ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ସୋମବାର ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ବୃଦ୍ଧି ପାଇଛି ।  ଏକ୍ସରେ ଏକ ପୋଷ୍ଟରେ, ସେ ରୋହିତଙ୍କୁ ‘ମୋଟା’ ଏବଂ  ଅଯୋଗ୍ୟ ଅଧିନାୟକ ବୋଲି କହିଥିଲେ। ସେ ଲେଖିଥିଲେ, ଖେଳାଳି ଭାବରେ ରୋହିତ ଶର୍ମା ମୋଟା । ଓଜନ ହ୍ରାସ କରିବା ଆବଶ୍ୟକ । ନିଶ୍ଚିତ ଭାବରେ, ରୋହିତ ଶର୍ମା ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ । 

ଏହି ପୋଷ୍ଟକୁ ନେଇ ବିବାଦ ବୃଦ୍ଧି ପାଇବା ପରେ ଶମା ମହମ୍ମଦ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ତାଙ୍କର ମନ୍ତବ୍ୟ ବଡି ସେମିଂ ବା ଶରୀରକୁ ଆକ୍ଷେପ ପାଇଁ ନୁହଁ ବରଂ ଜଣେ ଖେଳାଳିଙ୍କ ଫିଟନେସ୍‌ ଉପରେ ଥିଲା । ଏହା ଜଣେ ଖେଳାଳିଙ୍କ ଫିଟନେସ୍ ବିଷୟରେ ଏକ ସାଧାରଣ ଟ୍ୱିଟ୍ ଥିଲା ବୋଲି ସେ କହିଛନ୍ତ । ଏପରିକି ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ ବୋଲି ଶମା ମହମ୍ମଦ କହିଛନ୍ତି । ସେପଟେ ବିବାଦ ବୃଦ୍ଧି ପାଇବା ପରେ ଶମା ମହମ୍ମଦ ନିଜର ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି । 

ରୋହିତ ଶର୍ମାଙ୍କ ବଡି ସେମିଂ ମନ୍ତବ୍ୟକୁ ନେଇ ବିବାଦ: ବିଜେପିର ବିରୋଧ ପରେ ପୋଷ୍ଟ ଡିଲିଟ୍ କଲେ ଶମା ମହମ୍ମଦ, କଂଗ୍ରେସ ରଖିଲା ସ୍ପଷ୍ଟୀକରଣ

ଶମା ମହମ୍ମଦ କିଏ?

ଶମା ମହମ୍ମଦ କେରଳର କନ୍ନୁରରେ ଜନ୍ମଗ୍ରହଣ କରିଥିଲେ ।  ପେଶାରେ ସେ ଜଣେ ଦନ୍ତ ଚିକିତ୍ସକ (ଡେଣ୍ଟିଷ୍ଟ)  । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସାମ୍ବାଦିକ ଭାବରେ କାମ କରୁଥିଲେ । ସେ ୨୦୧୫ ରେ କଂଗ୍ରେସ ମୁଖପାତ୍ର ହୋଇଥିଲେ ଏବଂ ୨୦୨୮ରେ ତାଙ୍କୁ ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ ନିଯୁକ୍ତ କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଶମା ମହମ୍ମଦ ମାଙ୍ଗାଲୁରୁର ୟେନେପୋୟା ଡେଣ୍ଟାଲ୍ କଲେଜରୁ ଡେଣ୍ଟାଲ୍ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ କରିବା ପୂର୍ବରୁ କୁୱେତର ଏକ ଭାରତୀୟ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ (୧୯୯୨-୧୯୯୭)। ସାମ୍ବାଦିକତା କରିବା ପୂର୍ବରୁ ସେ ଦନ୍ତ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିଲେ ।

ଶମା ମହମ୍ମଦ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହେବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ତାଙ୍କୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ସେ ଦଳର ଜାତୀୟ ମୁଖପାତ୍ର ହୋଇଥିଲେ ।

ସେ କଂଗ୍ରେସ ଦଳର ଜଣେ ସକ୍ରିୟ ରାଜନୈତିକ ବ୍ୟକ୍ତିତ୍ୱ । ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ଦଳର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥାନ୍ତି । କଂଗ୍ରେସ ଶମା ମହମ୍ମଦଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିବା ବେଳେ ତାଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ କହିଥିବା ଜଣାପଡ଼ିଛି ।