ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପରାସ୍ତ ହୋଇଛି। ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜରିୱାଲ ନିଜେ ନିର୍ବାଚନରେ ପରାଜିତ ହୋଇଛନ୍ତି । ଦିଲ୍ଲୀରେ ତାଙ୍କ ଦଳ କ୍ଷମତା ହରାଇବାର ପ୍ରାୟ ଗୋଟିଏ ମାସ ପରେ, ଏବେ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଦିନ ୧୦ ଦିନିଆ ବିପାସନା ଅଧିବେଶନ ପାଇଁ ପଞ୍ଜାବ ଗସ୍ତ କରିବେ। ଦଳୀୟ ସୂତ୍ରରୁ ଏହା ଜଣାପଡିଛି।
ଦଳୀୟ ସୂତ୍ର ଅନୁସାରେ କେଜରିୱାଲ ମଙ୍ଗଳବାର ଦିନ ଧ୍ୟାନ ଶିବିର ପାଇଁ ହୋସିଆରପୁର ଯିବେ । ସୂତ୍ର ଅନୁସାରେ ସେ ମାର୍ଚ୍ଚ ୫ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେଠାକାର ଏକ କେନ୍ଦ୍ରରେ ବିପାସନା ଅଧିବେଶନରେ ଯୋଗ ଦେବେ। କେଜ୍ରିୱାଲ ଡିସେମ୍ବର୨୦୨୩ରେ ହୋସିଆରପୁରର ଆନନ୍ଦଗଡ଼ରେ ଥିବା ଧମ୍ ଧଜା ବିପାସନା କେନ୍ଦ୍ରରେ ୧୦ ଦିନିଆ ଅଧିବେଶନରେ ଯୋଗ ଦେଇଥିଲେ।
ପୂର୍ବରୁ, ସେ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ସମନ ପାଇବା ପରେ ହୋସିଆରପୁର ଯାଇଥିଲେ। ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ନୂଆ ଦିଲ୍ଲୀ ଆସନରୁ ହାରିବା ପର ଠାରୁ କେଜରିୱାଲ ସାଧାରଣରେ ଦେଖାଯାଇ ନାହାଁନ୍ତି ଏବଂ ନିଜକୁ ଦଳ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସୀମିତ ରଖିଛନ୍ତି।
ଆମ ଆଦମୀ ପାର୍ଟି ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତ ବିପୁଳ ଜନାଦେଶ ସହିତ ଦିଲ୍ଲୀରେ ଶାସନ କରିଥିଲା, କିନ୍ତୁ ସମ୍ପ୍ରତି ବିଧାନସଭା ନିର୍ବାଚନରେ ଏହା ୭୦ ସଦସ୍ୟ ବିଶିଷ୍ଟ ଗୃହରେ ୨୨ ଆସନକୁ ହ୍ରାସ ପାଇଛି। ବିଜେପି ଏଠାରେ ୪୮ଟି ଆସନ ଜିତି କେଜ୍ରିୱାଲଙ୍କ ଦଳର ପ୍ରାଧାନ୍ୟକୁ ଶେଷ କରିଦେଇଛି। ମନୀଷ ସିସୋଦିଆ, ସୌରଭ ଭରଦ୍ୱାଜ, ସତ୍ୟେନ୍ଦ୍ର ଜୈନ ଏବଂ ସୋମନାଥ ଭାରତୀ ସମେତ ଆପର ଅନେକ ବଡ଼ ନେତା ନିର୍ବାଚନରେ ହାରିଛନ୍ତି।