ବେତନଟୀ, ୧୪/୩ : ୧୮ନଂ ଜାତୀୟରାଜପଥ ବେତନଟୀ ଉପକଣ୍ଠ ତୁଳସୀଚଉରାଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନରେ ଏକ ଦ୍ରୁତଗାମୀ ମୋଟରସାଇକେଲ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ ଇଲେକ୍ଟ୍ରିଖୁଣ୍ଟରେ ପିଟି ହୋଇଯାଇଥିଳା । ଫଳରେ ଜନୈକା ୭ବର୍ଷ ଶିଶୁକନ୍ୟାର ବାମ ଗୋଡ଼ ଛିଣ୍ଡି ଯାଇ ଶରୀରରୁ ଅଲଗା ହୋଇଯାଇଛି । ସେହିଭଳି ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି l
ସୂଚନା ମୁତାବକ ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଗ୍ରାମର ଯୁବକ ରଜ ସିଂ କାଳିଚରଣ ସିଂ ନାମରେ ପଞ୍ଜିକୃତ ଓଡି -୧୧ଭି -୬୧୮୦ନମ୍ବର ବିଶିଷ୍ଟ ବାଇକ ଯୋଗେ ଗ୍ରାମର ମମତା ସିଂ(୨୫), ତପନୀ ସିଂ(୨୨) ଏବଂ ୮ବର୍ଷର ଶିଶୁକନ୍ୟା ବୈଷ୍ଣବୀ ସିଂଙ୍କୁ ନେଇ ଦ୍ରୁତଗତିରେ ବେତନଟୀ ଅଭିମୁଖେ ଆସୁଥିଲେ l କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵସ୍ଥ ଇଲେକ୍ଟ୍ରିଖୁଣ୍ଟରେ ପିଟି ହୋଇ ଯାଇଥିଲା l ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ି ସାମ୍ନାରେ ବସିଥିବା ବୈଷ୍ଣବୀଙ୍କ ବାମଗୋଡ଼ ଛିଣ୍ଡିଯାଇ ଶରୀରରୁ ଅଲଗା ହୋଇଯାଇଥିଲା l
ଏଥିରେ ଚାଳକ ରଜ ସିଂଙ୍କ ସମେତ ମମତା ଓ ତପନୀ ମଧ୍ୟ ଗୁରୁତର ହୋଇଥିଲେ l ବେତନଟୀ ପୁଲିସ ସ୍ଥାନୀୟ ସମାଜସେବୀ ସୁଜିତ ବେହେରା ଓ ଅନ୍ୟାନ୍ୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଖବରପାଇ ବଡ଼ ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଡାକ୍ତରଖାନାରେ ପହଞ୍ଚିଥିଲେ l ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କିଭଳି ୮ବର୍ଷର ଶିଶୁ କନ୍ୟା ବୈଷ୍ଣବୀଙ୍କ ଗୋଡ଼ ସଫଳ ଅସ୍ତ୍ରୋପଚାର ପୂର୍ବକ ଶରୀରରେ ଯୋଡ଼ା ଯାଇ ପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି l ଏପଟେ ଗୁରୁତର ରଜ, ମମତା ଓ ତପନୀଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ବେତନଟୀ ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ନିଜ ହେପାଜତକୁ ନେଇଛି l