ଝାରପୋଖରିଆ,୨୪ ।୩(ଆପ୍ର): ଜାତୀୟ ରାଜପଥ ୧୯ ଓ ୪୯ ନମ୍ବରର ସଙ୍ଗମ ସ୍ଥଳ ବମ୍ବେ ଛକଠାରେ ରାଜପଥ ସଂପ୍ରସାରଣ ପରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଓଭରବ୍ରିଜ ରହିଛି । ଏହାର ତଳ ଦେଇ ଯାଇଥିବା ଉଭୟ ପାଶ୍ୱର୍ର ରାସ୍ତା ଦୀର୍ଘ ଦିନ ଧରି ଅସଜଡା ହୋଇ ପଡିରହିଛି । ସାମାନ୍ୟ ବର୍ଷା ପରେ ପୋଖରୀ ଭଳି ଖାତରେ ପାଣି ଭର୍ତ୍ତି ହୋଇ ବିପଜ୍ଜନକ ଟ୍ରାଫିକ ବ୍ୟବସ୍ଥା ସୃଷ୍ଟି କରୁଛି ।
ଓଭରବ୍ରିଜରୁ ବାଙ୍ଗିରିପୋଷି ଓ ଜାଶୋଳା ପଟକୁ ସର୍ଭିସ ରୋଡର କିଛି ଅଂଶ କାମ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହେଉ ନାହିଁ । ଅନ୍ୟପକ୍ଷରେ ଖରାଦିନେ ରାସ୍ତାରେ ଧୂଳି ଉଡି ଲୋକଙ୍କୁ ନାକେଦମ ହେବାକୁ ପଡୁଛି। ବିଭାଗ ଦ୍ୱାରା ପାଣି ପକା ଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ । ଆଉ ସାମାନ୍ୟ ବର୍ଷା ହେଲେ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରୁଛି। ଫଳରେ ଜନସାଧାରର ବିପ୍ପଜନକ ଅବସ୍ଥାରେ ରାସ୍ତା ପାରି ହେଉଛନ୍ତି। ଦୀର୍ଘ ଦିନ ଧରି ବିଭିନ୍ନ ମହଲରେ ଦାବି ପରେ ବକେୟା ଥିବା ଓଭରବ୍ରିଜ କାମ ଦ୍ରୁତ ଗତିରେ ଆାରମ୍ଭ କରାଯାଇଛି। ମାତ୍ର କାର୍ଯ୍ୟସ୍ଥଳରେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ଯାହାଫଳରେ କାର୍ଯ୍ୟର ଶେଷ ହେବା ଅବଧି ଓ ଖର୍ଚ୍ଚ ବ୍ୟୟ ବରାଦ ବାବଦରେ ସୂଚନା ମିଳିପାରି ନାହିଁ । ଓଭରବ୍ରିଜର ଉଭୟ ପାଶ୍ୱର୍ର ସର୍ଭିସ ରୋଡର ସ୍ଥାୟୀ ମରାମତି ନେଇ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।