ୍ୟକ୍ତି ଅଂଶୁଘାତ  ଆକ୍ରାନ୍ତ ହୋଇଥିଲେ ଗତକାଲି ସନ୍ଧ୍ୟା ସୁଦ୍ଧା ।  ଏ ସଂଖ୍ୟା ଆହୁରି ବଢ଼ିବ । ସ୍କୁଲ, କଲେଜ ଓ  ଅଙ୍ଗନବାଡ଼ିରୁ ପିଲାମାନେ ଘରକୁ ଫେରିବାବେଳେ  ପ୍ରଚଣ୍ଡ ଗରମରେ ଝାଇଁ ହୋଇ ପଡ଼ୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ିରେ ଖରା ଛୁଟି ନେଇ କିଛି ସରକାର  ନିଷ୍ପତ୍ତି ନେଇନାହାନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ  କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି  ମାଧ୍ୟମରେ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ  ଦିଆଯାଇଛି ।  

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ  ବର୍ତ୍ତମାନ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି  ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା  ଓ ପବନ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ  ଏବେ ବର୍ଷା ସମ୍ଭାବନା ନାହିଁ । ଅପରପକ୍ଷରେ  ଆସନ୍ତାକାଲି (ମଙ୍ଗଳବାର) ଝାରସୁଗୁଡ଼ା,  ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁରରେ ଗ୍ରୀଷ୍ମ  ପ୍ରବାହ ଆଶଙ୍କା ଅଛି । ୨୩ରୁ ସ୍ଥିତି ଆହୁରି  ଅସହ୍ୟ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ  ପ୍ରବାହ ପ୍ରକୋପ ବଢ଼ିବା ସହ ଉପକୂଳ ଓ ସଂଲଗ୍ନ  ଜିଲ୍ଲାମାନଙ୍କରେ ଗରମ, ଗୁଳୁଗୁଳି ଆହୁରି ଛଟପଟ  କରିବ । ୨୫ ଯାଏଁ ଏମିତି ସ୍ଥିତି ଲାଗି ରହିବ ।  ଆସନ୍ତା ୨ ଦିନ ଭିତରେ କେତେକ ସ୍ଥାନରେ  ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।  ଆଭ୍ୟନ୍ତରୀଣ ଓ ପଶ୍ଚିମର ଅନେକ ଜିଲ୍ଲାରେ  ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବା ସମ୍ଭାବନା  ଅଛି । ୨୬ରୁ ଗରମ ପ୍ରକୋପ କମିବା ସହ  କାଳବୈଶାଖୀ ବଢ଼ିପାରେ । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର  ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି,  ୨୫ ତାରିଖ ପରେ ତାତି କ୍ରମଶଃ କମିବ ।  ବର୍ତ୍ତମାନ ଉତ୍ତର-ପଶ୍ଚିମ ପଟୁ ତତଲା, ଶୁଷ୍କ  ପବନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରବେଶ  କରୁଥିବାରୁ ତାତି ବଢ଼ୁଛି । ଆରବ ସାଗର  ପଟୁ କର୍ଣ୍ଣାଟକ ଦେଇ ଉପକୂଳ ଓଡ଼ିଶା ଆଡ଼କୁ  ଆସୁଥିବା ପବନରେ ଜଳୀୟବାଷ୍ପ ଅଧିକ ରହୁଛି ।  ଯେଉଁଥିପାଇଁ ଉପକୂଳରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି । ସାଧାରଣତଃ ମେ’ର ଶେଷ  ଭାଗବେଳକୁ ଏଭଳି ଗୁଳୁଗୁଳି ହୋଇଥାଏ ।  ଏପ୍ରିଲରେ କେବଳ ଟାଣ ଖରା ଓ ଝାଞ୍ଜି ମାଡ଼  ହୁଏ । ଆସନ୍ତା ୨୩ରୁ ଉପକୂଳରେ ତାତି ପ୍ରକୋପ  ବଢ଼ିବା ସହ ଗୁଳୁଗୁଳି କମିପାରେ । ଉପକୂଳ  ୨୬ରୁ ଓ ଆଭ୍ୟନ୍ତରୀଣ ୨୭ରୁ ତାତିରୁ ନିସ୍ତାର  ପାଇବେ । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ  କାଳବୈଶାଖୀ ଅଧିକ ରହିବ ।  

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  ମଙ୍ଗଳବାର ଝାରସୁଗୁଡ଼ା ପୁଣି ୪୫ ଟପିବା  ସହ ବଲାଙ୍ଗୀର, ଟିଟିଲାଗଡ଼ ଆଦି ସ୍ଥାନରେ  ପାରଦ ୪୪ ଛୁଇଁପାରେ । ଉପକୂଳ ଓଡ଼ିଶାରେ  ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ । ୨୫  ଯାଏଁ ଆଭ୍ୟନ୍ତରୀଣ ଓ ପଶ୍ଚିମରେ ଏଭଳି ଗ୍ରୀଷ୍ମ  ପ୍ରବାହ ଲାଗି ରହିବ । ୨୨ରେ ଉପକୂଳରେ  ପାରଦ ୩୮, ୨୩ରେ ୩୯ ଡିଗ୍ରୀ ସେଲସିୟସ୍‌  ଟପିପାରେ । ୨୪ ତାରିଖରେ ଉପକୂଳରେ  ତାପମାତ୍ରା ପ୍ରାୟତଃ ୪୦-୪୧ ଡିଗ୍ରୀ ଛୁଇଁପାରେ । 

ସୋମବାର ଝାରସୁଗୁଡ଼ା ତାପମାତ୍ରା ୪୫.୪,  ବୌଦ୍ଧ ୪୩.୨, ସମ୍ବଲପୁର ୪୩, ସୁନ୍ଦରଗଡ଼  ୪୩, ଟିଟିଲାଗଡ଼ ୪୩, ଭବାନୀପାଟଣା  ୪୨.୫, ହୀରାକୁଦ ୪୨.୪, ବଲାଙ୍ଗୀର ୪୨.୩,  ସୋନପୁର ୪୨.୧, ରାଉରକେଲା ୪୨, ବରଗଡ଼  ୪୨ ଡିଗ୍ରୀ ଥିଲା । ନୂଆପଡ଼ା, ଅନୁଗୁଳ ଓ  ପାରଳାଖେମୁଣ୍ଡିରେ ପାରଦ ୪୦-୪୧ ଡିଗ୍ରୀ  ପାର୍‌ କରିଥିବାବେଳେ ଉପକୂଳରେ ଚାନ୍ଦବାଲି  ୩୮.୨, ବାଲେଶ୍ୱର ୩୭, ଭୁବନେଶ୍ୱର ୩୬  ଥିଲା । ଉପକୂଳ ଅଞ୍ଚଳରେ ଆର୍ଦ୍ରତା ୬୦%ରୁ  ୭୦% ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.