ତୁମୁଡିବନ୍ଧ ୦୨/୦୩: ବସ ଧକ୍କାରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ। ଟାୟାର ଜାଳି ରାସ୍ତା ଅବରୋଧ କଲେ ଶତାଧିକ ଅଙ୍ଗନବାଡି କର୍ମୀ । ଫେଲ୍ ମାରିଲା ସ୍ଥାନୀୟ ପ୍ରଶାସନ ଓ ପୁଲିସର ଚେଷ୍ଟା । ସହାୟତା ଦେଲେ ବିଜେଡି ନେତା।
ସୂଚନା ଅନୁଯାୟୀ, ଶନିବାର ତୁମୁଡିବନ୍ଧ ବ୍ଲକ ବେଲଘର ଅଂଚଳରେ ଏକ ସରକାରୀ ବସ ଧକ୍କାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସ୍ନେହଲତା ମଝିଆସେଠଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମୃତ ଅଙ୍ଗନବାଡି କର୍ମୀଙ୍କ ଶବକୁ ତୁମୁଡିବନ୍ଧ ମୁଖ୍ୟ ରାସ୍ତା ଉପରେ ରଖି ଟାୟାର ଜାଳି ଶତାଧିକ ଅଙ୍ଗନବାଡି କର୍ମୀ ଓ ଅଂଚଳବାସୀ ରାସ୍ତା ଅବରୋଧ କରିଥିଲେ। ଫଳରେ ତୁମୁଡିବନ୍ଧଠାରୁ ମୁନିଗୁଡା ଓ ଫୁଲବାଣୀ ରାସ୍ତାରେ ଦୀର୍ଘ ଦଶ ଘଣ୍ଟା ଧରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ସ୍ଥାନୀୟ ପ୍ରଶାସନ, ପୁଲିସର ଚେଷ୍ଟା ସତ୍ୱେ ରାସ୍ତାରୋକ ହଟି ନ ଥିଲା। ଶେଷରେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ସମେତ ବିଜୁ ଜନତା ଦଳ ସଂଯୋଜକ ଟୁନା ଦାଶ, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ପହଞ୍ଚିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ବିଧାୟକ ଚକ୍ରମଣି ୫୦ ହଜାର ଟଙ୍କା ଓ ବ୍ଲକ ସଭାପତି ପ୍ରମୋଦ ୫୦ ହଜାର ଟଙ୍କା ସହାୟତା ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ୨୦ ହଜାର ଟଙ୍କା ଦିଆଯିବା ସହିତ ସମସ୍ତ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇଦେବା ପାଇଁ ପ୍ରତିଶୃତି ଦିଆଯାଇ ଥିଲା। ଏହା ପରେ ରାସ୍ତା ରୋକ ହଟିଥିଲା। ମୃତ ଅଙ୍ଗନବାଡି କର୍ମୀଙ୍କ ମୃତଶରୀରକୁ ଆଜି ତୁମୁଡ଼ିବନ୍ଧ ସ୍ଵାସ୍ତ୍ୟ କେନ୍ଦ୍ରରେ ବ୍ୟବଛେଦ କରି ନିଜ ଗ୍ରାମ ଉଷାବାଲି ଠାରେ ଶବ ସତ୍କାର କରାଯାଇଛି।