ନାଗପୁର, ୦୩/୦୩: ଲିଗ୍ଠୁ ଆରମ୍ଭ କରି ନକ୍ ଆଉଟ୍ ମୁକାବିଲା ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ବିଦର୍ଭ ରଣଜୀ ଟ୍ରଫି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । କେରଳ ବିପକ୍ଷ ଫାଇନାଲ୍ ମୁକାବିଲା ଡ୍ର’ ହେବା ସହ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ବିଦର୍ଭ ଟ୍ରଫି ହାସଲ କରିଛି । ଦଳ ତୃତୀୟ ଥର ରଣଜୀ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ପୂର୍ବରୁ ବିଦର୍ଭ ୨୦୧୭- ୧୮, ୨୦୧୮-୧୯ ସିଜନରେ ଟ୍ରଫି ଜିତିଥିଲା । ଗତ ସଂସ୍କରଣରେ ଦଳ ଫାଇନାଲ୍ରେ ପହଞ୍ଚିଥିଲା ଏବଂ ମୁମ୍ବାଇଠୁ ହାରି ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା । ମାତ୍ର ୨୦୨୪-୨୫ ସିଜନରେ ବିଦର୍ଭ ଅପରାଜେୟ ସାବ୍ୟସ୍ତ ହୋଇଥିଲା । ଫାଇନାଲ୍ରେ ଯଥାକ୍ରମେ ୧୫୩, ୭୩ରନ୍ର ଜବରଦସ୍ତ ଇନିଂସ୍ ଖେଳିଥିବା ଡାନିଶ ମାଲେୱର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୬୯ଟି ୱିକେଟ୍ ନେବା ସହ ୪୭୬ରନ୍ କରିଥିବା ହର୍ଷ ଦୁବେ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ ।
ଟାଇଟଲ୍ ଲଢ଼େଇରେ ବିଦର୍ଭର ୩୭୯ରନ୍ ଜବାବରେ କେରଳ ପ୍ରଥମ ଇନିଂସ୍ ୩୪୨ରେ ସୀମିତ ରହିବା ପରେ ଫଳାଫଳ ଏକପ୍ରକାର ନିର୍ଣ୍ଣୟ ହୋଇ ସାରିଥିଲା । କେରଳର ଟାଇଟଲ ସ୍ୱପ୍ନ ମଉଳି ଯାଇଥିଲା । ୩୭ରନ୍ ଅଗ୍ରଣୀ ଥାଇ ବିଦର୍ଭ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ଚତୁର୍ଥ ଦିବସ ଶେଷ ସୁଦ୍ଧା ୪/୨୪୯ରନ୍ ସଂଗ୍ରହ କରିଥିଲା । ଅନ୍ତିମ ଦିବସରେ ଦଳ ୯ ୱିକେଟ୍ ହରାଇ ୩୭୫ରନ୍ କରିଥିବାବେଳେ ଉଭୟ ଦଳର ସମ୍ମତିକ୍ରମେ ଡ୍ର’ ଘୋଷଣା କରାଯାଇଥିଲା । କରୁଣ ନାଏର ୧୩୫ (୧୦ଚୌକା, ୨ଛକା), ଅକ୍ଷୟ ୱାଡକର ୨୫, ଅକ୍ଷୟ କର୍ଣ୍ଣେୱାର ୩୦, ଦର୍ଶନ ନାଲକନ୍ଦେ ଅପରାଜିତ ୫୧ (୩ଚୌକା, ୧ଛକା) ରନ୍ କରିଥିଲେ । କେରଳ ପକ୍ଷରୁ ଆଦିତ୍ୟ ସରୱତେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।
ୟଶ୍ ରାଠୋର ସର୍ବାଧିକ ରନ୍ ସ୍କୋରର: ବିଦର୍ଭର ଯୁବ ବ୍ୟାଟର ରାଠୋର ଏଥର ସର୍ବାଧିକ ରନ୍ ହାସଲକାରୀ ସାବ୍ୟସ୍ତ ହୋଇଥିଲେ । ସେ ୧୦ଟି ମ୍ୟାଚ୍ ଖେଳି ୫୩.୩୩ ଆଭରେଜରେ ମୋଟ ୯୬୦ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ସେ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳର ଅଭିଜ୍ଞ ବ୍ୟାଟର ନାଏର ୯ଟି ମ୍ୟାଚ୍ରୁ ୮୬୩ (୪ଶତକ, ୨ଅର୍ଦ୍ଧଶତକ) ଏବଂ ଡାନିଶ୍ ମାଲେୱର ୭୮୩ (୨ଶତକ, ୬ଅର୍ଦ୍ଧଶତକ) ରନ୍ କରିଥିଲେ ।
ହର୍ଷ ଦୁବେଙ୍କୁ ସର୍ବାଧିକ ୱିକେଟ୍: ବିଦର୍ଭର ଉଦୀୟମାନ ସ୍ପିନର ହର୍ଷ ଦୁବେ ସିଜନରେ ମୋଟ ୬୯ଟି ୱିକେଟ୍ ଅକ୍ତିଆର କରିଥିଲେ । ଏଥିସହ ସେ ଗୋଟିଏ ସିଜନରେ ସର୍ବାଧିକ ୱିକେଟ୍ ନେବାରେ ରେକର୍ଡ଼ ସ୍ଥାପନ କରିଥିଲେ। ପୂର୍ବରୁ ବିହାରର ଆଶୁତୋଷ ଅମନ ୨୦୧୮-୧୯ ସିଜନରେ ୬୮ଟି ଏବଂ ସୌରାଷ୍ଟ୍ରର ଜୟଦେବ ଉନାକାତ୍ ୨୦୧୯-୨୦ ସିଜନରେ ୬୭ଟି ୱିକେଟ୍ ନେଇଥିଲେ ।