ବାଙ୍ଗିରିପୋଷି,୨୩/୩(ଆ.ପ୍ର): ଢେଲା ମାଡ଼ରେ ରାଜସ୍ବ ମନ୍ତ୍ରୀଙ୍କ କାରକେଡ ଗାଡିର କାଚ ଭାଙ୍ଗିଲେ ଲୋକେ। ଏପରିକି ଗଣ୍ଡଗୋଳ ରୋକିବାକୁ ପ୍ରୟାସ କରୁଥିବା ପୋଲିସକୁ ଟଣା ଓଟରା ସହ ମାଡ଼ ମଧ୍ୟ ମାରିଥିଲେ। ସରକାରୀ ସହାୟତା ମିଳିନଥିବା ଓ ସେମାନଙ୍କ ଗାଁକୁ କାହିଁକି ମନ୍ତ୍ରୀ ଆସିଲେନି ବୋଲି ଅଭିଯୋଗ କରି ବାଙ୍ଗିରିପୋଷି- ଭୁଆସୁଣୀ ରାସ୍ତା ଅବରୋଧ କରି ବସିଥିଲେ ସ୍ଥାନୀୟ ଗ୍ରାମବାସୀ ।
କାଳବୈଶାଖୀରେ ବାଙ୍ଗିରିପୋଷି ଅଞ୍ଚଳରେ ପ୍ରଭାବିତ ହେଇଥିବା ସ୍ଥାନ ପରିଦର୍ଶନ କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବାଙ୍ଗିରିପୋଷି ମିନି ଷ୍ଟାଡିୟମ ନିକଟରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ବିଭିନ୍ନ ପ୍ରଭାବିତ ସ୍ଥାନ ପରିଦର୍ଶନ କରିଥିଲେ। ରାଜସ୍ୱ ମନ୍ତ୍ରୀ ସ୍ୱଳ୍ପ ସମୟ ମଧ୍ୟରେ ଅଧିକାଂଶ ଗ୍ରାମକୁ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ । ଗ୍ରାମବାସୀଙ୍କୁ ଦୁଇ ଦିନ ମଧ୍ୟରେ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନଲାଇନ୍ ମାଧ୍ୟମରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ଅର୍ଥ ତୁରନ୍ତ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ସରକାରୀ ସହାୟତା ମିଳିନଥିବା ଓ ସେମାନଙ୍କ ଗାଁକୁ କାହିଁକି ମନ୍ତ୍ରୀ ଆସିଲେନି ବୋଲି ଅଭିଯୋଗ କରି ବାଙ୍ଗିରିପୋଷି- ଭୁଆସୁଣୀ ରାସ୍ତା ଅବରୋଧ କରି ବସିଥିଲେ କିଛି ସ୍ଥାନୀୟ ଗ୍ରାମବାସୀ । ଉକ୍ତ ସମୟରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା ତାଙ୍କର କାରକେଡ ଉପରେ କିଛି ଦୁବୃର୍ତ୍ତ ଢେଲା ପଥର ଫିଙ୍ଗିଥିଲେ। ଫଳରେ ଗାଡ଼ିର କାଚ ଗୁଡ଼ିକ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଲୋକଙ୍କୁ ଗଣ୍ଡଗୋଳ ନକରିବା ପାଇଁ ଅନୁରୋଧ କରୁଥିବା ବେଳେ ପୁଲିସ ଉପରକୁ ମଧ୍ଯ ଆକ୍ରମଣ କରିବାକୁ ପଛେଇ ନଥିଲେ କିଛି ଅମାନିଆ। ଫଳରେ ଢେଲା ମାଡ଼ରେ ଜଣେ ପୋଲିସ କର୍ମଚାରୀର ମୁଣ୍ଡ ଫାଟିଥିବା ଜଣାପଡିଛି।
ସେହିପରି ପଲିଥିନ ପାଇନଥିବା ଅଭିଯୋଗରେ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ କିଛି ସ୍ଥାନୀୟ ବାସିନ୍ଦା ବାଙ୍ଗିରିପୋଷି - କଳାବାଡିଆ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଚୁଆପାଣି ଗ୍ରାମ ନିକଟରେ ମଧ୍ୟ ଅନୁରୂପ ଭାବେ ଉପ ଜିଲ୍ଲାପାଳଙ୍କ ଗାଡ଼ି ଅଟକ ରଖିଥିଲେ ଜିଛି ଗ୍ରାମବାସୀ। ତେବେ ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।