ନୂଆଦିଲ୍ଲୀ,୦୧/୦୮: ବଢିଲା ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ଅଡୁଆ । ପ୍ରଥମେ ଚଢାଉ ପରେ ଏବେ ସମନ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୭ ହଜାର କୋଟି ଟଙ୍କା ଋଣ ହେରଫେର ନେଇ ଅନୀଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ଇଡ଼ି ଡାକରା ଦେଇଛି । ଅଗଷ୍ଟ ୫ରେ ଇଡ଼ି ଅଫିସ୍ରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ଏହା ପୂର୍ବରୁ ଗତ ଗୁରୁବାର ଅନୀଲଙ୍କ ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ଅନେକ ଠିକଣାରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ସମନ୍ କରାଯାଇଛି । ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଗତ ସପ୍ତାହରେ ଇଡି ମୁମ୍ବାଇରେ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ୩୫ଟି ସ୍ଥାନରେ ଚଢାଉ କରିଥିଲା, ଯେଉଁଥିରେ ୫୦ଟି କମ୍ପାନୀ ଏବଂ ୨୫ ଜଣଙ୍କ ବିରୋଧରେ ତଦନ୍ତ କରାଯାଇଥିଲା । ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
ଇଟି ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ଜଣେ ବ୍ୟକ୍ତି ଏହି ଅଭିଯୋଗଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ,ରିଲାଏନ୍ସ ଇନଫ୍ରା ଫେବୃଆରୀ ୯ ରେ ଏହି ବିଷୟ ପ୍ରକାଶ କରିଥିଲା । ରିଲାଏନ୍ସ ଇନଫ୍ରାର ମୋଟ ନିବେଶ ୬,୫୦୦ କୋଟି ଟଙ୍କା ଥିଲା, ତେଣୁ ୧୦,୦୦୦ କୋଟି ଟଙ୍କାର ଅପବ୍ୟବହାର ଦାବି ଭୁଲ । ଏହି ପରିମାଣ ଆଦାୟ କରିବା ପାଇଁ, ରିଲାଏନ୍ସ ଇନଫ୍ରା ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ମଧ୍ୟସ୍ଥତାରେ ଏକ ଚୁକ୍ତିନାମା କରିଥିଲା, ଯାହା ବମ୍ବେ ହାଇକୋର୍ଟରେ ଦାଖଲ ହୋଇଛି ।
ସେବିର ତଦନ୍ତ- ଗତ ମେ ମାସରେ ଏହି ମାମଲାର ତଦନ୍ତ ପାଇଁ ସେବି ଇଡ଼ି, ନ୍ୟାସନାଲ ଫାଇନାନ୍ସିଆଲ୍ ରିପୋର୍ଟିଂ ଅଥରିଟି ଏବଂ ଇନସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି ବୋର୍ଡ ଅଫ୍ ଇଣ୍ଡିଆକୁ ଚିଠି ଲେଖିଥିଲା । ସେବିର ତଦନ୍ତରୁ ଜଣାପଡିଛି ଯେ, ଆର୍ ଇନଫ୍ରା ସମ୍ପର୍କିତ ପକ୍ଷ କାରବାରର ନିୟମ ପାଳନ କରିନାହିଁ ଏବଂ ସିଏଲଇ ତୃତୀୟ କମ୍ପାନୀ ଭାବରେ ଆର୍ଥିକ ବିବରଣୀରେ ଭୁଲ ସୂଚନା ଦେଇଛି । ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା, ଆର ଇନଫ୍ରା ଏବଂ ସିଏଇରେ ୮,୩୦୨ କୋଟି ଟଙ୍କାର ନିବେଶ ହୋଇଥିଲା, ଯେଉଁଥିରେ ଆସିଡି, ଇକ୍ୱିଟି ଏବଂ କର୍ପୋରେଟ୍ ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ରହିଛି ।
ସେବି ରିପୋର୍ଟ ଅନୁଯାୟୀ, ୨୦୧୩ ରୁ ୨୦୨୩ ପର୍ଯ୍ୟନ୍ତ, ଆର୍ ଇନଫ୍ରାର ସିଏଲଇରେ ଖର୍ଚ୍ଚ ତାର ମୋଟ୍ ସମ୍ପତ୍ତିର ୨୫-୯୦ପ୍ରତିଶତ ଥିଲା। ସିଏଲଇକୁ ରିଲାଏନ୍ସ ଇନଫ୍ରାର ଏକ ଅଂଶ ଭାବରେ ବିବେଚନା କରାଯାଉଥିଲା, କାରଣ ଏହାର ବ୍ୟାଙ୍କ ଆକାଉଣ୍ଟର ସ୍ୱାକ୍ଷରକାରୀମାନେ ରିଲାଏନ୍ସ ଏଡିଏ ଗ୍ରୁପର ଇମେଲ୍ ବ୍ୟବହାର କରୁଥିଲେ । ଏହା ସହିତ, ସିଏଲଇର ନିର୍ଦ୍ଦେଶକ ଏବଂ ପ୍ରମୁଖ କର୍ମଚାରୀମାନେ ରିଲାଏନ୍ସ ଗ୍ରୁପର ଥିଲେ । ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଭାବରେ ଅନୀଲ ଅମ୍ବାନୀ ମାର୍ଚ୍ଚ ୨୦୧୯ ସୁଦ୍ଧା ଆର ଇନଫ୍ରାର ୪୦% ରୁ ଅଧିକ ଅଂଶଧନ ଏବଂ ନିୟନ୍ତ୍ରଣ ରଖିଥିଲେ ।
କହି ରଖୁଛୁ କି, ଇଡ଼ି ଜାଲରେ ଫସିଛନ୍ତି ଅନୀଲ ଅମ୍ବାନୀ । ଗତ ୨୪ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଧୀରୁଭାଇ ଅମ୍ବାନୀ ଗ୍ରୁପ ସହ ଜଡ଼ିତ ୫୦ କମ୍ପାନୀ ଏବଂ ୩୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ୟେସ୍ ବ୍ୟାଙ୍କ ଋଣ ଠକେଇ ସହ ଜଡ଼ିତ ମନିଲଣ୍ଡରିଂ ମାମଲାର ଯାଞ୍ଚ ଅନ୍ତର୍ଗତ ଚଢାଉ କରାଯାଇଥିଲା । ଅନୀଲ ଅମ୍ବାନୀଙ୍କ ଅନେକ କମ୍ପାନୀ ଦେବାଳିଆ ପ୍ରକ୍ରିୟାର ସାମ୍ନା କରୁଛନ୍ତି । ତାଙ୍କ ନାମରେ ୟେସ୍ ବ୍ୟାଙ୍କ ଋଣ ରାଶିର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।