କୋକସରା,୨୯/୦୫: ଓଡିଶା ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଓଡିଶାରେ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟର ଯାତ୍ରୀଙ୍କୁ ବସ ସେବା ଯୋଗାଇ ଦେବାକୁ ପରିବହନ ବିଭାଗ ପକ୍ଷରୁ ନୂତନ ଭଲବୋ ବସ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜୟପୁର ଠାରୁ ବାଲେଶ୍ଵରକୁ ନୂତନ ଭଲବୋ ବସ ସେବା ଆରମ୍ଭ ହୋଇଛି।
ଏହି ବସଟି ଜୟପୁର ରୁ ବାହାରି ନବରଙ୍ଗପୁର,ପାପଡାହାଣ୍ଡି, ଆମପାଣି ବିଜୁ ଏକ୍ସପ୍ରେସ ୱେ ଦେଇ ଧର୍ମଗଡ଼ ଦେଇ ଜୁନାଗଡ଼ରେ ପହଞ୍ଚି ପୁଣି ଜାତୀୟ ରାଜପଥ ୨୬ ରେ ବାହାରି ତାର ଗନ୍ତବ୍ୟ ପଥ ଦେଇ ଯାତ୍ରା କରୁଛି । ତେବେ ଆମପାଣିରୁ କୋକସରା, ମୋଟେର, ମହିଚଳା, ଜୁନାଗଡ଼ ଦେଇ ସମସ୍ତ ଦୁରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀବାହୀ ବସ ଚଳାଚଳ କରୁଥିବା ବେଳେ ଏହି ବସର ରୁଟକୁ ପରିବର୍ତ୍ତନ କରାଯାଇ ଆମପାଣି ବିଜୁ ଏକ୍ସପ୍ରେସ ୱେ ରୁ ଧର୍ମଗଡ଼ ଦେଇ ଜୁନାଗଡ଼ କରାଯାଇଛି। ଫଳରେ କୋକସରା ବ୍ଲକ, ଜୟପାଟଣା, କଲମପୁର, ଜୁନାଗଡ଼ ବ୍ଲକ ଅଞ୍ଚଳର ଯାତ୍ରୀ ମାନେ ଏହି ବସ ସେବାରୁ ବାଦ ପଡିଛନ୍ତି। ଯାହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଓଏସଆରଟିସି ବିଭାଗ ଯାତ୍ରୀଙ୍କ ସୁବିଧା ପାଇଁ ଏହି ବସ ସେବାକୁ ରୁଟ ପରିବର୍ତ୍ତନ କରି କୋକସରା, ମୋଟେର, ବଲଧିଆମାଲ ଛକରୁ ଧର୍ମଗଡ଼ ସହରକୁ ଭାୟା ଦେଇ ପୁଣି ଜୁନାଗଡ଼ ଦେଇ ଚଳାଚଳ କଲେ ସମସ୍ତ ଯାତ୍ରୀ ମାନେ ଉପକୃତ ହେବେ ବୋଳି ଯାତ୍ରୀମାନେ ପ୍ରକାଶ କରିଛନ୍ତି। ଏ ଦିଗରେ ଓଏସଆରଟିସି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।