ମୁମ୍ୱାଇ : ପୁଣି କ୍ରିକେଟ୍ ଜଗତରୁ ଆସିଲା ନିରାଶର ଖବର। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି। ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି। ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସେହୱାଗ ଓ ଆରତୀ ପରସ୍ପର ଠାରୁ ଇନଷ୍ଟାଗ୍ରାମରେ ଅନଫଲୋ କରି ଦେଇଛନ୍ତି। ଏଥିରେ ତାଙ୍କର ସଂପର୍କରେ ଫାଟ ସୃଷ୍ଟି ହେବାର ଖବର ସାମନାକୁ ଆସୁଛି।
ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ , ପରିବାରର ନିକଟତମ ସୂତ୍ରାନୁସାରେ , ଦୁହେଁ ଅନେକ ଦିନରୁ ଅଲଗା ଅଲଗା ରହୁଛନ୍ତି ଏବଂ ଛାଡ଼ପତ୍ରର ସମ୍ଭାବନା ରହିଛି। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ବିରେନ୍ଦ୍ର ସେହୱାଗ ୨୦୦୪ ମସିହାରେ ବିବାହ କରିଥିଲେ। ତାଙ୍କର ଦୁଇ ଜଣ ପିଲା ଅଛନ୍ତି। ୨୦୦୭ରେ ଆର୍ଯ୍ୟବୀର ସେହୱାଗ ଓ ୨୦୧୦ରେ ବେଦାନ୍ତ ସେହୱାଗ ଜନ୍ମ ହୋଇଥିଲେ। ଏହି ଦୁଇ ଜଣ ପିଲା ଏବେ ଟିନଏଜର।
ଯଦି ଆପଣ ବିରେନ୍ଦ୍ର ସେହୱାଗଙ୍କୁ ଇନଷ୍ଟାଗ୍ରାମ୍ରେ ଫଲୋ କରୁଥିବେ ତ ଆପଣ ଦେଖି ଥିବେ ଯେ, ବିରେନ୍ଦ୍ର ସେହୱାଗ ଶେଷ ଫଟୋ ନିଜ ପରିବାରର ଦୀପାବଳି ୨୦୨୪ରେ ପୋଷ୍ଟ କରିଥିଲେ। ସେ ଫଟୋରେ ସେହୱାଗଙ୍କ ବ୍ୟତୀତ ତାଙ୍କର ପୁଅ ଓ ମାଆ ନଜର ଆସିଛନ୍ତି। କିନ୍ତୁ ପତ୍ନୀ ଆରତୀ ଅହଲାୱତ ନଜର ଆସି ନାହାନ୍ତି। ଏଥିରେ ବୁଝା ପଡ଼ୁଛି କି, ଦୀର୍ଘ ଦିନରୁ ରହି ଆସିଥିବା ଏହି ଦମ୍ପତିଙ୍କର ପାର୍ଟନରସିପ୍ ଏବେ ଭାଙ୍ଗିବାକୁ ଯାଉଛି।
ଅନ୍ୟପଟେ ସେହୱାଗ ମଧ୍ୟ ଉକ୍ତ ମାମଲାକୁ ନେଇ ନିରବ ରହିଛନ୍ତି। ଏହାକୁ ନେଇ ଆରତୀ ଓ ସେହୱାଗଙ୍କ ଅଲଗା ହେବାର ଗୁଜବକୁ ବଳ ମିଳି ଯାଇଛି। ଦୁଇ ସପ୍ତାହ ପୂର୍ବେ ବିରେନ୍ଦ୍ର ସେହୱାଗ ପଲକ୍କଡରେ ବିଶ୍ୱ ନାଗୟକ୍ଷୀ ମନ୍ଦିର ଯାଇଥିଲେ। ଏହାର ଫଟୋ ତାଙ୍କର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ହେଲେ , ସେଥିରେ ବି ଆରତୀ କେଉଁଠି ନଜର ଆସି ନଥିଲେ। ଏଥିରୁ ବି ତାଙ୍କର ସଂପର୍କରେ ଆସିଥିବା ଫାଟ ବିଷୟରେ ସଙ୍କେତ ମିଳିଥାଏ। ଏହା ଉପରେ ସେହୱାଗ କି ଆରତୀଙ୍କ ପକ୍ଷରୁ କୌଣସି ବୟାନ ଏବେସୁଦ୍ଧା ଆସି ନାହିଁ।