ନୂଆଦିଲ୍ଲୀ ୨୪/୦୧: ୯୭ତମ ଏକାଡେମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଫିଲ୍ମଗୁଡ଼ିକର ନାଁ ଗୁରୁବାର ସନ୍ଧ୍ୟାରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟ୍ସ ଆଣ୍ଡ୍ ସାଇନ୍ସେସ୍ ପକ୍ଷରୁ ଘୋଷଣା କରାଯାଇଛି । ଭାରତୀୟ ଫିଲ୍ମ ପ୍ରଯୋଜକ ଗୁନିତ ମୋଙ୍ଗା ଏ ବର୍ଷ ମଧ୍ୟ ଓସ୍କାର ଆଶା ରଖିଛନ୍ତି । ତାଙ୍କ ଫିଲ୍ମ ‘ଅନୁଜା’କୁ ଓସ୍କାର ପାଇଁ ମନୋନୀତ କରାଯାଇଛି । ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଭାରତୀୟ-ଆମେରିକୀୟ ହିନ୍ଦୀ ଭାଷୀ ଫିଲ୍ମ ଅନୁଜା ନାମିତ ହୋଇଛି । ଗୁନିତଙ୍କ ବ୍ୟତୀତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ମଧ୍ୟ ଅନୁଜା ସହ ଯୋଡ଼ି ହୋଇଛି । ପ୍ରିୟଙ୍କା ଫିଲ୍ମର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ଅଛନ୍ତି ।
ଫିଲ୍ମଟି ୯ ବର୍ଷର ଝିଅ ଅନୁଜାଙ୍କ କାହାଣୀ । ସେ ବଡ଼ ଭଉଣୀ ପଲକଙ୍କ ସହ ଏକ ଫ୍ୟାକ୍ଟ୍ରିରେ କାମ କିମ୍ବା ପାଠ ପଢ଼ିବା ଭିତରୁ ଗୋଟିଏକୁ ବାଛିବା ଲାଗି ବାଧ୍ୟ ହୋଇଛନ୍ତି । ତାଙ୍କୁ ବୋର୍ଡିଂ ସ୍କୁଲରେ ପଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳୁଛି । ଏହି ନିଷ୍ପତ୍ତି କିପରି ତାଙ୍କର ଏବଂ ତାଙ୍କ ଭଉଣୀଙ୍କ ଜୀବନ ବଦଳାଉଛି ତାହା ଉପରେ ଫିଲ୍ମ ଆଧାରିତ । ଅନୁଜା ଚରିତ୍ରରେ ୯ ବର୍ଷୀୟା ସଜଦା ପଠାନ ଅଭିନୟ କରିଛନ୍ତି । ସଜଦା ୨୦୨୩ରେ ଆସିଥିବା ଫିଚର ଫିଲ୍ମ ‘ଦ ବ୍ରେଡ୍’ରେ କାମ କରି ସାରିଛନ୍ତି । ବଡ଼ ଭଉଣୀ ଭୂମିକାରେ ଅନନ୍ୟା ଶାନ୍ଭାନ ଅଛନ୍ତି । ଗୁନିତଙ୍କ ପ୍ରଯୋଜନାରେ ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ ୨୦୨୩ରେ ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ଅସ୍କାର ହାସଲ କରିଥିଲା । ଶ୍ରେଷ୍ଠ ଫିଲ୍ମ ବର୍ଗରେ ମନୋନୀତ ହୋଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଉଛି ଆନୋରା, ଦ ବ୍ରୁଟାଲିଷ୍ଟ, ଏ କମ୍ପ୍ଲିଟ୍ ଅନ୍ନୋନ୍, କନ୍କ୍ଲେଭ୍, ଡ୍ୟୁନ୍: ପାର୍ଟ ୨, ଏମିଲିଆ ପେରେଜ୍, ଆଇ ଆମ୍ ଷ୍ଟିଲ୍ ହିଅର, ନିକେଲ ବଏଜ୍, ଦ ସବ୍ଷ୍ଟାନ୍ସ, ୱିକ୍ଡ ରହିଛି ।
ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ଜାକ୍ୟୁସ୍ ଅଡିଆର୍ଡ, ସିନ୍ ବେକର, ବ୍ରାଡି କୋରବେଟ୍, କୋରାଲି ଫାରଗେଟ୍, ଜେମ୍ସ ମ୍ୟାନ୍ଗୋଲ୍ଡଙ୍କ ନାଁ ନାମିତ ହୋଇଛି । ଶ୍ରେଷ୍ଠ ଅଭିନେତା ବର୍ଗରେ ରହିଛନ୍ତି ଏଡ୍ରିନ୍ ବ୍ରୋଡି, ଟିମୋଥି ଚାଲାମେଟ୍, କୋଲମ୍ୟାନ୍ ଡୋମିନ୍ଗୋ, ରାଲ୍ଫ ଫିନ୍ନେସ୍, ସେବାଷ୍ଟିଆନ୍ ଷ୍ଟାନ୍ । ସିନ୍ଥିଆ ଏରିଭୋ, କାର୍ଲା ସୋଫିଆ ଗାସ୍କୋନ୍, ମିକି ମାଡିସନ୍, ଡେମି ମୁରେ, ଫର୍ଣ୍ଣାଡା ଟୋର୍ସ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨ରେ ଲସ୍ ଏଞ୍ଜେଲ୍ସର ଓଭେସନ୍ ହଲିଉଡ୍ ଡଲ୍ବି ଥିଏଟରରେ ଓସ୍କାର ପୁରସ୍କାର ସମାରୋହ ଆୟୋଜନ ହେବ । ଜାନୁଆରୀ ୧୭ରେ ମନୋନୀତ ହୋଇଥିବା ଫିଲ୍ମ, ଅଭିନେତା, ଅଭିନେତ୍ରୀ ତଥା ଅନ୍ୟ କଳାକାରଙ୍କ ନାଁ ଘୋଷଣା ହେବାର ଥିଲା । କିନ୍ତୁ ଲସ୍ ଏଞ୍ଜେଲ୍ସରେ ବନାଗ୍ନି ବିପର୍ଯ୍ୟୟ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।