ଭୁବନେଶ୍ୱର,୨୩/୦୧: ଚଳିତ ବର୍ଷ ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସମ୍ବଲପୁର ଠାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । କ୍ରିକେଟ୍ ଆସୋସିଏସନର ସଦସ୍ୟମାନଙ୍କ ସହ କ୍ରିକେଟ୍ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମ୍ୟାଚର ଟିକେଟ୍ କିଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି । ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିବା ସହିତ ବାରବାଟୀରେ କିପରି ଭାରତ-ଇଂଲଣ୍ଡ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ନେଇ ପ୍ରାର୍ଥନା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଜଗନ୍ନାଥଙ୍କୁ ଟିକେଟ ପ୍ରଦାନ ସମୟରେ ପୁରୀ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଓ ଶ୍ରୀମନ୍ଦିର ସେବାୟତ ଉପସ୍ଥିତ ଥିଲେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଲାଗି ଟିକେଟ୍ କିଣିଛନ୍ତି । ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡିଶା ଅଲମ୍ପିକ୍ସ ଆସୋସିଏସନର ସମ୍ପାଦକ ଅଭିଜିତ୍ ପାଲ, ପର୍ବତନ ବିଧାୟକ ତଥା ରଣଜୀ ଟିମ୍ କୋଚ୍ ରଞ୍ଜୀବ ବିଶ୍ବାଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରର ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିଥିଲେ ।