ନୂଆଦିଲ୍ଲୀ,୩୧।୭: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ନିର୍ବାଚନ କମିଶନ ଆଗାମୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହା ଭିତରେ ଗୁରୁବାର ନିର୍ବାଚନ କମିଶନ୍ ଏହାକୁ ନେଇ ଏକ ଅପଡେଟ୍ ଜାରି କରିଛନ୍ତି। କମିଶନ୍ ୨୦୨୫ର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ସୂଚୀ ପ୍ରସ୍ତୁତି ପୁରା କରିଦେଇଛନ୍ତି। ଏହାକୁ ଅନ୍ତିମ ରୂପ ଦିଆଯାଇଛି। ଇଲେକ୍ଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାଏ । ଏହି ଇଲେକ୍ଟୋରାଲ କଲେଜରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ନିର୍ବାଚିତ ସାଂସଦ, କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ଓ ସମସ୍ତ ରାଜ୍ୟ ବିଧାନ ସଭାର ନିର୍ବାଚିତ ବିଧାୟକମାନଙ୍କଦ୍ୱାରା ଗଠିତ ।
ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ନିର୍ବାଚନ କମିଶନ୍ ପ୍ରେସ୍ ନୋଟ୍ ସେୟର କରି ଏହ କଥାର ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି, ନିର୍ବାଚନ କମିଶନ୍ ୨୦୨୫ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜର ସୂଚୀକୁ ଅନ୍ତିମ ରୂପ ଦେଇଛି। ଏହି ସଦସ୍ୟଙ୍କୁ ସମ୍ପର୍କିତ ସଦନର ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଆଧାରରେ ଆଲଫାବେଟିକାଲ୍ ଅର୍ଡରରେ ବ୍ୟବସ୍ଥିତ କ୍ରମରେ ସୂଚୀବନ୍ଧ କରାଯାଇଛି।
ଏହା ପୂର୍ବରୁ ଦେଶର ୧୪ ତମ ଉପରାଷ୍ଟ୍ରପତି ରହି ସାରିଥିବା ଜଗଦୀପ ଧନଖଡ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ସେ ୨୧ ଜୁଲାଇରେ ନିଜର ଇସ୍ତଫା ପ୍ରଦାନ କରିଥିଲେ। ସେଭଳି ଧନଖଡଙ୍କ ଇସ୍ତଫାର ଦୁଇ ଦିନ ପରେ ନିର୍ବାଚନ କମିଶନ୍ ଆଗାମୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପକ୍ରିୟା ଆରମ୍ଭ କରିଦେଇଛନ୍ତି। ଉଲ୍ଲେଖନୀୟ ଯେ, ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ହଠାତ ପଦ ଛାଡିବା କିମ୍ବା ଜରୁରୀ ସ୍ଥିତିରେ ତୁରନ୍ତ ନିର୍ବାଚନ କରିବାର ନିର୍ଦେଶ ଦିଆଯାଇଛି।