ନୂଆଦିଲ୍ଲୀ ୦୧/୦୮: ୭୧ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଁ ବିଜେତାଙ୍କ ନାଁ ଘୋଷଣାର ଶେଷ ପର୍ଯ୍ୟାୟରେ ଅଛନ୍ତି ବିଚାରକମଣ୍ଡଳୀ । ଏହି କ୍ରମରେ ସଦ୍ୟ ଖବର ହିନ୍ଦୀ ସିନେ ଜଗତରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିନେତା ବିକ୍ରାନ୍ତ ମେସି ଓ ରାନୀ ମୁଖାର୍ଜୀ ୭୧ତମ ଜାତୀୟ ସମ୍ମାନ ପାଇଁ ବଡ଼ ଦାବିଦାର ହୋଇଛନ୍ତି । ଫିଲ୍ମ ‘ଟ୍ୱେଲ୍ଥ ଫେଲ୍’ରେ ବିକ୍ରାନ୍ତଙ୍କ ପ୍ରଦର୍ଶନ ଏବଂ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ରେ ରାନୀଙ୍କ ଭୂମିକା ବର୍ଷର କିଛି ସର୍ବୋତ୍କୃଷ୍ଟ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି ।
ସଦ୍ୟ ରିପୋର୍ଟ ଅନୁସାରେ, ଚଳିତ ବର୍ଷର ଜାତୀୟ ସମ୍ମାନ ଉପରେ ନିଷ୍ପତ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ବିକ୍ରାନ୍ତ ଓ ରାନୀ ଆଗଧାଡ଼ିରେ ଅଛନ୍ତି । ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଫିଲ୍ମ ଭାବେ ଆଲିୟା ଭଟ୍ଟ ଓ ରଣବୀର ସିଂହଙ୍କ ‘ରକି ଔର୍ ରାନୀ କୀ ପ୍ରେମ୍ କାହାନୀ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ହାସଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଜାତୀୟ ସମ୍ମାନ ଭାରତୀୟ ସିନେମା ଉଦ୍ୟୋଗରେ ସବୁଠୁ ସମ୍ମାନାସ୍ପଦ ପୁରସ୍କାର, ଯାହା ସିନେମାର ବିଭିନ୍ନ ବିଭାଗରେ ସର୍ବୋତ୍କୃଷ୍ଟ କଳାତ୍ମକ ଯୋଗଦାନକୁ ମାନ୍ୟତା ଦିଏ ।
ଚଳିତ ବର୍ଷ ଜାତୀୟ ସମ୍ମାନର ଚୂଡ଼ାନ୍ତ ତାଲିକାକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ୭୦ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ କନ୍ନଡ଼ ଫିଲ୍ମ ‘କାନ୍ତାରା’ରେ ଚମତ୍କାର ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ଋଷଭ ଶେଟ୍ଟୀ । ନିତ୍ୟା ମେନନ୍ (ତିରୁଚିତ୍ରାମ୍ବଲମ୍) ଓ ମାନସୀ ପାରେଖ (କଚ୍ଛ ଏକ୍ସପ୍ରେସ୍) ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଥିଲେ ।