ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବଜେଟ୍ ୨୦୨୫: ଶ୍ରମ କୋଡ୍‌ କାର୍ଯ୍ୟାନ୍ୱୟନ ଦିଗରେ ଆସିପାରେ ପ୍ରସ୍ତାବ

Published By : Anindita Ratha | January 24, 2025 11:48 AM

ନୂଆଦିଲ୍ଲୀ,୨୪/୦୧: ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆସନ୍ତା ଫେବୃଆରୀ ୧ରେ ସାଧାରଣ ବଜେଟ୍‌କୁ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।  ଏ ବଜେଟ୍‌କୁ ନେଇ  ଆଶା ବାନ୍ଧି ବସିଛନ୍ତି ଅନେକ। ଆସନ୍ତା ଆର୍ଥିକବର୍ଷ ଆରମ୍ଭରୁ ପ୍ରସ୍ତାବିତ ୪ ଶ୍ରମ କୋଡ୍‌କୁ ଧୀରେ ଧୀରେ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ବଜେଟ୍‌ରେ ଏକ ରଣନୀତି ଆଣିପାରନ୍ତି କେନ୍ଦ୍ର ସରକାର । ବଡ଼ ବଡ଼ ପ୍ରତିଷ୍ଠାନଗୁଡ଼ିକୁ ଏଥିରେ ପ୍ରାଥମିକତା ଦିଆଯାଇପାରେ । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ୩-ପର୍ଯ୍ୟାୟ ନିୟୋଜନ ସହିତ କେତେକ କାର୍ଯ୍ୟାନ୍ୱୟନ ବିକଳ୍ପ ଉପରେ ବିଚାର ଚାଲିଛି । ପ୍ରଥମ ବର୍ଷରେ ୫୦୦ରୁ ଅଧିକ କର୍ମଚାରୀ ଥିବା ବଡ଼ କମ୍ପାନିଗୁଡ଼ିକୁ ଆଇନ ଅନୁପାଳନ କରିବାକୁ ପଡ଼ିପାରେ । ଏହା ପରେ ଦ୍ୱିତୀୟ ବର୍ଷରେ ୧୦୦ରୁ ୫୦୦ କର୍ମଚାରୀବିଶିଷ୍ଟ ମଧ୍ୟମ ଧରଣ ସଂସ୍ଥାଗୁଡ଼ିକ ଆଇନ ପରିସରକୁ ଆସିବେ । 

ତୃତୀୟ ବର୍ଷରେ ୧୦୦ ପର୍ଯ୍ୟନ୍ତ କର୍ମଚାରୀ ଥିବା କ୍ଷୁଦ୍ର କମ୍ପାନିଗୁଡ଼ିକ ଆଇନ ପରିସରକୁ ଆସିପାରନ୍ତି । ଏହି ବ୍ୟବସ୍ଥା ଦ୍ୱାରା ଭାରତୀୟ ବ୍ୟବସାୟ କ୍ଷେତ୍ରରେ ୮୫% ଯୋଗଦାନ ରଖୁଥିବା କ୍ଷୁଦ୍ର କମ୍ପାନିଗୁଡ଼ିକୁ କୋଡ୍‌ ସହ ଅନୁପାଳିତ ହେବା ପାଇଁ ଦୁଇ ବର୍ଷ ସମୟ ମିଳିବ । ଏହି କୋଡ୍‌କୁ ନେଇ ଚିଠା ନୀତି ପ୍ରସ୍ତୁତ କରିବା ପାଇଁ ଶ୍ରମ ମନ୍ତ୍ରାଳୟ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ପ୍ରଶାସନ ସହ ଆଲୋଚନା କରୁଥିବା ଜଣାପଡ଼ିଛି । ଚିଠା ନୀତି ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରମ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉଭୟ ରାଷ୍ଟ୍ରର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ୪ଟି ଯାକ କୋଡ୍‌ର ଚିଠାନୀତିକୁ ନେଇ ସମସ୍ତ ରାଜ୍ୟ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବେ ବୋଲି ଶ୍ରମ ମନ୍ତ୍ରାଳୟ ଆଶାବାଦୀ ରହିଛି । ସୂଚନାଯୋଗ୍ୟ, ସାମଗ୍ରିକ ସାମାଜିକ ସୁରକ୍ଷା ପାଇଁ ବ୍ୟବସାଗୁଡ଼ିକର କାରବାର ଦକ୍ଷତା ବୃଦ୍ଧି ଏବଂ ଅଗ୍ରଗତି ପାଇଁ ଶ୍ରମ ମନ୍ତ୍ରାଳୟ ୨୯ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଇ ୪ଟି ଶ୍ରମ କୋଡ୍‌କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଛି ।

ଆସନ୍ତା ଆର୍ଥିକବର୍ଷ ପାଇଁ ସବ୍‌ସିଡି ନିମନ୍ତେ ବ୍ୟୟବରାଦ ବଢ଼ାଇପାରନ୍ତି କେନ୍ଦ୍ର  ସରକାର । ଖାଦ୍ୟ, ସାର ଏବଂ ରନ୍ଧନ ଗ୍ୟାସ୍‌ ବାବଦ ସବ୍‌ସିଡି ବ୍ୟୟ ୪.୧ ଲକ୍ଷ  କୋଟି ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଉଚ୍ଚ ଖାଦ୍ୟ ଏବଂ  ଇନ୍ଧନ ଖର୍ଚ୍ଚରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ଏଥର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ସବ୍‌ସିଡି ବ୍ୟୟକୁ ୮% ବଢ଼ାଇପାରନ୍ତି ବୋଲି ଜଣାପଡ଼ିଛି ।  ଆସନ୍ତା ୧ ତାରିଖରେ ଅର୍ଥମନ୍ତ୍ରୀ ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷ ପାଇଁ  ସାଧାରଣ ବଜେଟ୍‌କୁ ଉପସ୍ଥାପନ କରିବେ । ଏସିଆର ତୃତୀୟ ବୃହତ୍‌ ଅର୍ଥନୀତିରେ  ମନ୍ଥର ଅଭିବୃଦ୍ଧି ଏବଂ ବର୍ଦ୍ଧିତ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଏ ବଜେଟ୍‌ ଗୁରୁତ୍ୱ ବହନ  କରୁଛି । ସହରାଞ୍ଚଳରେ ଚାହିଦା ହ୍ରାସ ଏବଂ କମ୍ପାନିଗୁଡ଼ିକ ପକ୍ଷରୁ ନିବେଶ ଖସିବା  ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ରହିଛି । ଏଭଳି କ୍ଷେତ୍ରରେ ସବ୍‌ସିଡି ବଢ଼ାଇ  ଅର୍ଥନୀତିରେ ଚାହିଦା ଫେରାଇ ଆଣିବା ଲକ୍ଷ୍ୟ ରହିବ । ସରକାର ଆକଳନ  କରିଛନ୍ତି ଯେ, ଆସନ୍ତା ଆର୍ଥିକବର୍ଷରେ ଦେଶର ଖାଦ୍ୟ ସବ୍‌ସିଡି ବିଲ୍‌ ପ୍ରାୟ  ୫% ବଢ଼ି ୨.୧୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.