ଫୁଲବାଣୀ,୧୪/୩ : ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ମୁସ୍କାନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ଵାରା ପ୍ରାୟୋଜିତ ତଥା କମ୍ଯୁନିଟି ରେଡିଓ ଆସୋସିଏସନ ଦ୍ଵାରା ପ୍ରସ୍ତୁତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ "ଆମ ବରିଷ୍ଠ ନାଗରିକ, ଆମର ସ୍ବାଭିମାନ" ଶୀର୍ଷକ ଉପରେ ଆଲୋଚନା ହୋଇଥିଲା।
ଏହା ଏକ କାର୍ଯ୍ୟକ୍ରମ ନୁହେଁ, ଏକ ମିଶନ। ଏହି କାର୍ଯ୍ୟକ୍ରମ ଜରିଆରେ, ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ସମ୍ପର୍କରେ ସଚେତନତା କରାଯିବ ବୋଲି ରେଡିଓ ମୁସ୍କାନର ମୁଖ୍ୟ ସୁଶ୍ରୀ ଶିବାନୀ ସୁଆର କହିଥିଲେ। ବରିଷ୍ଠ ନାଗରିକ ଅନନ୍ତ ଚରଣ ମିଶ୍ର,ନବୀନ କିଶୋର ପଣ୍ଡା,ପ୍ରଣବ ମଣ୍ଡଳ,ପଦ୍ମଚରଣ ସ୍ୱାଇଁ, ରବୀନ୍ଦ୍ର ନାଥ ମିଶ୍ର,ରାଜେନ୍ଦ୍ର କୁମାର ପାଢୀ, ପ୍ରଶାନ୍ତ କୁମାର ବେହେରା, ନବକିଶୋର ରଥ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କର ସମାଜରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ସେମାନଙ୍କ ସୁବିଧା ତଥା ସ୍ବାଭିମାନ ପାଇଁ ସରକାର ଓ ସମାଜର କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ। ଦୀନେଶ ମହାପାତ୍ର ଓ ଚନ୍ଦନ ସୁଆର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।