ଭୁବନେଶ୍ଵର, ୨୨/୦୩ : ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ୨ ଦିନ ବନ୍ଦ। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଶନିବାର ଏବଂ ରବିବାର ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏନେଇ ସୂଚନା ଦେଇଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ଲଗାତାର ବର୍ଷା ହୋଇଛି। ଗୁରୁବାର ଦିନ ଅପରାହ୍ନରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକ ଆଦିରେ କୁଆପଥର ମାଡ଼ ସହ ବର୍ଷା ହୋଇଥିବା ବେଳେ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ହାନୀ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ମୋଟ ୧୯ଟି ପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଏବଂ ୨୯୫ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି । ଏତଦ୍ବ୍ୟତୀତ ଏହି କୁଆପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ପାଣିପାଗ :-
ଶନିବାର ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହେବ । ୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେବା ସହ ଅରେଞ୍ଜ ସତର୍କତା ଜାରି କରିଛି ।
ଏହି ଖବରଟିକୁ ପଢନ୍ତୁ-କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ