ଭୁବନେଶ୍ଵର, ୩୧/୦୮ : ବୈତରଣୀରେ ନାହିଁ ବନ୍ୟା ଆଶଙ୍କା। ଏବେ ଆଖୁଆପଦାଠାରେ ଜଳସ୍ତର ୧୮.୨୯ ମିଟର ରହିଛି। ବିପଦ ସଙ୍କେତ ଠାରୁ ଟିକେ କମ୍ କିନ୍ତୁ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ଅନୁଯାୟୀ ବୈତରଣୀରେ ଆଉ ଜଳସ୍ତର ବଢିବ ନାହିଁ। ତେଣୁ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ। ତଥାପି ଆମେ ପ୍ରସ୍ତୁତ ଅଛୁ। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗ ପର୍ଯ୍ୟନ୍ତ ସତର୍କ ଅଛନ୍ତି । ଅନ୍ୟ କେଉଁଠାରେ ବି ବନ୍ୟା ପରିସ୍ଥିତି ନାହିଁ।
ଚନ୍ଦ୍ର ଶେଖର ପାଢ଼ୀ ପୁଣି କହିଛନ୍ତି ଯେ, ବ୍ରାହ୍ମଣୀ, ବୁଢାବଳଙ୍ଗ ଏବଂ ମହାନଦୀରେ ବିପଦ ସଙ୍କେତ ତଳେ ଜଳସ୍ତର ରହୁଛି। ଏବେ ହୀରାକୁଦରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍ରେ ୪ ଲକ୍ଷ ୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ରେଙ୍ଗାଲିରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
ଏହି ଖବରଟିକୁ ପଢନ୍ତୁ- ଫୁଲୁଛି ବୈତରଣୀ, ସତର୍କ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ
ଗତକାଲିଠୁ ଭଦ୍ରକରେ ଲଗାଣ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏବେ ବି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।