ବ୍ରହ୍ମପୁର,୦୩/୦୩: ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସିବେ । ଗଞ୍ଜାମ ଗସ୍ତ ଅବସରରେ ବ୍ରହ୍ମପୁର ଠାରେ ଜନସଭା ଆୟୋଜନ ସ୍ଥିର ହୋଇଛି । ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଉଦ୍ଦିଷ୍ଟ ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ କିସ୍ତି ଅର୍ଥ ଏହି ଠାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ବିତରଣ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ କନକ ବର୍ଦ୍ଧନ ସିଂହଦେଓ ଆସିକା ଗସ୍ତ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ବ୍ରହ୍ମପୁରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ଅର୍ଥ ବିତରଣ ହେବା ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନିଶ୍ଚିତ ହୋଇଥିବା ବେଳେ ପ୍ରଶାସନିକ ଓ ଦଳୀୟ ସ୍ତରରେ ଭିନ୍ନ ଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ସୁଭଦ୍ରା ଅର୍ଥ ବଣ୍ଟନ ସହ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିପାରନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।