ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଖୁବ୍‌ଶୀଘ୍ର ପୂରଣ ହେବ ତାରକସି ହବ୍‌ର ସ୍ୱପ୍ନ, ପେଟାନାଳ ରାସ୍ତା ପାର୍ଶ୍ୱରେ ୭ ହଜାର ବର୍ଗଫୁଟ୍‌ ଜମିରେ ହେବ ନିର୍ମାଣ

Published By : Prameya | March 23, 2025 1:58 PM

କଟକ,୨୩/୦୩: କଟକର ବହୁ ପ୍ରତୀକ୍ଷିତ ତାରକସି ହବ୍‌ର ସ୍ୱପ୍ନ ଖୁବ୍‌ ଶୀଘ୍ର ପୂରଣ ହେବାକୁ  ଯାଉଛି । ସିଡିଏ ନିକଟସ୍ଥ ପେଟାନାଳ ରାସ୍ତା ପାଶ୍ୱର୍ରେ ୭  ହଜାର ବର୍ଗଫୁଟ୍‌ ସ୍ଥାନ ଚିହ୍ନଟ କରାଯାଇଛି । ଗତକାଲି  (ଶୁକ୍ରବାର) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି ।  ଭୁବନେଶ୍ୱର ଆଇଆଇଟି ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ  (ଡିପିଆର୍‌) ପ୍ରଦାନ କରିଥିଲା । ଏହି ଡିପିଆର୍‌ ମୁତାବକ  କାମ ହେବ । ତାରକସି ହବ୍‌ର ପ୍ରବେଶ ପଥର ଫଟୋ  ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆଇଆଇଟି  ଭୁବନେଶ୍ୱର କମନ୍‌ ଫାସିଲିଟି ସେଣ୍ଟର୍‌ର ଡିଜାଇନ, ବୈଷୟିକ ସହାୟତା, ମାର୍କେଟିଂ ପ୍ଲାନ୍‌, ବ୍ରାଣ୍ଡ୍‌ ପ୍ରମୋସନ  ମାଧ୍ୟମ ଆଦି ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । 

କଟକରେ ତାରକସି ହବ୍‌ ପାଇଁ ସହରବାସୀ ଦୀର୍ଘ  ୧୫ବର୍ଷ ଧରି ଅପେକ୍ଷା କରିଛନ୍ତି । ମାତ୍ର ଏହି ପ୍ରକଳ୍ପ କେବଳ  ଫାଇଲ୍‌ରେ ଗଡୁଥିଲା । ହବ୍‌ ପାଇଁ ବାରମ୍ବାର କଟକ ସହରରେ  ବିଭିନ୍ନ ଜମି ଚିହ୍ନଟ ହେଲା । କିନ୍ତୁ ପ୍ରକଳ୍ପର ରୂପରେଖ  ସାମ୍ନାକୁ ଆସିପାରିଲାନି । କେତେବେଳେ ତୁଳସୀପୁର ତ’  କେତେବେଳେ ମାତାମଠରେ ଜମି ଚିହ୍ନଟ ହୋଇଥିବାର  ଲଲିପପ୍‌ ଦେଖାଇ ଭଣ୍ଡାଇ ଚାଲିଥିଲା ପ୍ରଶାସନ । କିନ୍ତୁ  ପ୍ରକଳ୍ପର କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନଥିଲା ।  

ଏମିତିକି ରାଜନେତାମାନେ ମଧ୍ୟ କଟକର ଏହି ହସ୍ତଶିଳ୍ପର  ବିକାଶ ନେଇ ସ୍ୱରକୁ ଶାଣିତ କରୁଥିବାର କେବେ ହେଲେ  ଦେଖାଯାଇ ନଥିଲା । କିନ୍ତୁ ଗତ ୬ ମାସ ଭିତରେ ତାରକସି  ହବ୍‌ ନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।  କାରିଗର ମାନଙ୍କ ସହ ଆଲୋଚନା କରିବା ଠାରୁ ଆରମ୍ଭ  କରି ଅନ୍ୟ ରାଜ୍ୟର ତାରକସି ଶିଳ୍ପର ସ୍ଥିତିକୁ ନେଇ  ବିଭିନ୍ନ ବର୍ଗ ସହିତ ଆଲୋଚନା କରାଯାଇଛି । ତା’ଛଡ଼ା  ଚଳିତବର୍ଷ କଟକ ତାରକସି ଜିଆଇ ମାନ୍ୟତା ପାଇବା  ପରେ ପ୍ରଶାସନ ଉପରେ ଚାପ ବଢିଥିଲା । ଦୀର୍ଘ ଦିନର  ତାରକସି ହବ୍‌କୁ ରୂପରେଖ ଦେବାକୁ ଯାଇ ଏବେ ପ୍ରଶାସନିକ  ପ୍ରସ୍ତୁତି ଆରମ୍ଭ ହୋଇଛି । ରୁପା ତାରକସି କାରିଗରଙ୍କୁ  ସ୍ୱତନ୍ତ୍ର ପରିଚୟ ଦେବା ତଥା ତାରକସି ଶିଳ୍ପର ଉନ୍ନତିକରଣ  ନିମନ୍ତେ କଟକରେ ତାରକସି ହବ୍‌ ନିର୍ମାଣ ହେବ । 

ଏହି ତାରକସି ଉତ୍କର୍ଷ କେନ୍ଦ୍ରରେ କାରିଗରମାନଙ୍କୁ ନୂତନ  ଜ୍ଞାନକୌଶଳ, ଯନ୍ତ୍ରପାତି ଓ ଅତ୍ୟାଧୁନିକ ତାଲିମ୍‌ ଯୋଗାଇ  ଦିଆଯିବାର ବ୍ୟବସ୍ଥା ରହିବ । ଏଥିସହିତ ତାରକସି ସାମଗ୍ରୀ  ପ୍ରଦର୍ଶନୀ, ଏହାର ବିକ୍ରି ତଥା ରପ୍ତାନୀ, ବିନା ଶୁଳ୍କରେ କିପରି  ରୁପା କ୍ରୟ କରାଯାଇପାରିବ, ତାରକସି ସାମଗ୍ରୀ ତିଆରି  ସମୟରେ ଏହାର ନିର୍ମାଣ ମୂଲ୍ୟ ବା ମେକିଂ ଚାର୍ଜ କିପରି  ହ୍ରାସ କରାଯାଇପାରିବ ତଥା ମାନ ନିର୍ଦ୍ଧାରଣ ସୁବିଧା ଆଦି  ଉପରେ ଗୁରୁତ୍ୱ ଦିଆଯିବ । ସବୁଠୁ ବଡ଼ କଥା ଏହି ଉତ୍କର୍ଷ  କେନ୍ଦ୍ର ଠାରେ ଗ୍ରାହକମାନେ ତାରକସି କାରିଗରମାନଙ୍କ  ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବାର ସୁଯୋଗ ମଧ୍ୟ  ପାଇପାରିବେ । ଏଥିରେ ଭୂମିକା ରହୁଥିବା ବିଭିନ୍ନ ଗୋଷ୍ଠୀଙ୍କ  ସହିତ ଆଲୋଚନା ସରିଛି । ତାରକସିର ପ୍ରସାର ପାଇଁ  କୋଲକତା ସ୍ଥିତ ଏକ୍ସପୋର୍ଟ ପ୍ରମୋସନ୍‌ କାଉନସିଲ୍‌ ସହିତ  ପୂର୍ବରୁ ପ୍ରଶାସନ ପକ୍ଷରୁ ବୈଠକ କରାଯାଇଛି । 

ଅନ୍ୟପକ୍ଷରେ  ରୁପା ତାରକସି ସହ ଜଡ଼ିତ ଥିବା ପ୍ରକୃତ କାରିଗରମାନେ  ଏଣିକି ବ୍ୟକ୍ତିଗତ ଭାବେ ଜିଆଇ ମାନ୍ୟତାର ଲାଭ ହାସଲ କରିପାରିବେ । ପ୍ରକୃତ କାରିଗର, ବିକେତ୍ରା ଓ ଉତ୍ପାଦନକାରୀ  ଗୋଷ୍ଠୀଙ୍କୁ ଜିଆଇ ପ୍ରମାଣପତ୍ର ମିଳିବାର ବାଟ ଖୋଲିଛି ।  ମଧ୍ୟମ, କ୍ଷୁଦ୍ର, ଅଣୁ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ  ତରଫରୁ ଏନେଇ ଉଦ୍ୟମ କରାଯାଇଛି । କଟକର ୪୨ଜଣ  କାରିଗର, ବିକ୍ରେତା ଜିଆଇ ପ୍ରମାଣପତ୍ର ପାଇଁ ଆବେଦନ  କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମଥର କୌଣସି  ଜିଆଇ ମାନ୍ୟତାପ୍ରାପ୍ତ ଦ୍ରବ୍ୟର ଲାଭ ତୃଣମୂଳ ସ୍ତରରେ ଏହାର କାରିଗରଙ୍କୁ ସିଧାସଳଖ ପ୍ରମାଣପତ୍ର ଆଧାରରେ ମିଳିବାକୁ  ଯାଉଛି । ଯାହାଫଳରେ ପ୍ରକୃତ କଟକ ରୁପା ତାରକସିର  ଆଦୃତି ଆହୁରି ବୃଦ୍ଧି ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.