ଭୁବନେଶ୍ବର,୨୩।୩ : କେନ୍ଦ୍ର ଶକ୍ତି, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଭୁବନେଶ୍ବରଠାରେ ଓଡିଶାର ଶକ୍ତି କ୍ଷେତ୍ରର ବିକାଶ ଉପରେ ସମୀକ୍ଷା ବୈଠକ କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ଫ୍ଲାଏ ଆଶର ଉପଯୋଗ, କ୍ଷମତା ବୃଦ୍ଧି, ସଞ୍ଚାରଣ ଭିତ୍ତିଭୂମି ଏବଂ ବିଦ୍ୟୁତ ଆବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡିକ ଆଲୋଚନା କରାଯାଇଛି
ଫ୍ଲାଇ ଆଶ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ ବ୍ୟବସ୍ଥା କରାଯିବ। ଏହି ପ୍ରସଙ୍ଗର ବ୍ୟାପକ ସମାଧାନ ନିମନ୍ତେ କୋଇଲା, ପରିବେଶ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏକ ମିଳିତ ବୈଠକ ଡକାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେହିପରି ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଓଡିଶାରେ ଅଧିକ ପିଟ-ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟର ବିକାଶକୁ ପ୍ରୋତ୍ସାହିତ କରିଥିଲେ।
ଓଡିଶାର ରାଜ୍ୟବ୍ୟାପୀ ସଞ୍ଚାରଣ ନେଟଓ୍ବାକ ଅଧୀନରେ ଗ୍ରୀନ ଏନର୍ଜି କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସଂକଳନ ପ୍ରକ୍ରିୟା ସମାପ୍ତ ହେବା ପରେ ମାର୍ଚ୍ଚ ୩୧ ପରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଦ୍ବାରା ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।
ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ)ର ପରବର୍ତ୍ତି ପର୍ଯ୍ୟାୟରେ ଓଡିଶାକୁ ସାମିଲ କରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ଗ୍ରହଣ କରାଯିବ। ବିଦ୍ୟୁତ ଆବଣ୍ଟନ ସମ୍ପର୍କରେ ସେ କହିଥିଲେ ଯେ ଶକ୍ତି ମନ୍ତ୍ରଣାଳୟର ନିର୍ଦେଶାବଳୀ ଅନୁଯାୟୀ ଏନଏଲସିଆଇଏଲର ତରାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଦ୍ବିତୀୟ ପ୍ରର୍ଯ୍ୟାୟରୁ ଓଡିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ ମିଳିବ।